ପିପିଲିରେ ମାତିଛନ୍ତି ମାଟି ମାଫିଆ : ଚାଷ ଜମିରୁ ତାଡ଼ି ନେଉଛନ୍ତି ମାଟି, ପ୍ରତିବାଦ କଲେ ଲୋକଙ୍କୁ ଦେଉଛନ୍ତି ଧମକ ଚମକ

ପିପିଲି : ପିପିଲି ଅଞ୍ଚଳରେ ଏବେ ମାଟି ମାଫିଆମାନେ ସ୍ଥାନୀୟ ଚାଷୀ ଓ ଜମି ମାଲିକମାନଙ୍କ ନିଦ ହଜାଇ ଦେଇଛନ୍ତି। ମାଟି ଲୁଟ୍‌ କରିବା ପାଇଁ ମାଫିଆମାନେ ଦିନ ରାତି ଏକ କରି ଦେଉଛନ୍ତି। ସ୍ଥିତି ଏଭଳି ହୋଇଛି ଯେ ପ୍ରତିଦିନ ଚାଷୀଙ୍କୁ ନିଜ ଜମିର ସ୍ଥିତି ଉପରେ ନଜର ରଖିବାକୁ ପଡ଼ୁଛି। ଟିକେ ଦୃଷ୍ଟି ନ ଦେଲେ ଜମିରୁ ମାଟି ଉଭାନ ହୋଇ ଯାଉଛି। ରାତି ପାହିଲା ବେଳକୁ ଚାଷୀର ଜମି ଚାରି ପାଞ୍ଚ ଫୁଟ୍‌ ଖାଲ ହୋଇଯାଉଛି। ଜେସିବି ସହାୟତାରେ ମାଫିଆମାନେ ମାଟି ତାଡ଼ି ନେଉଛନ୍ତି। କେବଳ ଚାଷ ଜମିରୁ ନୁହେଁ ସର୍ବସାଧାରଣ ସ୍ଥାନରୁ ବି ଚାଲିଛି ମାଟି ଚାଲାଣ। ଗଙ୍ଗୁଆ ନଦୀବନ୍ଧକୁ ମଧ୍ୟ ମାଫିଆମାନେ ତାଡ଼ି ନେଉଛନ୍ତି। ଚାଷ ଜମି ଗୁଡ଼ିକ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ସରକାର ଏହି ବନ୍ଧ ନିର୍ମାଣ କରିଥିଲେ। ମାଟି ମାଫିଆମାନେ ନଦୀ ପାର୍ଶ୍ବରୁ ମାଟି ଖୋଳି ପ୍ରାୟ ୧୦ ଫୁଟ୍‌ରୁ ଅଧିକ ଗାତ କରିବା ଫଳରେ ସ୍ଥାନୀୟ ଗାଁମାନଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି। ବନ୍ୟା ସମୟରେ ଦୟାନଦୀ ବନ୍ଧ ପ୍ରତି ବିପଦ ଆଶଙ୍କା ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଅଭିଯୋଗ ପାଇବା ପରେ ଜଳସେଚନ ବିଭାଗର ଭୁବନେଶ୍ୱରସ୍ଥିତ ପ୍ରାଚୀ ଡିଭିଜନ୍‌ ପକ୍ଷରୁ ବିଭାଗୀୟ ଏସ୍‌ଡିଓ ହରିରାଜପୁର ଫାଣ୍ତିରେ ଗତ ଫେବ୍ରୁଆରି ମାସରେ ଲିଖିତ ଅଭିଯୋଗ କରିଥିଲେ।

ମାଟି ଲୁଟ୍‌କୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ମୁଣ୍ଡରେ ହାତ ଦେଲେଣି। କେତେକ ଚାଷୀ ରାତିରେ ନିଜ ନିଜ ଜମିରେ ପହରା ଦେଉଥିବା ଜଣାଯାଇଛି। ବିଶେଷକରି ସ୍ଥାନୀୟ କଂଟି, ବେଣାବିଲ, ବାରିମୂଳ, ନିଜିଗଡ଼କୁରଖି, ଭଁସର, ଲେମ୍ଭାଉପଡ଼ା ଓ ଓଉପଡ଼ା ଆଦି ମୌଜାରେ ଥିବା ଚାଷଜମି ଉପରେ ଏହି ମାଟି ମାଫିଆମାନଙ୍କ ନଜର। ହାଇୱାରେ ମାଟି ଟ୍ରିପ୍‌ ୩ହଜାର ଟଙ୍କା ଲେଖାଏଁ ବିକ୍ରି କରୁଛନ୍ତି। ମାଟି ମାଫିଆମାନେ ସ୍ଥାନୀୟ ଅଂଚଳରୁ ପ୍ରାୟ ୨କୋଟିରୁ ଅଧିକ ଟଙ୍କାର ମାଟି ଲୁଟି ନେଲେଣି ବୋଲି ଚର୍ଚ୍ଚା ଚାଲିଥିବା ବେଳେ ସ୍ଥାନୀୟ କଂଟି ପଂଚାୟତ ଅଂଚଳର ଜଣେ ପ୍ରଭାବଶାଳୀ ବ୍ୟକ୍ତି ଏହି ଚୋରା ମାଟି ଚାଲାଣର ମୁଖ୍ୟ କାର୍ପଟଦାର ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଦୟାନଦୀ କୂଳର ନଇଭଁସର, ଲେମ୍ବାଉପଡ଼ା ଓ ଓଉପଡ଼ା ଆଦି ମୌଜାରୁ ପ୍ରତିଦିନ ବେଆଇନ ଭାବେ ମାଟି ଖୋଳି ବାହାରକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଏହି କାମରେ ୪୦ରୁ ଅଧିକ ଟ୍ରାକ୍ଟର୍‌, ହାଇୱା ଓ ଜେସିବି ମେସିନ୍‌ ନିୟୋଜିତ ହୋଇଛି। ରାତି ସାରା ଏହି ଚୋରା କାରବାର ଚାଲିଛି। ପ୍ରତିବାଦ କଲେ ମାଫିଆମାନେ ସାଧାରଣ ଲୋକଙ୍କୁ ଧମକ ଚମକ ଦେଉଛନ୍ତି। ସ୍ଥାନୀୟ ବାରିମୂଳ ଗାଁର ଦୁଇ ଜଣ ଚାଷୀଙ୍କର ଧାନବିଲରୁ ମାଫିଆମାନେ ରାତିରେ ମାଟି ତାଡ଼ି ନେଇଥିବା ପିପିଲି ଥାନାରେ ଅଭିଯୋଗ ହୋଇଛି। ସେହିପରି ଭୁବନେଶ୍ବର, ବ୍ରହ୍ମପୁର, ଭଦ୍ରକ, ବାଲେଶ୍ବର ଆଦି ଅଂଚଳର ଲୋକେ ନିଜିଗଡ଼କୁରଖି ଓ ବେଣାବିଲ ମୌଜାରେ ଜମି କିଣିଥିବା ବେଳେ ସେମାନଙ୍କ ଜମିରୁ ମଧ୍ୟ ମାଫିଆମାନେ ମାଟି ତାଡ଼ି ଅବାଧରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଏ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର