ରାଉରକେଲା : ଗଣେଶ ପୂଜାରୁ ଆରମ୍ଭ ହୁଏ ପାର୍ବଣ ଋତୁ। ଆସନ୍ତା ଫେବୃଆରୀ ଅର୍ଥାତ୍ ୭ ମାସ ପର୍ଯ୍ୟନ୍ତ ଚାଲିଥାଏ ବିଭିନ୍ନ ପୂଜା ମହୋତ୍ସବ। ପୂଜା ଆସିଲେ ଚଳଚଞ୍ଚଳ ହୋଇଥାଏ କଳାସଂସ୍କୃତିର ସହର ରାଉରକେଲାର ଶିଳ୍ପମନ୍ଦିର। ସହରର ବସ୍ତିରୁ କଲୋନୀ ସବୁଠି ଥାଏ ଉତ୍ସବର ମହାଲୋ। କାରିଗରଙ୍କୁ ମିଳିନଥାଏ ଫୁରସତ୍। ଶିଳ୍ପୀମାନେ ଗଣେଶ, ବିଶ୍ବକର୍ମା, ଦୁର୍ଗା, କାଳୀ, ଲକ୍ଷ୍ମୀ, ସରସ୍ବତୀ ଆଦି ଦେବାଦେବୀଙ୍କ ମୁଣ୍ମୟମୂର୍ତ୍ତି ନିର୍ମାଣରେ ବ୍ୟସ୍ତ ଥାଆନ୍ତି। ଶିଳ୍ପୀମାନେ ଅର୍ଡର ମୁତାବକ ମୂ୍ର୍ତିମାନ ଗଢ଼ିଥାନ୍ତି। ସୁନ୍ଦରଗଡ ଜିଲ୍ଲା ରାଉରକେଲା, ସୁନ୍ଦରଗଡ ସମେତ ୧୭ ବ୍ଲକର ରହିଥିବା ଛୋଟବଡ ଶିଳ୍ପମନ୍ଦିର ହୋଇଥାଏ ବେଶ୍ ଚଳଚଞ୍ଚଳ। ରାଉରକେଲାର ଉଦିତନଗର, ବନ୍ଧମୁଣ୍ଡା, ଫଟାପାଇପ୍, ପ୍ଲାଣ୍ଟସାଇଟ୍, ତିଲକାନଗର, ଫର୍ଟିଲାଇଜର, ସେକ୍ଟର -୨, ଲାଠିକଟା, ବିଶ୍ରା, ନୂଆଗାଁ ଆଦି ସ୍ଥାନରେ ରହିଥିବା ଶିଳ୍ପମନ୍ଦିରରେ ମୂର୍ତ୍ତି ଅର୍ଡ କରିବାକୁ ଗ୍ରାହକଙ୍କ ଭିଡ ଜମିଥାଏ। ଏମିତି କି ରାଉରକେଲା ସହରରୁ ମୂର୍ତ୍ତି ନେବାକୁ ଝାଡ଼ଖଣ୍ଡ ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ଅନୁଷ୍ଠାନ ଓ କ୍ଲବର ସଦସ୍ୟମାନେ ଆସିଥାନ୍ତି। ମାତ୍ର କରୋନାର ପ୍ରଥମ ଓ ଦ୍ବିତୀୟ ଲହର ଛଡାଇ ନେଇଛି ଏମାନଙ୍କ ବେଉସା।
Sambad is now on WhatsApp
Join and get latest news updates delivered to you via WhatsApp
ଜିଲ୍ଲାର ୧୦୦ କି ୨୦୦ ନୁହେଁ ପ୍ରାୟ ୪୦୦ରୁ ଅଧିକ ଶିଳ୍ପମନ୍ଦିର ଏବେ ଖାଁ ଖାଁ। ମାତ୍ର ହାତ ଗଣତି କେତୋଟି ପ୍ରମୁଖ ଶିଳ୍ପମନ୍ଦିର ଚାଲିଛି। ଯେଉଁଠି ୩୦ରୁ ୪୦ କାରିଗର କାମ କରୁଥିଲେ, ସେଠି ଏବେ ମାତ୍ର ୪/୫ ଜଣ କାମ କରୁଛନ୍ତି। କରୋନା କଟକଣା ଯୋଗୁ ବଡ ବଡ ମୂର୍ତ୍ତି ବଦଳରେ ଛୋଟ ଛୋଟ ମୂର୍ତ୍ତିଗୁଡ଼ିକ ତିଆରି କରି ପରିବାର ପ୍ରତିପୋଷଣ କରୁଛନ୍ତି। ଅନ୍ୟ କିଛି ମାଟିଶିଳ୍ପୀ ପରିବାର ପ୍ରତିପୋଷଣ ପାଇଁ ବେଉସା ବଦଳାଇବାକୁ ବାଧ୍ୟ ହୋଇଛନ୍ତି। କିଏ ରାସ୍ତା କଡରେ ବସି ପରିବା ବିକୁଛି ତ ପୁଣି ଅନ୍ୟ କିଏ ଆଳୁ, ପିଆଜ ଓ ଜଳଖିଆ ଦୋକାନ କରି ପରିବାର ଚଳାଉଛନ୍ତି। ତେଣୁ ରାଜ୍ୟରେ ତୃତୀୟ ସହର ଭାବେ ରାଉରକେଲାରେ ପାର୍ବଣ ସମ୍ପୂର୍ଣ୍ଣ ଋତୁ ସମ୍ପୂର୍ଣ୍ଣ ଫିକା ପଡିଛି।
ନିକଟରେ ରାଜ୍ୟ ସରକାର କଟକରେ ଗଣେଶ ପୂଜାକୁ ଅନୁମତି ଦେଇଛନ୍ତି। ସେମିତି ସ୍ମାର୍ଟସିଟି ରାଉରକେଲାରେ ପୂଜା ମହୋତ୍ସବକୁ ଅନୁମତି ମିଳିଲେ ମାଟିଶିଳ୍ପୀ କାରିଗରଙ୍କ ବେଉସା ବଞ୍ଚିପାରନ୍ତା। ଏସବୁ ଶିଳ୍ପମନ୍ଦିର ଉପରେ ନିର୍ଭରଶୀଳ ଶହ ଶହ କଳାକାର ବେଶ୍ ଦି’ ପଇସା ରୋଜଗାର କରିପାରନ୍ତି ବୋଲି କହିଛନ୍ତି ଉଦିତନଗର ଶିଳ୍ପମନ୍ଦିର ମାଲିକ ଶଙ୍କର ସାହୁ। ସେ କହିଛନ୍ତି, ରାଉରକେଲା ହେଉଛି କଳା ଓ ସଂସ୍କୃତିର ସହର। ସୁନ୍ଦରଗଡ ଜିଲ୍ଲାର ସର୍ବାଧିକ ଶିଳ୍ପମନ୍ଦିର ଏଠାରେ ରହିଛି। ଗଣେଶ ପୂଜା ଆସିଲେ ଶିଳ୍ପମନ୍ଦିର ଗୁଡ଼ିକ ଚଳଚଞ୍ଚଳ ହୋଇ ଉଠେ। ଅନେକ ଶିଳ୍ପୀମାନେ କଲିକତାର ପୁରୁଲିଆ, ମେଦିନାପୁର, ମେଚ୍ଛଦା, ହାୱଡା, କଟକ, ଜଗତସିଂହପୁର ସମେତ ଅନ୍ୟାନ୍ୟ ଅଞ୍ଚଳରୁ ଶହ ଶହ ମାଟିଶିଳ୍ପୀ କାରିଗର ରାଉରକେଲା ସହରକୁ ଆସିଥାନ୍ତି। ମାସ ମାସ ଧରି ରାଉରକେଲାର ବିଭିନ୍ନ ମନ୍ଦିରରେ କାମ କରନ୍ତି। ଭଲ ଦି’ ପଇସା ରୋଜଗାର କରି ପୁଣି ନିଜ ନିଜ ଘରକୁ ଫେରିଯାଆନ୍ତି। କରୋନା ମହାମାରୀରେ ପୂଜା ମହୋତ୍ସବ ବନ୍ଦ ଥିବାରୁ ହଜାର ହଜାର ମାଟିଶିଳ୍ପୀମାନେ ହାତ ବାନ୍ଧି ବସିଛନ୍ତି। ରାଜ୍ୟ ସରକାର ଏମାନଙ୍କ ଦୁଃଖକୁ ସମ୍ପୂର୍ଣ୍ଣ ପାସୋରି ଦେଇଛନ୍ତି। ତଥାପି ଆଗକୁ ପୂଜା ଆସୁଛି, ଯଦି ସରକାର କଟକ ସହର ପରି ରାଉରକେଲାର ପୂଜାମହୋତ୍ସବକୁ ଅନୁମତି ମିଳିଲେ ବୁଡିଯାଉଥିବା ମାଟିଶିଳ୍ପୀଙ୍କ ବେଉସା ବଞ୍ଚିଯାଇପାରନ୍ତା।
ବନ୍ଧମୁଣ୍ଡା ଫଟାପାଇପ ଅଞ୍ଚଳର ଉମେଶ ପ୍ରଜାପତି, ସରଜୁ ପ୍ରଜାପତି, ମୁକଶେ ପ୍ରଜାପତି ସମାନ ଦୁଃଖ ବଖାଣିଛନ୍ତି। ସେମାନେ କହିଛନ୍ତି, ରାଉରକେଲା ଉଦିତନଗର ପରି ବନ୍ଧମୁଣ୍ଡା ଫଟାପାଇପ ମାଟିକାମ ପାଇଁ କେବଳ ସୁନ୍ଦରଗଡ ନୁହେଁ ଝାଡ଼ଖଣ୍ଡରେ ବେଶ୍ ପ୍ରସିଦ୍ଧ ଲାଭ କରିଛି। ପ୍ରାୟ ୧୦ରୁ ୧୫ ପରିବାର ମାଟିଶିଳ୍ପ କାମ କରି ପରିବାର ପ୍ରତିପୋଷଣ କରନ୍ତି। କରୋନା କିନ୍ତୁ ଏମାନଙ୍କ ଜୀବିକା ଛଡାଇ ନେଇଛି। ଅନ୍ୟମାନଙ୍କ ସରକାର ମାଟିଶିଳ୍ପୀ କାରିଗର ପରିବାରକୁ ସହାୟତାର ହାତ ବଢ଼ାଇବାକୁ ଅନୁରାଧ କରିଛନ୍ତି।