ସୁନ୍ଦରଗଡ଼: ଅଲୋଡ଼ା ଶବର ଦାହ ସଂସ୍କାର କଲେ ସମାଜସେବୀ

ସୁନ୍ଦରଗଡ଼: ଏକ ଅଭାବନୀୟ ଘଟଣାକ୍ରମରେ ସୁନ୍ଦରଗଡ଼ର ଜନଗହଳିପୂର୍ଣ୍ଣ ବିଜୟ ଟକିଜ ରୋଡରେ ଅଲୋଡ଼ା ହୋଇ ୯ ଘଣ୍ଟା ଧରି ଜଣେ ଯୁବକଙ୍କ ମୃତ ଦେହ  ପଡ଼ି ରହିଥିଲା। ସମାଜସେବୀ ସିଦ୍ଧାନ୍ତ କୁମାର ପଣ୍ଡା ଓ ତାଙ୍କ ସହଯୋଗୀ ଶିଶିର ବେହେରା ଓ କମଳେଶ ନଥାନି ଯୁବକଙ୍କ ମୃତ ଦେହକୁ ଉଦ୍ଧାର କରି  ନିଜ ଆତ୍ମୀୟ ଭଳି ଦାହ ସଂସ୍କାର ସାରିଛନ୍ତି। ଏହା  ପୁଣି ଥରେ ୩ ବନ୍ଧୁଙ୍କୁ ଚର୍ଚ୍ଚିତ କରିଛି।

ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ସୁନ୍ଦରଗଡ଼ ସହରର  ଜନଗହଳିପୂର୍ଣ୍ଣ ବିଜୟା ଟକିଜ ରୋଡରେ ଥିବା ଛବି ହୋଟେଲ ସାମ୍ନାରେ ଯୁବକଜଣକ ସେଠାକୁ ଆସି ଟଳି ପଡ଼ିଥିଲେ। ଛିଣ୍ଡାପୋଷାକ, ମଳିମକଚିଆ ଦେହୀ ଯୁବକଙ୍କ ଉପରେ ସମସ୍ତଙ୍କ ନଜର ପଡ଼ୁଥିଲେ ବି କେହି ପାଖକୁ ଯାଇ ନଥିଲେ। ଏପରିକି ପୁଲିସ କି ଆମ୍ବୁଲାନ୍ସକୁ ଖବର ଦେବାକୁ ବି କାହା ପାଖରେ ସମୟ ନଥିଲା। ୯ ଘଣ୍ଟା ସେମିତି ପଡ଼ି ରହିବା ପରେ କେହି ଜଣେ ସମାଜସେବୀ ସିଦ୍ଧାନ୍ତ କୁମାର ପଣ୍ଡାଙ୍କୁ ସୂଚନା ଦେଇଥିଲେ। ସୂଚନା ପାଇବା କ୍ଷଣି ଘଟଣାସ୍ଥଳକୁ ଛୁଟି ଆସିଥିଲେ ଶ୍ରୀ ପଣ୍ଡାଙ୍କ ସମେତ  ଶିଶିର ବେହେରା ଓ କମଳେଶ ନଥାନି। ଯୁବକ ମରି ପଡ଼ିଥିବା ଜାଣିବା ପରେ ଟାଉନଥାନା ପୁଲିସକୁ ଖବର ଦେଇଥିଲେ। ରାତିରେ ପୁଲିସ ଶ୍ରୀ ପଣ୍ଡା ଓ ତାଙ୍କ ଅନ୍ୟ ଦୁଇ ସାଥୀଙ୍କ ସହାୟତାରେ ଶବକୁ ଉଦ୍ଧାର କରି ସୁନ୍ଦରଗଡ଼ ଡାକ୍ତରଖାନାକୁ ନେଇ ମର୍ଗ ହାଉସରେ ରଖିଥିଲା। ୭୨ ଘଣ୍ଟା ପରେ ଆଜି ଶବ ବ୍ୟବଚ୍ଛେଦ ହୋଇଥିଲା। ଏହା ପରେ ୪ ସାଥୀ ଶବକୁ ମଶାଣିକୁ ନେଇ ସତ୍କାର କରିଥିଲେ। ଏହା ମଧ୍ୟରେ ୪ ବନ୍ଧୁ ଏପରି ଅଜଣା, କୋଭିଡ ସଂକ୍ରମଣରେ ମୃତ ବ୍ୟକ୍ତିଙ୍କ ଶବ ସମେତ ୫ ଶହରୁ ଅଧିକ ଶବକୁ ଦାହ ସଂସ୍କାର କରି ଚର୍ଚ୍ଚାରେ ରହିଛନ୍ତି।  ପ୍ରଶାସନ ଏମାନଙ୍କୁ କୋଭିଡ ଯୋଦ୍ଧାର ମାନ୍ୟତା ଦେଇ ସମ୍ମାନିତ କରି ଉତ୍ସାହିତ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର