ମାଲକାନଗିରିର କାର ଛତିଶଗଡ଼ରେ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍‌ ଆରୋହୀ ମୃତ

ମାଲକାନଗିରି: ଜିଲ୍ଲାର ବରିଷ୍ଠ ସମାଜସେବୀ ବିନୋଦ ଟାଓ୍ଵରୀଙ୍କ କାର (ଓଡି ୦୨ ଏଏମ୍‌ ୨୪୩୨)ଛତିଶଗଡ଼ରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ସୋମବାର ଅପରାହ୍‌ଣ ସାଢ଼େ ୩ଟାରେ ୩୦ ନମ୍ବର ଜାତୀୟ ରାଜପଥର ଧମତରୀ ଜିଲ୍ଲା ବାଲୋଦଗହନ ନିକଟରେ ହୋଇଥିବା ଦୁର୍ଘଟଣାରେ ୨ ଜଣ ବାଇକ୍‌ (ସିଜି ୦୫ ଏଜେ ୪୧୯୮) ଆରୋହୀଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଧମତରୀ ଜିଲ୍ଲା ତେଲୀନସତୀ ନିବାସୀ ପ୍ରବୀଣ ଧ୍ରୁବ (୨୨) ଓ ଖିଳେଶ ଧ୍ରୁବ (୨୨)। ତେବେ ବିନୋଦ ଦୁର୍ଘଟଣାରେ ଗୁରୁତର ହୋଇଥିବାରୁ ତାଙ୍କୁ ରାୟପୁରସ୍ଥିତ ଏକ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ବିନୋଦ ସୋମବାର ନିଜର କୌଣସି ବ୍ୟକ୍ତିଗତ କାମ ପାଇଁ ରାୟପୁର ଯାଇଥିଲେ। ଅପରାହ୍‌ଣରେ ସେ କାମ ସାରି ମାଲକାନଗିରି ଫେରୁଥିବା ବେଳେ ବାଲୋଦଗହନ ନିକଟରେ ବିପରୀତ ପାର୍ଶ୍ୱରୁ ଆସୁଥିବା ଏକ ବାଇକ୍‌ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ୍‌ରେ ବସିଥିବା ଦୁଇ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିନୋଦଙ୍କୁ ଉଦ୍ଧାର କରି ରାୟପୁର ସ୍ଥାନାନ୍ତରିତ କରିଥିଲା। ତେବେ ବିନୋଦ ରାୟପୁର ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ସେ ସୁସ୍ଥ ଥିବା ନେଇ ଡାକ୍ତର ପ୍ରକାଶ କରିଛନ୍ତି। ଏନେଇ ବିନୋଦଙ୍କ ସହ ଫୋନ ଯୋଗେ କଥାବାର୍ତ୍ତା ହେବାରୁ ସେ ସାମ୍ନା ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍‌ ସହିତ ଧକ୍କା ହୋଇଥଲା ବୋଲି କହିଛନ୍ତି। ଦୁର୍ଘଟଣା ସମୟରେ ସେ ନିଜେ ଗାଡି ଚଲାଉଥିଲେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର