ମୃତ୍ତିକା ସଂରକ୍ଷଣ ବିଭାଗରେ କେଳେଙ୍କାରୀ : ୬୦ ଗଛ ନାହିଁ, ୬୦ ଲକ୍ଷ ଖର୍ଚ୍ଚ

କେନ୍ଦୁଝର : ମୃତ୍ତିକା ସଂରକ୍ଷଣ ବିଭାଗରେ ଏକ ବଡ଼ଧରଣର କେଳେ‌ଙ୍କାରୀ ଏବେ ସାମ୍ନାକୁ ଆସିଛି। ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି କାଜୁ ଜଙ୍ଗଲ ସୃଷ୍ଟି ପାଇଁ ପ୍ରୟାସ କରାଯାଇଥିଲେ ବି ତାହା କେତେକ ଅସାଧୁ ଅଧିକାରୀ ଓ ଦାୟିତ୍ବହୀନ କର୍ମଚାରୀଙ୍କ ପାଇଁ ଫସର ଫାଟି ଯାଇଛି। ଫଳରେ କାଜୁ ଜଙ୍ଗଲ କଣ ଗୋଟିଏ ବି ଗଛର ଦେଖା ନାହିଁ। ର ଠ ଗଛ ଲଗାଇ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ଦେଖାଯାଇଛି। ଗତ ତିନିବର୍ଷ ମଧ୍ୟରେ ଝୁମ୍ପୁରା ବ୍ଲକର ରସବନ୍ତଳା ଗ୍ରାମରେ ତିନୋଟି ସ୍ଥାନରେ ୨୩ ହେକ୍ଟର ଜମିରେ କାଜୁ ଗଛ ଲଗାଯାଇ ପ୍ରାୟ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ଦର୍ଶାଯାଇଛି।

କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକ ଅନ୍ତର୍ଗତ ରସବନ୍ତରାଳ ଗାଁରେ ୨୦୧୬-୧୭ ମସିହାରୁ ଜୀବନଜୀବିକା ସୃଷ୍ଟି ଲକ୍ଷ୍ୟରେ କାଜୁ ଜଙ୍ଗଲ ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା। ଫୁଲବାଡି ସାହି ପଛରେ ୭ ହେକ୍ଟର ଜମିରେ କାଜୁ ଗଛ ଲାଗିଥିଲା। ଏଥିପାଇଁ ପ୍ରଥମ ବର୍ଷ ୧୨,୯୦,୯୪୦ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଦ୍ବିତୀୟ ବର୍ଷ ୬,୦୯,୦୦୦ ଟଙ୍କା ଏବଂ ତୃତୀୟ ବର୍ଷ ୧,୩୮,୪୭୩ ଟଙ୍କା ଖର୍ଚ୍ଚ ହୋଇଥିଲା। ଏତେ ଟଙ୍କା ଖର୍ଚ୍ଚ ପରେ ବି ଫୁଲବାଡି ସାହି ପଡ଼ିଆରେ ଗୋଟିଏ ବି କାଜୁ ଗଛ ନାହିଁ। ‌ପଡ଼ିଆ ସା‌ରା ଘାସ ଭର୍ତ୍ତି। ହିସାବ କହୁଛି, ପ୍ରତି ହେକ୍ଟର ପିଛା ୨୦୦ ଗଛ ଲଗାଯିବା କଥା। ତେବେ ହେକ୍ଟରକୁ ଯଦି ୨୦୦ ଗଛ ଲଗାଯାଏ, ତେବେ ଏହି ୭ ହେକ୍ଟରରେ ସର୍ବନିମ୍ନ ୧୪୦୦ କାଜୁ ଗଛ ରହିବା କଥା। ଯଦି ଗଛର ମୃତ୍ୟୁହାରକୁ ହିସାବକୁ ନିଆଯାଏ, ତେବେ ସରକାରୀ ହିସାବରେ ପ୍ରଥମ ବର୍ଷ ୧୦ ପ୍ରତିଶତ ଗଛ ମରିଯିବାର ସମ୍ଭାବନା ରହିଛି। ସେହିପରି ଦ୍ବିତୀୟ ବର୍ଷ ଏହା ୫ ପ୍ରତିଶତ ଗଛ ମରିବାର ବି ସମ୍ଭାବନା ରହିଛି। ତେଣୁ ଦୁଇ ବର୍ଷରେ ଗଛ ମରିଗଲେ ବି ସର୍ବନିମ୍ନ ୧୨ଶହ ଗଛ ନିଶ୍ଚିତ ରହିବା କଥା। ମାତ୍ର ଏଠାରେ ଗୋଟିଏ ବି ଗଛ ନାହିଁ। ଫୁଲବାଡି ସାହି ଚୌଧୁରୀ ନାଏକଙ୍କୁ ପଚାରିବାରୁ ସେ କହିଥିଲେ, ‌ତିନି ବର୍ଷ ତଳେ ଏଠାରେ କାଜୁ ଗଛ ଲାଗାଯାଇଥିଲା। ମାତ୍ର ଦାୟିତ୍ବହୀନତା ପାଇଁ ଗୋଟିଏ ଗଛ ନାହିଁ। ଯଦି ମୃତ୍ତିକା ଓ ଜଳ ସଂରକ୍ଷଣ ବିଭାଗର ଉତ୍ତର ଦାୟିତ୍ବ ରହିବ ନାହିଁ, ତେବେ ଗଛ ଲଗାଇବା କଥା ନୁହେଁ ବୋଲି ସେ ମତାମତ ଦେଇଛନ୍ତି।

ରସବନ୍ତଳା ଗ୍ରାମର ଢ଼ପାସାହି ନିକଟରେ ୮ ହେକ୍ଟର ଜମିରେ କାଜୁଗଛ ଲାଗିଥିଲା। ଏହି ଆଠ ହେକ୍ଟର କାଜୁ ଗଛ ପାଇଁ ପ୍ରଥମ ବର୍ଷ ୧୪,୭୫,୩୬୦ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଦ୍ବିତୀୟ ବର୍ଷ ୬,୯୬,୦୦୦ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହି ୮ ହେକ୍ଟର ଜମିରେ ୧୬ଶହ କାଜୁ ଗଛରୁ ଗୋଟିଏ ଗଛ ନାହିଁ। ସେଠାରେ ଏବେ ଗାଈ ଚରୁଛନ୍ତି। ଏସମ୍ପର୍କରେ ସ୍ଥାନୀୟ ଅଧିବାସୀ ଧନୁ ମହାନ୍ତଙ୍କୁ ପଚାରିବାରୁ ସେ କହିଥିଲେ, ଦିବର୍ଷ ତଳେ ଏଠାରେ କିଛି କାଜୁ ଗଛ ଲାଗିଥିଲା। ମାତ୍ର ଏବେ ଗୋଟିଏ ବି ନାହିଁ। ରାମଚନ୍ଦ୍ରପୁର ସାହିରେ ବି ୮ ହେକ୍ଟର ଜମିରେ କାଜୁ ଗଛ ଲାଗିଥିଲା। ପ୍ରଥମ ବର୍ଷ ୧୫,୦୬,୪୦୦ ଟଙ୍କା, ଦ୍ବିତୀୟ ବର୍ଷରେ ୬,୮୦,୦୦୦ଟଙ୍କା ଏବଂ ତୃତୀୟ ବର୍ଷରେ ୮୮,୧୭୦ ଟଙ୍କା ଖର୍ଚ୍ଚ କରାଯାଇଥିଲା। ମାତ୍ର ଏଠାରେ ହାତ ଗଣତି କିଛି ଗଛ ବଞ୍ଚି ଥିବା ବେଳେ ଆଉ କିଛି ଗଛ ନାହିଁ। ତେବେ ଏହି ରସବନ୍ତପୁର ଗାଁରେ ତିନୋଟି ସ୍ଥାନରେ କାଜୁ ଗଛ ଲାଗିଥିଲା ବେଳେ ସମୁଦାୟ ଖର୍ଚ୍ଚ ହୋଇଛି ୬୪ ଲକ୍ଷ ୭୨ ହଜାର ୩୪୩ ଟଙ୍କା ଖର୍ଚ୍ଚ ହୋଇଛି। ଖାଲି ଏହି ରସବନ୍ତଳା ଗାଁ ନୁହେଁ, ଝୁମ୍ପୁରା ବ୍ଲକର ଏକାଧିକ ଗ୍ରାମରେ ଲାଗିଥିବା ଏଭଳି କାଜୁ ଗଛ ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ଏ ସଂପର୍କରେ ମତାମତ ପାଇଁ ଆମେ ମୃତ୍ତିକା ଓ ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ଅରୁଣ ଦାସଙ୍କୁ ବାରମ୍ବାର ଫୋନ କରିଥିଲେ ହେଁ ସେ ଫୋନ ଉଠାଇ ନଥିଲେ।

ସମ୍ବନ୍ଧିତ ଖବର