ଭୁବନେଶ୍ବର : ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଦେଶବ୍ୟାପୀ ‘ଭାରତ ଯୋଡ଼ୋ’ ଯାତ୍ରା ଜାରି ରହିଛି। ଏହି ଯାତ୍ରାରେ ବୁଦ୍ଧିଜୀବୀ, ସାମାଜିକ କର୍ମୀ, ଲେଖକ ଓ ବିଭିନ୍ନ ବର୍ଗର ଲୋକମାନେ ଯୋଡ଼ି ହେଉଛନ୍ତି। ଗତକାଲି ରାଜ୍ୟର ବହୁ ବୁଦ୍ଧିଜୀବୀ, ଲେଖକ, ସାମାଜିକ କର୍ମୀ, ପୂର୍ବତନ ପ୍ରଶାସକ, କଳାକାର ଏହା ସହିତ ଯୋଡ଼ି ହୋଇଛନ୍ତି।
ରେଡକ୍ରସ ଭବନରେ ଅନୁଷ୍ଠିତ ସମ୍ମିଳନୀରେ ବରିଷ୍ଠ ସାମ୍ବାଦିକ ରବି ଦାସଙ୍କ ସଭାପତିତ୍ୱ କରିଥିଲେ। ଏଥିରେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ଯୋଗଦେଇ କହିଲେ, ଦେଶର ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଦୂରବସ୍ଥା ସମୟରେ ସାମାଜିକ କର୍ମୀ ଓ ବୁଦ୍ଧିଜୀବୀମାନେ ନିରବ ରହୁନ୍ତୁ ନାହିଁ। ଆରଏସ୍ଏସ୍ ଓ ବିଜେପିର ଜନବିରୋଧୀ ନୀତି, ସମ୍ବିଧାନ ପ୍ରତି ଅସମ୍ମାନ, ଦରଦାମ ଓ ବେକାରିକୁ ନିୟନ୍ତ୍ରଣ କରିବାରେ ବିଫଳତା ବିରୋଧରେ ସେମାନେ ସ୍ୱର ଉତ୍ତୋଳନ କରନ୍ତୁ। ଦଳର ଜାତୀୟ ପ୍ରବକ୍ତା ଜୟରାମ ରମେଶ କହିଥିଲେ, କେନ୍ଦ୍ରର ବିଜେପି ଦେଶକୁ ଘୃଣା ଓ ବିଦ୍ୱେଷ ଭିତରକୁ ନେଇ ଯାଉଛି। ଧନୀ ଓ ଗରିବ ଭିତରେ ପାର୍ଥକ୍ୟ ବଢ଼ି ବଢ଼ି ଚାଲିଛି। ‘ଭାରତ ଯୋଡ଼ୋ’ ଯାତ୍ରା ମାଧ୍ୟମରେ ଦେଶବାସୀଙ୍କୁ ଯୋଡ଼ିବା ହେଉଛି ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ରମେଶ କହିଥିଲେ। ପିସିସି ସଭାପତି ଶରତ ପଟ୍ଟନାୟକ କହିଥିଲେ, ଓଡ଼ିଶାରେ ବିଜେଡି ଓ କେନ୍ଦ୍ରର ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ। ଏହି ଦୁଇ ଶକ୍ତିକୁ ପରାସ୍ତ କରିବା ପାଇଁ ଓଡ଼ିଶାର ବୁଦ୍ଧିଜୀବୀ ଓ ସାମାଜିକ କର୍ମୀମାନଙ୍କୁ ସେ ନିବେଦନ କରିଥିଲେ। ବିଶିଷ୍ଟ ସାମାଜିକ କର୍ମୀ ଅରୁଣା ରାୟ କହିଲେ, ବିଭେଦକାରୀ ଓ ସାମ୍ପ୍ରଦାୟିକ ଶକ୍ତି ଦେଶ ପାଇଁ ବିପଦ। ଏହା ବିରୋଧରେ ସମସ୍ତେ ଏକାଠି ହେବା ଜରୁରୀ।
ପୂର୍ବତନ ବିଚାରପତି ମନୋରଞ୍ଜନ ମହାନ୍ତି, ପୂର୍ବତନ ପ୍ରଶାସକ ଅରବିନ୍ଦ ବେହେରା, କଂଗ୍ରେସ ନେତା ଗଣେଶ୍ୱର ବେହେରା, ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିନୟ ରଥ, ଗାନ୍ଧୀ ଯୁବ ଫାଉଣ୍ଡେସନ ଅଧ୍ୟକ୍ଷ ବିଶ୍ୱଜିତ ରାୟ, ପ୍ରଫେସର ବିଜୟ ବହିଦାର, ପ୍ରଫେସର ଖାରବେଳ ମହାନ୍ତି, ପ୍ରଫେସର ଅମିୟ ମହାନ୍ତି, ପ୍ରଫେସର ବସନ୍ତ ମଲ୍ଲିକ, ମଧୁମିତା ରାୟ, ପ୍ରଦୀପ ପ୍ରଧାନ, ନଟବର ଖୁଂଟିଆ, କେଦାର ମିଶ୍ର, ବିଦ୍ୟୁତ ମହାନ୍ତି, ଦେବୀ ପୃଷ୍ଟି, ମନୋଜ ପ୍ରଧାନ ପ୍ରମୁଖ ଏଥିରେ ଯୋଗଦେଇ ନିଜ ନିଜର ମତ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ସହିତ ବିସ୍ମୟ ମହାପାତ୍ର, ଅମିୟ ପାଣ୍ଡବ ଓ ସୁଦର୍ଶନ ଦାସ ପରିଚାଳନା କରିଥିଲେ।