ପଥର ଫୁଟାଇଲେ ଚୁଲି ଜଳିବା ଘଟଣା: ଲଛମାଙ୍କୁ ସହଯୋଗର ହାତ ବଢାଇଲେ ବିନୋଦ, ଦେଲେ ୫ ହଜାର ଟଙ୍କା

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକର ମାଝିଗୁଡା ଗ୍ରାମରେ ବାସ କରୁଥିବା ଲଛମା ମାଝିଙ୍କ ଦୁଃଖଦ କାହାଣୀ ସମ୍ବାଦରେ ପ୍ରକାଶ ପାଇବା ପରେ ସମାଜସେବୀ ବିନୋଦ ଟାଵରି ମାଝିଗୁଡା ପହଞ୍ଚି ଲଛମାଙ୍କୁ ସହଯୋଗ କରିଛନ୍ତି। ବିନୋଦଙ୍କ କହିବା ଅନୁଯାୟୀ ସେ ସମ୍ବାଦରେ ଲଛମାଙ୍କ ଦୁଃଖଦ କାହାଣୀ ପଢିବା ପରେ ତାଂକୁ ସାହାଯ୍ୟ କରିବା ପାଇଁ ଚିନ୍ତା କରିଥିଲେ। ସେ ତୁରନ୍ତ ତାଂକ ନିକଟରେ ପହଞ୍ଚି ୫ ହଜାର ଟଂକା ଦେବା ସହ ଏକ ମାସ ପାଇଁ ରାସନର ବ୍ୟବସ୍ଥା କରିଦେଇଥିଲେ। ଏଥିସହ ତାଂକର ମାନସିକ ଅଗ୍ରସର ପୁଅର ଚିକିତ୍ସା ପାଇଁ ମଧ୍ୟ ସେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ପ୍ରଶାସନ ପହଞ୍ଚିବା ପୂର୍ବରୁ ବିନୋଦ ଅସହାୟ,ଗରିବ ଏବଂ ନିଷ୍ପେସିତ ଲୋକଙ୍କ ନିକଟରେ ପହଞ୍ଚି ତାଂକୁ ଆର୍ଥିକ ଏବଂ ଅନ୍ୟାନ୍ୟ ସାହାଯ୍ୟ କରୁଥିବା ବେଳେ ଲଛମାଙ୍କୁ ମଧ୍ୟ ସେ ସହଯୋଗର ହାତ ବଢାଇଛନ୍ତି। ଲଛମା ବିନୋଦଙ୍କୁ ପାଖରେ ପାଇ ବେଶ ଖୁସି ଜାହିର କରିଥିଲେ।ତାଂକର ଏହି ସହଯୋଗ ପାଇଁ ସେ ତାଂକୁ ସବୁବେଳେ ମନେ ରଖିବେ ବୋଲି କହିଥିଲେ।ମାନବ ସେବା ହିଁ ମାଧବସେବାର ବ୍ରତ ନେଇ ବିନୋଦ ଜିଲ୍ଲାରେ ଅସହାୟ ଗରିବ ଲୋକଙ୍କୁ ସହଯୋଗ କରିଆସୁଛନ୍ତି। ତାଂକର ଏହି ମାନବିକତା ପାଇଁ ସେ ସବୁ ମହଲରେ ପ୍ରଶଂସିତ ହେଉଛନ୍ତି।

ଆଜିକା ଦିନରେ ଲୋକେ ନିଜର ସଂପର୍କୀୟଙ୍କୁ ସାହାଯ୍ୟ କରିବାକୁ ବାହାରୁନଥିବା ବେଳେ ଜଣେ ଅପରିଚିତ ବ୍ୟକ୍ତି ଅଚାନକ ପହଞ୍ଚି ସହଯୋଗ କରିବାକୁ ନେଇ ଲୋକେ ବିଶ୍ବାସ କରିପାରୁନାହାନ୍ତି। ପୁଣି ପ୍ରଶାସନ ଯେଉଁଠ  କାଗଜପତ୍ର ନଥିଲେ ସହଯୋଗ କରିପାରୁନାହିଁ ଏବଂ ବହୁ ନିୟମ କାନୁନ ଦେଖାଉଛି, ସେଠାରେ ବିନୋଦ କିନ୍ତୁ ବିନା କାଗଜପତ୍ରରେ ଲୋକଙ୍କ ନିକଟରେ ପହଞ୍ଚି ତାଂକର ଦୁଃଖ ଶୁଣି ସହଯୋଗ କରୁଛନ୍ତି। ତାଂକର ଏହି ମହାନ କାମ ଏଭଳି ଜାରି ରହୁ ବୋଲି ସାଧାରଣରେ କୁହାଯାଇଛି।

ମାଝିଗୁଡା ଗ୍ରାମରେ ଲଛମାଙ୍କର ଏକ ସୁଖି ପରିବାର ଥିଲା। କିନ୍ତୁ ସ୍ୱାମୀ କୌଣସି ଏକ ଅଜଣା ରୋଗରେ ମୃତ୍ୟୁବରଣ କରିବା ପରେ ପୁଅ ଝିଅଙ୍କୁ ନେଇ ବଂଚିବାର ସଂଘର୍ଷ ଜାରି ରଖିଲେ ଲଛମା। ସେ ଦିନ ତମାମ ଫଥର ଫଟାଇ ଯାହା ରୋଜଗାର କରନ୍ତି ସେତିକିରେ ତିନି ପ୍ରାଣୀ କୁଟୁମ୍ବ ଚଳିଯାଏ।

ଝିଅ ଅନ୍ୟତ୍ର ବାହା ହୋଇ ଚାଲିଯିବା ପରେ ଏବେ ଲଛମା ଓ ତାଂକ ମାନସିକ ଅଗ୍ରସର ପୁଅ ସହଦେବ ଘରେ ରହୁଛନ୍ତି। ନିଜର ବୋଲି ଗୋଟିଏ ଛୋଟିଆ କୁଡିଆ ଘର। ସ୍ୱାମୀ ଥିଲାବେଳେ ଝାଟିମାଟିରେ ଏହି କୁଡିଆ ଘର ତିଆରି କରିଦେଇଥିଲେ। ଏବେ ଏହା ଭଙ୍ଗା ଦଦରା ପାଲଟିଯାଇଛି। ପୁଅର ମାନସିକ ସ୍ଥିତି ଖରାପ ଥିବା ବେଳେ ତାକୁ ଡାକ୍ତରଖାନା ନେଇ ଚିକିତ୍ସା କରାଇପାରୁ ନାହାନ୍ତି ଲଛମା। ଦୁଇ ବେଳା ଭାତ ମୁଠାଏ ପାଇଁ ଅହରହ ପରିଶ୍ରମ କରୁଥିବା ଲଛମା ପୁଅ ସହଦେବର ଚିକିତ୍ସା ପାଇଁ କେଉଁଠୁ ଅର୍ଥ ଯୋଗାଡ କରିବେ ବୋଲି କହିଥିଲେ।

ପ୍ରତିଦିନ ଲଛମା ସକାଳୁ ଉଠି ନିକଟସ୍ଥ ଝରଣା ନିକଟରେ ପହଞ୍ଚି ପଥର ଫଟାଇ ଚିପସ୍‌ ତିଆରି କରିଥାନ୍ତି। ଗୋଟିଏ ଡବା ଚିପସ ତିଆରି କଲେ ମାତ୍ର ୩୦ ଟଙ୍କା ହିଁ ମିଳେ। ବଳ ଥିବା ପର୍ଯ୍ୟନ୍ତ ସେ ପଥର ଫଟାଇବେ, ତାପରେ ବୟସ ଗଡିଗଲେ କଣ କରିବେ ଚିନ୍ତାରେ ପଡିଛନ୍ତି। ଗ୍ରାମରୁ ପ୍ରାୟ ତିନି କିଲୋମିଟର ଯାଇ ବଡ ବଡ ପଥକୁ ଛୋଟ ଛୋଟ ପଥର ଖଣ୍ଡ କରିବା କେତେ ଯେ କଷ୍ଟକର ଜଣେ ପୁରୁଷକୁ ପଚାରିଲେ ସେ ହିଁ କହିପାରିବେ। ଜଣେ ମହିଳା ହୋଇ ପଥର ଫୁଟାଇବା ଦୃଶ୍ୟ ଯେ କେହି ବି ଦେଖିବ ଆଶ୍ଚର୍ଯ୍ୟ ହୋଇଯିବ। ବଡ ବଡ ପଥରଗୁଡିକକୁ କିଛି ଘଣ୍ଟା ମଧ୍ୟରେ ଗୁଣ୍ଡ କରିଦିଅନ୍ତି ଲଛମା। ଦିନକୁ ଗୋଟିଏ କିମ୍ବା ଅତି ବେଶୀ ହେଲେ ଦୁଇଟି ଡବା ଚିପସ୍‌ ତିଆରି କରିପାରନ୍ତି। ଅର୍ଥାତ ଦିନକୁ ତିରିଶିରୁ ଷାଠିଏ ଟଂକା ପର୍ଯ୍ୟନ୍ତ ହିଁ ରୋଜଗାର କରିପାରିନ୍ତି।

ସବୁଠାରୁ ବିଡମ୍ବନାର ବିଷୟ ଯେ ୫ ବର୍ଷ ତଳେ ସେ ବିଧବା ହୋଇଥିଲେ ମଧ୍ୟ ତାଂକୁ ଆଜି ପର୍ଯ୍ୟନ୍ତ ବିଧବା ଭତ୍ତା ମିଳିପାରିଲା ନାହିଁ। ଏପରିକି ସରକାରଙ୍କର ପ୍ରଧାନମନ୍ତ୍ରୀ ପକ୍କା ଘର ଯୋଜନାରେ ମଧ୍ୟ ତାଂକୁ ସାମିଲ କରାଯାଇପାରିଲା ନାହିଁ। ସେହିପରି ଏନଏଫବିଏସ ଯୋଜନାରେ ମଧ୍ୟ ତାଂକୁ ଟଂକାଟିଏ ମିଳିନଥିବା ସେ କ୍ଷୋଭର ସହ ପ୍ରକାଶ କରିଥିଲେ। ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରୁଥିଲେ ମଧ୍ୟ କେହି ତାଂକ କଥା ଶୁଣୁନଥିବା କହିଥିଲେ। ତାଂକ ନିକଟରେ ଟଂକା ନଥିବାରୁ ହୁଏତ ତାଂକୁ ସାହାଯ୍ୟ କରାଯାଉନଥିବା ସେ କହିଥିଲେ। ତୁରନ୍ତ ତାଂକୁ ଭତ୍ତା ଓ ପକ୍କା ଘର ଯୋଗାଇ ଦେବାକୁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର