ବନ୍ତଳା : ଜଣେ ମେଧାବୀ ଛାତ୍ର ଭାବେ ଏକଦା ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ଏବେ ଗାଈଆଳ ଓ ଶ୍ରମିକ। ସେ ପୁଣି ଜଣେ ସଫ୍ଟୱେର୍ ଇଂଜିନିୟର୍। ମାସିକ ୪୦ ହଜାର ଟଙ୍କା ଦରମା ପାଉଥିଲେ। ସବୁକିଛି ଓଲଟପାଲଟ କରିଦେଇଛି କରୋନା। ନିଯୁକ୍ତି ମିଳୁ ନଥିବାରୁ ଗାଈ ଚରାଇ ଓ ମୂଲ ଲାଗି ସେ ଏବେ ପେଟ ପୋଷୁଛନ୍ତି। ଏହି ଯନ୍ତ୍ରୀ ଜଣକ ହେଉଛନ୍ତି ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ଟିକରପଡ଼ା ପଞ୍ଚାୟତ ବେହେରାସାହିର ଶଶାଙ୍କ ଶେଖର ଦେହୁରୀ। ଶଶାଙ୍କ ମୁଣ୍ଡରେ ତାଳବରଡ଼ାର ଝାମ୍ପି ପିନ୍ଧି ହାତରେ ବାଡ଼ି ଧରି ଗୋରୁ ଚରାଇବାବେଳେ ସ୍ଥାନୀୟ ‘ସମ୍ବାଦ’ ପ୍ରତିନିଧିଙ୍କୁ ନିଜ ଜୀବନ କାହାଣୀ ବଖାଣିଥିଲେ।
ଶଶାଙ୍କଙ୍କର ବୟସ ଏବେ ୪୩ ବର୍ଷ। ପିଲାଦିନରୁ ସେ ଥିଲେ ମେଧାବୀ। ଗାଁଠାରୁ ଦୂରରେ ରହି ପାଠ ପଢ଼ିଥିଲେ। ୧୯୮୯ ମସିହାରେ ନବୋଦୟ ବିଦ୍ୟାଳୟ ଦ୍ବାଦଶଶ୍ରେଣୀ ପରୀକ୍ଷାରେ ସେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲା(ଅନୁଗୁଳ ଓ ଢେଙ୍କାନାଳ)ରେ ଟପ୍ପର ହୋଇଥିଲେ। ଏହାପରେ ୧୯୯୬ ରୁ ୧୯୯୯ ପର୍ଯ୍ୟନ୍ତ ସେ ଅନୁଗୁଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ସମ୍ମାନ ସହ ସ୍ନାତକ ଶ୍ରେଣୀରେ ପଢ଼ିଥିଲେ। ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ୨୦୦୨ ରୁ ୨୦୦୫ ପର୍ଯ୍ୟନ୍ତ ସେ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ଇଂଜିନିୟରିଂ କଲେଜରେ ଏମ୍ସିଏ ପଢିଥିଲେ। ଏହାପରେ ୨୦୧୧ ରୁ ୨୦୧୬ ମସିହା ପର୍ଯ୍ୟନ୍ତ ବାଙ୍ଗାଲୋରର ‘ଆଇଗେଟ୍ କମ୍ପାନି’ରେ ସଫ୍ଟୱେର ଇଂଜିନିୟର ଭାବରେ ମାସିକ ୪୦ ହଜାର ଟଙ୍କା ଦରମାରେ କାର୍ଯ୍ୟ କରିଥିଲେ। ସେଠାରେ ନିଜର ବ୍ୟକ୍ତିଗତ ସମସ୍ୟା ଯୋଗୁଁ ଭୁବନେଶ୍ବର ଫେରିଥିଲେ। ଭୁବନେଶ୍ୱରରେ ଏକ କମ୍ପାନିରେ କାର୍ଯ୍ୟ କରିବା ସମୟରେ କରୋନା ଯୋଗୁଁ ଦେଶ ଲକ୍ଡାଉନ୍ ହେଲା। ତେଣୁ ଗତ ମାର୍ଚ୍ଚ ମାସରେ ସେ ଟିକରପଡ଼ା ଅଞ୍ଚଳକୁ ଫେରିଆସିଲେ। ପୂର୍ବରୁ ନିଜ ପରିବାର ସହିତ ତାଙ୍କର ସାମାନ୍ୟ ମନୋମାଳିନ୍ୟ ଥିଲା। ତେଣୁ ସେ ଘରକୁ ନଫେରି ଏହି ପଞ୍ଚାୟତ ମଝିପଡ଼ା ଗାଁରେ ବନ ସୁରକ୍ଷା ସମିତି ଘରେ ରହୁଛନ୍ତି। ମଝିପଡ଼ା ଗ୍ରାମବାସୀଙ୍କର ଗୋରୁ ଚରାଇବା ସହ ବନ ବିଭାଗ ପକ୍ଷରୁ ମନରେଗା ଯୋଜନାରେ ହେଉଥିବା କାର୍ଯ୍ୟରେ ଶ୍ରମିକ ରୂପେ କାମକରି ଦୈନିକ ୨୦୭ ଟଙ୍କା ମଜୁରି ପାଉଛନ୍ତି। ଏବେ ମଧ୍ୟ ଚାକିରି ପାଇଁ ସେ ଉଦ୍ୟମ ଚଳାଇଛନ୍ତି। କିନ୍ତୁ ଚାକିରି ମିଳିନାହିଁ। ଏ ପର୍ଯ୍ୟନ୍ତ ଶଶାଙ୍କ ବିବାହ କରିନାହାନ୍ତି। ତେବେ କର୍ମପ୍ରତି ତାଙ୍କର କୁଣ୍ଠା ବା ଅସମ୍ମାନବୋଧ ନାହିଁ। ଶଶାଙ୍କ କହିଛନ୍ତି ‘କୌଣସି କାମ ଛୋଟ ନୁହେଁ। ପେଟ ପୋଷିବା ପାଇଁ କିଛି କାମକରି ରୋଜଗାର କରିବା ଦରକାର।’ ସଫ୍ଟୱେର ଇଂଜିନିୟର ଶଶାଙ୍କଙ୍କ ଏପରି ଚିନ୍ତାଧାରା ଓ କାର୍ଯ୍ୟ ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଛି।