ଫସଲ ବୀମା ଦାବିରେ ୧୮ରେ ସୋହେଲା ବନ୍ଦ

ସୋହେଲା: ୨୦୨୧ ଖରିଫରେ ବର୍ଷା ଅଭାବରୁ ଧାନ ଫସଲ ମରୁଡ଼ି ହୋଇ ଅଂଚଳର ଚାଷୀକୁଳ ବ୍ୟାପକ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଥିଲେ। ଚାଷୀମାନେ ଫସଲହାନୀ କ୍ଷତିପୂରଣ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ସାମିଲ ହୋଇ ଆବଶ୍ୟକ ବୀମା ପ୍ରିମିଅମ ଟଙ୍କା ପଇଠ କରିଥିଲେ। କିନ୍ତୁ ଦୀର୍ଘ ଏକବର୍ଷରୁ ଅଧିକ ସମୟ ବିତିଯିବା ସତ୍ୱେ କ୍ଷତିପୂରଣ ପ୍ରଦାନରେ ବୀମା କଂପାନି ଟାଳଟୁଳ ନୀତି ଅବଲମ୍ବନ କରୁଛି। ବୀମାରାଶି ପ୍ରଦାନ ଦାବିରେ ଚାଷୀମାନଙ୍କ ଦ୍ୱାରା ବାରମ୍ବାର ଆନ୍ଦୋଳନ, ଧାରଣା , ରାସ୍ତାରୋକ କରିବା ସତ୍ୱେ କୌଣସି ସୁଫଳ ମିଳୁନାହିଁ। ବୀମା କମ୍ପାନି ଓ ସରକାରଙ୍କ ଏପରି ମନୋବୃତ୍ତିର ପ୍ରତିବାଦରେ ବରଗଡ଼ ଜିଲ୍ଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡର ଚାଷୀମାନେ ସଂଗଠିତ ହୋଇ ଆସନ୍ତା ୧୮ତାରିଖ ଦିନ ଆନ୍ଦୋଳନ କରିବାର ନିଷ୍ପତ୍ତି ନେଇଛନ୍ତି।

ଏହି କ୍ରମରେ ଆଜି ସୋହେଲା କୃଷକ ବିକାଶ ମଂଚର କାର୍ଯ୍ୟକାରୀ ସଭାପତି ମନୋହର ମାଝୀଙ୍କ ନେତୃତ୍ୱରେ ଅନ୍ତର୍ଯ୍ୟାମୀ ପାତ୍ର, ଲକ୍ଷ୍ମଣ ପ୍ରଧାନ, ମନୋହର ସାହୁ, ଶ୍ରୀକାନ୍ତ ସେନାପତି, ନୀଳକଣ୍ଠ ସେନାପତି ପ୍ରମୁଖ ବହୁ ଚାଷୀ ସ୍ଥାନୀୟ ତହସିଲ କାର୍ଯ୍ୟାଳୟକୁ ଯାଇ ତହସିଲଦାରଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ଅଂଶୁମାନ ଷଡ଼ଙ୍ଗୀଙ୍କୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବୀମା ଟଙ୍କା ପ୍ରଦାନ କରାନଗଲେ ଆସନ୍ତା ୧୮ ତାରିଖ ସୋମବାର ଦିନ ସୋହେଲାରେ ସମସ୍ତ ଦୋକାନ ବଜାର, ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ବନ୍ଦ କରାଯିବା ସହିତ ସମସ୍ତ ରାସ୍ତା ଅବରୋଧ କରି ଆନ୍ଦୋଳନ କରାଯିବା ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର