ସମାଜସେବୀ ଶଶିରଂଜନ ପଟ୍ଟନାୟକଙ୍କ ପରଲୋକ

ଆନନ୍ଦପୁର : ଆନନ୍ଦପୁରର ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ଫୁଟ୍‌ବଲ୍‌ ଖେଳାଳି ଶଶିରଂଜନ ପଟ୍ଟନାୟକ (୭୧)ଙ୍କ ପରଲୋକ ଘଟିଛି। ଗତକାଲି ରାତିରେ ସେ ଖାଇ ସାରିବା ପରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ରାତି ସାଢ଼େ ୧୨ଟାବେଳେ ଆନନ୍ଦପୁରସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିଲା। ମୃତ୍ୟୁାଶଯ୍ୟା ନିକଟରେ ପତ୍ନୀ ସଞ୍ଜୁଲତା ପଟ୍ଟନାୟକ ଉପସ୍ଥିତ ଥିଲେ। ଖବରପାଇ ଏକମାତ୍ର ପୁତ୍ର ସତ୍ୟଜିତ ପଟ୍ଟନାୟକ, ଭାଇ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଶିଷ୍ଟ ଶିଳ୍ପପତି ତାରାରଞ୍ଜନ ପଟ୍ଟନାୟକ, ‘ସମ୍ବାଦ’ ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ମନୋରଞ୍ଜନ ପଟ୍ଟନାୟକ, ପ୍ରଭାରଞ୍ଜନ ପଟ୍ଟନାୟକ, ମହିରଞ୍ଜନ ପଟ୍ଟନାୟକ, ରବିରଞ୍ଜନ ପଟ୍ଟନାୟକ, ନବରଞ୍ଜନ ପଟ୍ଟନାୟକ, ଜ୍ଞାନରଞ୍ଜନ ପଟ୍ଟନାୟକ, ହରିରଞ୍ଜନ ପଟ୍ଟନାୟକ, ସୁରଞ୍ଜନ ପଟ୍ଟନାୟକ ଓ ଆତ୍ମୀୟସ୍ବଜନ ପହଞ୍ଚିଥିଲେ।

ତାଙ୍କ ପରଲୋକ ଖବର ପାଇ ଆନନ୍ଦପୁର ପୌର ଉପାଧ୍ୟକ୍ଷ ଦୁର୍ଗାଚରଣ ଦଳେଇ, ପୂର୍ବତନ ଉପାଧ୍ୟକ୍ଷ ସୁଶୀଲ ହୋତା, ସୁରେଶ ସାହୁ, ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ ରାମ, ବିଜେପି ନେତା ଭଗବାନ ସାହୁ, ରାମଚନ୍ଦ୍ର ସାହୁ, ବିଜେଡି ନେତା ଦେବପ୍ରିୟ ପାତ୍ର, ସତ୍ୟାନନ୍ଦ ମିଶ୍ର, ଦେବରଂଜନ ସାହୁ, ଗୁରୁଗୋବିନ୍ଦ ପଟ୍ଟନାୟକ, ଅଭିନ୍ନ ମହାପାତ୍ର, ଦିଲୀପ ସିଂହ, ପ୍ରସନ୍ନ ମିଶ୍ର, ବିରଜା ପ୍ରସାଦ ନାୟକ, ଅଶୋକ ସାହୁ, ଦେବବ୍ରତ କରନ, ବାପି ମିଶ୍ର, ବିଜୟ ମିଶ୍ର, ଆନନ୍ଦପୁର ‘ସମ୍ବାଦ ପ୍ରତିନିଧି ଶତ୍ରୁଘ୍ନ ସାହୁ, ସାମ୍ବାଦିକ ରବୀନ୍ଦ୍ର ରାଜ, ମୁନା ସିଂହ, ମଦନ ପାଣି, ନିରାକାର ଦଳେଇ, କିରଣ ପାଢ଼ୀ ପ୍ରମୁଖ ବାସଭବନରେ ପହଞ୍ଚି ଶେଷଦର୍ଶନ କରିଥିଲେ। ଆଜି ମଧ୍ୟାହ୍ନ ସାଢ଼େ ୧୨ଟାବେଳେ ମୃତଦେହକୁ ଏକ ଶୋଭାଯାତ୍ରାରେ ନିଆଯାଇ ବୈତରଣୀ ନଦୀ କୂଳରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ପୁଅ ସତ୍ୟଜିତ ମୁଖାଗ୍ନି ଦେଇଥିଲେ।

ସ୍ବର୍ଗତ ପଟ୍ଟନାୟକ ଜଣେ ଦକ୍ଷ ଫୁଟ୍‌ବଲ୍‌ ଖେଳାଳି ଭାବେ ପରିଚିତ ଥିଲେ। ଆନନ୍ଦପୁର ପୌରପରିଷଦର କାଉନସିଲର ଓ ଆନନ୍ଦପୁର ସେବା ସମବାୟ ସମିତିର ସଭାପତି ଦାୟିତ୍ବ ତୁଲାଇଥିଲେ। ସେ ଆନନ୍ଦପୁରର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ‌ଗଭୀର ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର