ଭୁବନେଶ୍ବର: ଓଡ଼ିଶା ହେବ ମଦମୁକ୍ତ। ରାଜ୍ୟରେ ନିଶା ବ୍ୟବହାର କମିବ। ଏଥିପାଇଁ ନୂଆ ସରକାର ଅଣ୍ଟା ଭିଡ଼ିଲେଣି। ଆଜି ଅନ୍ତର୍ଜାତୀୟ ନିଶା ନିବାରଣ ଦିବସ ଅବସରରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ମଦମୁକ୍ତ ଓଡ଼ିଶା ବୟାନ ବେଶ ଚର୍ଚ୍ଚା ସୃଷ୍ଟି କରିଛି। ଚଳିତ ନିର୍ବାଚନ ପୂର୍ବରୁ ନିଶାମୁକ୍ତ ଓଡ଼ିଶା ପାଇଁ ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା ରାଜ୍ୟ ବିଜେପି। ନିର୍ବାଚନୀ ଇସ୍ତାହାରରେ ଦଳ ପକ୍ଷରୁ ଯେଉଁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହାକୁ ପାଳନ କରିବା ଲାଗି କିଛି କ୍ଷେତ୍ରରେ ସରକାର ଉଦ୍ୟମ ଆରମ୍ଭ କରିସାରିଛନ୍ତି। ଏ ଦୃଷ୍ଟିରୁ ରାଜ୍ୟରେ ମଦ ବିକ୍ରି ନିଷିଦ୍ଧ ହୋଇପାରେ ବୋଲି ଆଶା କରାଯାଉଛି। ଅପରପକ୍ଷରେ ମଦମୁକ୍ତ ଓଡ଼ିଶା ପାଇଁ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ସବୁ ବିଧାୟକଙ୍କୁ ଦାବିପତ୍ର ଦିଆଯାଇଛି।
ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ଯେ ଓଡ଼ିଶାରେ ପର୍ଯ୍ୟାୟକ୍ରମେ ମଦ କାରବାର କମିବ। ସରକାରୀସ୍ତରରେ ଅନେକ ରାଜ୍ୟରେ ମଦ ବନ୍ଦ କରାଯାଇଛି। ରାଜ୍ୟ ସରକାର ମଧ୍ୟ ମଦ ବନ୍ଦ କରିବାକୁ ଚେଷ୍ଟା କରିବେ। ନିଶା କାରବାରକୁ ମଧ୍ୟ କମାଯିବ। ଅବକାରୀ ବିଭାଗ ସମେତ ଅନ୍ୟ ବିଭାଗ ସହ ଆଲୋଚନା କରି ପର୍ଯ୍ୟାୟକ୍ରମେ ଏଥିପାଇଁ ପଦକ୍ଷେପ ନିଆଯିବ। ଡ୍ରଗ୍ସ କାରବାର ବିରୋଧରେ କାର୍ଯ୍ୟକ୍ରମ କରାଯିବ। ସୁସ୍ଥ ସମାଜ ଗଠନ ପାଇଁ ଏହା ଆବଶ୍ୟକ ବୋଲି ସେ କହିଛନ୍ତି। ମନ୍ତ୍ରୀ ଶ୍ରୀ ଗଣ୍ଡଙ୍କ ବୟାନକୁ ସମର୍ଥନ କରିଛନ୍ତି ବିଜେପି ବିଧାୟକ ବାବୁ ସିଂହ। ଶ୍ରୀ ସିଂହ କହିଛନ୍ତି, ଓଡ଼ିଶା ନିଶାମୁକ୍ତ ହେଲେ ଗାନ୍ଧୀଜୀଙ୍କ ପାଇଁ ଏହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ। ଯୁବ ସମାଜ ନିଶା କାରବାର ଦ୍ବାରା ପଥଭ୍ରଷ୍ଟ ହେଉଛି। ନିଶାମୁକ୍ତ ଭାରତ ଆବଶ୍ୟକ। ଓଡ଼ିଶାରେ ଯେଉଁଭଳି ଛତୁ ଫୁଟିଲା ଭଳି ମଦ ଦୋକାନ ଖୋଲିଛି ତାହାକୁ ଗୋଟିଏ ଦିନରେ ନ ହେଲେ ମଧ୍ୟ ପର୍ଯ୍ୟାୟ କ୍ରମେ ବନ୍ଦ କରାଯାଇପାରିବ। ନିଶା ଦ୍ବାରା ଦୁର୍ଘଟଣା ଓ ଅପରାଧ ବଢ଼ୁଛି। ଅର୍ଥ ରୋଜଗାର ପାଇଁ ନିଶା ଆପଣାଇବା ଉଚିତ୍ ନୁହେଁ। ନିଶାମୁକ୍ତ ଓଡ଼ିଶା ସମସ୍ତଙ୍କର ଦାୟିତ୍ବ ବୋଲି ଶ୍ରୀ ସିଂହ କହିଛନ୍ତି।
ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା ବିଜେପି
ମଦମୁକ୍ତ ଓଡ଼ିଶା ପାଇଁ ସବୁ ବିଧାୟକଙ୍କୁ ପତ୍ର ଲେଖିଲେ ପଦ୍ମଚରଣ ନାୟକ
ଅପରପକ୍ଷରେ ମଦମୁକ୍ତ ଓଡ଼ିଶା ପାଇଁ ଦୀର୍ଘଦିନ ହେବ ନିଜର ଉଦ୍ୟମ ଜାରି ରଖିଛି ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ। ଅଭିଯାନର ସଭାପତି ପଦ୍ମଚରଣ ନାୟକ ବର୍ତ୍ତମାନର ସବୁ ବିଧାୟକମାନଙ୍କୁ ‘ମଦମୁକ୍ତ ଓଡ଼ିଶା ଜରୁରି କାହିଁକି?’ ଶୀର୍ଷକ ଦାବିପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ନାୟକ କହିଛନ୍ତି ଯେ ୧୯୫୬ ମସିହାରୁ ରାଜ୍ୟରେ ନିଶା ନିବାରଣ ଆଇନ ପାରିତ ହୋଇଛି। କେବଳ ଆବଶ୍ୟକ ରୁଲ୍ ପ୍ରସ୍ତୁତ କରି ଏହାକୁ ବିଧାନସଭାରେ ଉପସ୍ଥାପନ କରିବା ବାକି ରହିଛି। ନବୀନ ପଟ୍ଟନାୟକଙ୍କ ୨୪ବର୍ଷ ଶାସନ ସମୟରେ ବିକାଶମୂଳକ କାମଠାରୁ ମଦ ବ୍ୟବସାୟ ଅଧିକ ବିକାଶ ଲାଭ କରିଥିଲା। ଏହି ବ୍ୟବସାୟରୁ ରାଜ୍ୟ ସରକାର ପ୍ରଥମ ବର୍ଷ ୮୩ କୋଟି ପାଇଥିବା ବେଳେ ୨୦୨୪-୨୫ବର୍ଷରେ ୧୦ହଜାର କୋଟି ପାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି। ବଗର ଥଣ୍ଟ ବଢ଼ିଲେ ମୀନର ବିପତ୍ତି ବଢ଼ିବା ଭଳି ରାଜ୍ୟରେ ମଦର ବନ୍ୟା ବଢ଼ି ଚାଲିଛି। ପ୍ରତିବର୍ଷ ବହୁ ସଂଖ୍ୟାରେ ଯୁବପିଢ଼ି ମଦ ପିଇ ଜୀବନ ହାରୁଛନ୍ତି। ରାଜ୍ୟର ପ୍ରତି ୩ଟି ପରିବାରରୁ ଗୋଟିଏ ପରିବାରରେ କେହି ନା କେହି ମଦ୍ୟପାନ କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଲାଭଦାୟକ ବ୍ୟବସାୟ ହୋଇଥିବାରୁ ବହୁଲୋକ ଏହାର ସୁଯୋଗ ନେଉଛନ୍ତି। ଚୋରା ମଦ ବ୍ୟବସାୟୀ ଧରାପଡ଼ିଲେ ସହଜରେ ଛାଡ଼ ପାଇଯାଉଛନ୍ତି। କାରଣ ଓଡ଼ିଶା ଅବକାରୀ ଆଇନରେ ଚୋରା ମଦ କାରବାର ଜାମିନ ସାପେକ୍ଷ। ତେଣୁ ଓଡ଼ିଶା ଅବକାରୀ ବିଭାଗ ବିହାରରେ ପ୍ରଚିଳିତ ବ୍ୟବସ୍ଥାକୁ ଅନୁସରଣ କରନ୍ତୁ। ଚଳିତ ନିର୍ବାଚନ ପୂର୍ବରୁ କଂଗ୍ରେସ କିମ୍ବା ବିଜେଡି ମଦମୁକ୍ତ ସଂପର୍କରେ ନିର୍ବାଚନୀ ଇସ୍ତାହାରରେ ସ୍ଥାନ ଦେଇ ନ ଥିଲେ। ହେଲେ ରାଜ୍ୟ ବିଜେପି ନିଜ ନିର୍ବାଚନୀ ଇସ୍ତାହାରରେ ୨୦୨୯ ସୁଦ୍ଧା ନିଶାମୁକ୍ତ ଓଡ଼ିଶା ଗଠନ ଓ ଧାରା ୪୭କୁ କଡ଼ାକଡ଼ି କାର୍ଯ୍ୟକାରୀ କରି ବିଷାକ୍ତ ପାନୀୟ ତଥା ଡ୍ରଗ୍ସ ନିୟନ୍ତ୍ରଣ କରିବେ ବୋଲି କହିଛନ୍ତି। ରାଜ୍ୟ ଜନସାଧାରଣ ଦଳର ଶପଥକୁ ଭରସା କରି ରାଜ୍ୟର ଶାସନ ଦାୟିତ୍ବ ବିଜେପିକୁ ଦେଇଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି।
ଗତ କିଛିବର୍ଷ ଭିତରେ ରାଜ୍ୟରେ ଛତୁ ଫୁଟିଲା ଭଳି ମଦ ଦୋକାନ ଖୋଲିଛି। ବର୍ତ୍ତମାନ ରାଜ୍ୟରେ ୫୦୯ଟି ଠିପି ବନ୍ଦ ମଦ ଦୋକାନ ଥିବା ବେଳେ ୬୭୩ଟି ଠିପି ଖୋଲା ଦୋକାନ ରହିଛି। ଏହାବାଦ୍ ୧୨୪୦ଟି ଶାଖା ମଦ ଦୋକାନ, ୫୧ଟି ତାଡ଼ି ଭାଟି, ୩୫ଟି ମିଲିଟାରି କ୍ୟାଣ୍ଟିନ୍, ୩୬ଟି ବିୟର ପାର୍ଲର ଓ ୧୯ଟି କ୍ଲବ୍ ରହିଛି। ୧୯୯୯ରୁ ଅବକାରୀ ବିଭାଗର ରାଜସ୍ବ ଥିଲା ୧୧୪ କୋଟି। ୨୦୧୫-୧୬ରେ ଏହା ବୃଦ୍ଧି ପାଇ ୨୫୬୮ କୋଟି, ୨୦୨୦-୨୧ରେ ୪୦୫୩ କୋଟି ଓ ୨୦୨୨-୨୩ରୁ ୬୪୫୫ କୋଟିରେ ପହଞ୍ଚିଛି। ଦେଶରେ ଗୁଜରାଟ ଓ ବିହାର ସରକାର ନିଜ ରାଜ୍ୟରେ ମଦ ବିକ୍ରି ବନ୍ଦ କରିଛନ୍ତି।