ଦୁର୍ନୀତିର ଅନ୍ତୁଡିଶାଳ ସାଜିଛି ମୃତ୍ତିକା ସଂରକ୍ଷଣ ବିଭାଗ : ଲାଗିଛି ୬୭ ହଜାର ନଡ଼ିଆ ଗଛ, ବଞ୍ଚିଛି ହଜାରେ
ମନରେଗାକୁ କାମକୁ କରୁଛି ବାଟବଣା
ପୁରୀ : ସରକାରଙ୍କ ମହତ ଯୋଜନା ଏବେ ଗ୍ରାମାଞ୍ଚଳରେ ବାଟବଣା ହୋଇଛି। ଲୋକଙ୍କୁ ନିଶ୍ଚିତ କର୍ମନିଯୁକ୍ତି ଦେବା ଓ କାର୍ଯ୍ୟ ଦିବସ ସୃଷ୍ଟି କରିବାକୁ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ହଜାର ହଜାର କୋଟିର ବ୍ୟୟବରାଦ କରୁଛନ୍ତି। ମାତ୍ର ଏ ଅର୍ଥ କେବଳ ଶ୍ରାଦ୍ଧ କରାଯାଉଛି। ମିଛ ମଷ୍ଟର୍ ରୋଲ୍, ମିଥ୍ୟା କର୍ମଦିବସ ସୃଷ୍ଟି କରାଯାଉଛି। ପୁରୀ ଜିଲ୍ଲାରେ ମୃତ୍ତିକା ସଂରକ୍ଷଣ ବିଭାଗ ଏବେ ଦୁର୍ନୀତିର ଅନ୍ତୁଡିଶାଳ ସାଜିଛି। ଏହି ବିଭାଗ ଅଧୀନରେ ଚାଲିଥିବା କାମରେ ଆଖିବୁଜା ଦୁର୍ନୀତି ହେଉଛି। ଜିଲ୍ଲାରେ ନଡ଼ିଆ ଚାରାରୋପଣରେ ଭୟଙ୍କର ଦୁର୍ନୀତି ସାମ୍ନାକୁ ଆସିଛି। ବାଡ଼ ବୁଲିଛି, ନଡ଼ିଆ ଗଛ ଲାଗିଛି ବୋଲି ଦର୍ଶାଯାଇଛି। ଅଥଚ ବାଡ଼ ଭିତରେ ଗଛ ନାହିଁ। ମାତ୍ର ସେହି ଗଛରେ ପାଣି ମଡ଼ା ଯାଉଛି। ଏ ଦୁର୍ନୀତିକୁ ନେଇ ଅଭିଯୋଗ କରୁଥବା ସାମାଜିକ କର୍ମୀଙ୍କୁ ଜିଲ୍ଲାର ବରିଷ୍ଠ ଅଧିକାରୀ ପାଲଟା ନାଲିଆଖି ଦେଖାଉଛନ୍ତି।
ଫନି ବାତ୍ୟା ପରେ ପୁରୀ ଜିଲ୍ଲାରେ ଲାଗିଥିବା ନଡ଼ିଆ ଚାରା ରୋପଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକ୍ରୁ ଏଭଳି ଅଭିଯୋଗ ଆସିଛି। ପୁରୀ ଜିଲ୍ଲା ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ପ୍ରାୟ ୫୦୦ କିଲୋମିଟର ନଡ଼ିଆ ଚାରାରୋପଣ କରାଯାଇଥିବା କୁହାଯାଇଛି। ୧ କିଲୋମିଟରରେ ୧୩୪ ନଡ଼ିଆ ଚାରା ଲାଗି ପାରୁଥିବାରୁ ଏହି ହାରରେ ଜିଲ୍ଲାରେ ୬୭ ହଜାର ନଡ଼ିଆ ଚାରା ଲାଗିଛି। ଏ ବାବଦରେ ଜିଲ୍ଲାରେ ମନରେଗାରୁ ଟଙ୍କା ଖର୍ଚ୍ଚ କରାଯାଉଛି। ଅଥଚ ଜିଲ୍ଲାରେ ମାତ୍ର ହଜାରେ ଗଛ ବି ବଞ୍ଚିଥିବା ଆକଳନ କରାଯାଉଛି। କେବଳ ଟଙ୍କା ଆତ୍ମସାତ କରିବା ପାଇଁ ଗଛର ରକ୍ଷଣାବେକ୍ଷଣ, ପାଣି ମଡ଼ା ବାବଦରେ ଅର୍ଥ ବିଲ ହେଉଛି। ମୃତ୍ତିକା ସଂରକ୍ଷଣ ବିଭାଗର କର୍ମଚାରୀ, ଅଧିକାରୀ ଏହି ଦୁର୍ନୀତିର ମୁଖ୍ୟ ସୂତ୍ରଧର ସାଜିଛନ୍ତି। ପୁରୀ ଜିଲ୍ଲାର ଡେଲାଙ୍ଗ, ଅସ୍ତରଙ୍ଗ, କୃଷ୍ଣପ୍ରସାଦ ବ୍ଲକ୍ରେ ସର୍ବାଧିକ ଦୁର୍ନୀତି ହୋଇଛି।
ଡେଲାଙ୍ଗ ବ୍ଲକ୍ର ଧାନକେରା ପଞ୍ଚାୟତରୁ ଆସିଥିବା ଅଭିଯୋଗ ଅନୁଯାୟୀ ଯେତିକି ବି ନଡ଼ିଆ ଚାରା ଲାଗିଛି ସେଥିମଧ୍ୟରୁ ୮୦ ପ୍ରତିଶତ ମରିଯାଇଛି। ଗଛର ରକ୍ଷଣାବେକ୍ଷଣ, ପାଣି ମଡାଇବା ପାଇଁ କିନ୍ତୁ ଅର୍ଥ ଖର୍ଚ୍ଚ କରାଯାଉଛି। ବାଡ଼ା ଭିତରେ ଗଛ ନ ଥିଲେ ବି ଗଛରେ ପାଣି ମଡ଼ାଯାଉଛି। ଅନ୍ୟ କିଛି ପଞ୍ଚାୟତରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି। ଏ ବାବଦରେ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ବି ଯୋଜନା ଫଳ ଶୂନ୍ୟ ରହିଛି। ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ସରକାରୀ ଜାଗା, ରାସ୍ତା ପାର୍ଶ୍ବ, ପୋଖରୀ ହୁଡ଼ାରେ ଏ ସବୁ ଚାରା ଲଗାଯାଇଛି। ତେବେ ଏ ମହତ ଯୋଜନା କେବଳ ଅର୍ଥ ଆତ୍ମସାତ କରିବା ପାଇଁ କରାଯାଇଛି। ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ରାଡ ଯୋଜନାରେ ମଧ୍ୟ ଆଖିବୁଜା ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି।