ବେଗୁନିଆପଡ଼ା : ମଧୁବାବୁ ପେନ୍ସନ୍ ଯୋଜନାରେ ୫୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ଆବେଦନ ମଞ୍ଜୁର ପାଇଁ ୬୦୦୦ ଟଙ୍କା ଲାଞ୍ଚ ମାଗି ଭିଜିଲାନ୍ସ୍ ଜାଲରେ ପଡ଼ିଛନ୍ତି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର ନାୟକ। ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ ମଠସରସିଂ ପଞ୍ଚାୟତର ସମିତିସଭ୍ୟା ପ୍ରତିନିଧି ଝଡ଼ିଆ ସ୍ବାଇଁ ପଞ୍ଚାୟତର କିଛି ହିତାଧିକାରୀଙ୍କ ବାର୍ଦ୍ଧକ୍ୟ ଭତ୍ତା ସଂକ୍ରାନ୍ତ ଫାଇଲ୍ ପାସ୍ କରିବାକୁ ବହୁବାର ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ନାୟକଙ୍କୁ ଅନୁରୋଧ କରିଆସୁଥିଲେ। କିନ୍ତୁ, ଏଥିପାଇଁ ଶ୍ରୀ ନାୟକ ଲାଞ୍ଚ ମାଗିବାରୁ ଝଡ଼ିଆ ବ୍ରହ୍ମପୁର ଭିଜିଲାନ୍ସ୍ର ଦ୍ବାରସ୍ଥ ହୋଇଥିଲେ। ଆଜି ସକାଳେ ବ୍ଲକ୍ ଅଫିସ୍ ପରିସରରେ ଶ୍ରୀ ନାୟକ ଲାଞ୍ଚ ନେଉଥିବା ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ୍ ଟିମ୍ ତାଙ୍କୁ ଗିରଫ କରିଥିଲେ। ଏନେଇ କେସ୍ ନମ୍ବର ୫ ଅନୁସାରେ ଏକ ମାମଲା ରୁଜୁ ସହ ତାଙ୍କଠୁ ଲାଞ୍ଚ ଟଙ୍କା ଜବତ ହୋଇଛି। ତିନିଟି ସ୍ଥାନରେ ଛାନ୍ଭିନ୍ ଜାରି ରହିଥିବା ସୂଚନା ମିଳିଛି।