ବିଶ୍ରା (ସୁନ୍ଦରଗଡ଼): ବିଶ୍ରା ତହସିଲ ଅଧୀନ ବିଜାଡିହି ଗ୍ରାମରେ ଗତ କିଛି ମାସ ହେବ ବେଆଇନ ମାଟି ଖନନ ଜୋରସୋରରେ ଚାଲିଛି। ଏହାକୁ ନେଇ ଗ୍ରାମବାସୀ ତଥା ସ୍ଥାନୀୟ ଚାଷୀଙ୍କ ଚିନ୍ତା ବଢ଼ିଛି। ସୂଚନା ଅନୁଯାୟୀ, ବାଙ୍ଗୁରକେଲା ରେଳ ଷ୍ଟେସନ ନିକଟରେ ଚାଲୁଥିବା ରାଉରକେଲା-ରାଞ୍ଚି ଦ୍ୱିତୀୟ ରେଳ ଲାଇନର ନିର୍ମାଣ କାର୍ଯ୍ୟ ପାଇଁ ବିପୁଳ ପରିମାଣର ମାଟି ଆବଶ୍ୟକ। ମାଟିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିକଟସ୍ଥ ଗାଁର ବିଭିନ୍ନ ସ୍ଥାନରୁ ଠିକାଦାର ପ୍ରତିଦିନ ଜେସିବିରେ ମାଟି ଖନନ କରୁଛନ୍ତି। ଯାହା ପରେ ମାଟିକୁ ଡମ୍ପର ଏବଂ ହାଇୱା ମାଧ୍ୟମରେ ମାଟି ନିର୍ମାଣସ୍ଥଳକୁ ପଠାଯାଉଛି। ମାଟି ମାଫିଆ ନିଜ ଇଚ୍ଛାରେ ମାଟି ଖୋଳୁଛନ୍ତି, କିନ୍ତୁ ଜିଲ୍ଲା ପ୍ରଶାସନ ଏବଂ ତହସିଲ ବିଭାଗ ଚୁପଚାପ୍ ବସିଛନ୍ତି। ଏମିତି କି ମାଟି ମାଫିଆ କେଉଁ ସ୍ଥାନରେ କେତେ ପରିମାଣର ମାଟି ଖନନ କରୁଛି ତାହା ମଧ୍ୟ ଜିଲା ପ୍ରଶାସନକୁ ଜଣା ନାହି। ପ୍ରତିଦିନ ବିଶ୍ରା ଅଞ୍ଚଳରେ ବେଆଇନ ମାଟି ଖନନ ହେଉଥିବାରୁ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଛି।
ଯେଉଁ ଗାଁରେ ମାଟି ମାଫିଆ ବେଆଇନ ଭାବେ ମାଟି ଖନନ କରୁଛନ୍ତି, ସେହି ଅଞ୍ଚଳର ରାସ୍ତା ଗୁଡ଼ିକରେ ସବୁ ବେଳେ ଧୂଳି ପ୍ରଦୂଷିତ ହେଉଛି। ଯାହାର ପ୍ରଭାବ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ୁଛି। ଏଥି ସହିତ, ବଡ ଡମ୍ପର ଏବଂ ହାଇୱା ମାଧ୍ୟମରେ ମାଟି ପରିବହନ ସମୟରେ ରାସ୍ତାରେ ମାଟି ଖସିବା ସହ ଧୂଳି ଉଡୁଛି। ଏହି କାରଣରୁ ସ୍କୁଲ ପିଲା ଏବଂ ଗ୍ରାମବାସୀଙ୍କ ଯାତାୟାତରେ ବାଧକ ସାଜୁଛି। ଏହାଛଡ଼ା ଚାଷ ଜମିରେ ମାଟି ଖନନ ହେଉ ଥିବାରୁ ଜମିରେ ବଡ଼ ଗର୍ତ୍ତ ସୃଷ୍ଟି ହେଉଛି। ବର୍ଷା ଦିନରେ ଏହି ଗର୍ତ୍ତରେ ବର୍ଷା ପାଣି ଜମା ହୋଇ ଗୃହପାଳିତ ପଶୁ ଓ ଗାଁର ପିଲାଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଏହି ସମ୍ପର୍କରେ ବିଶ୍ରା ତହସିଲଦାର ଜ୍ୟୋତ୍ସ୍ନା ସାହୁଙ୍କୁ ପଚାରିବାରୁ ବେଆଇନ ମାଟି ଖନନ ବିଷୟରେ ତାଙ୍କ ନିକଟରେ କୌଣସି ଖବର ନାହିଁ, ଅଭିଯୋଗ ହେଲେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/b30a6838-f4b6-470e-8edd-7d5a54a3fdf1.jpg)