ସାମାଜିକ ବାସନ୍ଦ: ୮ ଘଣ୍ଟା ପଡ଼ି ରହିଲା ଶବ

କେନ୍ଦୁଝର : ସାମାଜିକ ବାସନ୍ଦ କାରଣରୁ ଆଜି ଜଣେ ବୃଦ୍ଧଙ୍କର ଶବ ଦୀର୍ଘ ଆଠ ଘଣ୍ଟା ଧରି ଘରେ ପଡ଼ି ରହିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ସହରର ଧୋବାଡିହା ଅଞ୍ଚଳରେ। ଏଭଳି ଏକ ସ୍ପର୍ଶକାତର ଏବଂ ସମ୍ବେଦନଶୀଳ ଘଟଣା ସାଂସଦ ଚନ୍ଦ୍ରାଣୀ ମୁର୍ମୂଙ୍କ ଘର ସାମ୍ନାରେ ଘଟିଛି।

କେନ୍ଦୁଝର ସହର ଧୋବାଡିହାର ମଧୁସୂଦନ ମୁର୍ମୂଙ୍କ ବାପା ଯଦୁମଣି ମୁର୍ମୂ(୮୨)ଙ୍କର ସୋମବାର ମଧ୍ୟାହ୍ନ ୧୨ଟାରେ ବାର୍ଦ୍ଧକ୍ୟଜନିକ କାରଣରୁ ପରଲୋକ ଘଟିଥିଲା। ଯଦୁମଣିଙ୍କ ପରିବାର ସହିତ ଜମିଜମା ବିବାଦ ଘେନି ୨୦୧୩ ମସିହାରୁ ଗ୍ରାମବାସୀ ତାଙ୍କ ପରିବାରକୁ ଗାଁରୁ ବାସନ୍ଦ କରିଥିଲେ। ଏହି କାରଣ ପାଇଁ ପୂର୍ବରୁ କୌଣସି ପୂଜାପାର୍ବଣରେ ତାଙ୍କ ପରିବାରକୁ ସାମିଲ କରାଯାଉ ନଥିଲା। ତାଙ୍କ ଘରକୁ କେହି ଆସୁ ନଥିଲେ କି କେହି କାମ କାର୍ଯ୍ୟରେ ତାଙ୍କ ପରିବାରକୁ ସାମିଲ କରୁ ନଥିଲେ।

ସୋମବାର ମଧ୍ୟାହ୍ନ ୧୨ଟାରୁ ଯଦୁମଣିଙ୍କ ପରଲୋକ ଘଟିଥିଲେ ହେଁ ରାତି ୮ଟା ଯାଏ ତାଙ୍କ ଶବ ଉଠାଇ ଦେଇ ନଥିଲେ ଗ୍ରାମବାସୀ। ମୃତ ଦେହକୁ ଉଠାଇବାକୁ ହେଲେ ଗ୍ରାମାବସୀଙ୍କୁ ଦେଢ଼ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ବୋଲି ଦାବି କରିଥିଲେ। ଟଙ୍କା ଦେଲେ ଯାଇ ଶବ ଉଠାଇବାକୁ ସୁଯୋଗ ଦିଆଯିବ ବୋଲି ଗ୍ରାମବାସୀ ଅଡ଼ି ବସିଥିଲେ। ଏଭଳି ସ୍ଥିତିରେ ପରିବାର ଲୋକେ ଅଡୁଆରେ ପଡିଯାଇଥିଲେ। କ’ଣ କରିବେ କିଛି ବୁଦ୍ଧି ବାଟ ଦିଶି ନଥିଲା। ସେପେଟେ କୌଣସି ସୂତ୍ରରୁ ଖବର ପାଇବା ପରେ କେନ୍ଦୁଝର ଟାଉନ ଥାନା ପୁଲିସ ଏବଂ ମାଜିଷ୍ଟ୍ରେଟ୍ ପହଞ୍ଚି ଘଟଣା ସମ୍ପର୍କରେ ଛାନଭିନ୍ କରିଥିଲେ। ମାଜିଷ୍ଟ୍ରେଟ୍ ଓ ପୁଲିସ ଉପସ୍ଥିତିରେ ମହାପ୍ରୟାଣ ଗାଡ଼ିରେ ଯଦୁମଣିଙ୍କ ମୃତ ଦେହକୁ ଶେଷକୃତ୍ୟ ପାଇଁ ଗାଁରୁ ନିଆଯାଇଥିଲା। ପରିବାର ଲୋକେ ମୃତଦେହକୁ ନେଇ ନିଜ ଜମିରେ ଦାହସଂସ୍କାର କାର୍ଯ୍ୟ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର