କୋରାପୁଟ ମାଟିର ବରପୁତ୍ରମାନେ ଦେଶମାତୃକା ପାଇଁ ଦେଇଥିବା ବଳୀଦାନ ଚିର ସ୍ମରଣୀୟ: ମନ୍ତ୍ରୀ

ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

କୋରାପୁଟ: ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ସ୍ଥାନୀୟ ପୁଲିସ ପଡିଆଠାରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଦକ୍ଷତା ବିକାଶ ଓ ବୈଷିୟକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମବେତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ପରେ ନିଜ ଉଦ୍‌ବୋଧନରେ ସେ ଭାରତୀୟ ସ୍ବାଧୀନତାରେ ଶହୀଦ ଲକ୍ଷ୍ମଣ ନାୟକ, କୋରାପୁଟର ଗାନ୍ଧି ରାଧାମୋହନ ବିଶ୍ବାସରାୟଙ୍କ ପରି ସ˚ଗ୍ରାମୀଙ୍କୁ ସମ୍ମାନ ଜଣାଇଥିଲେ। କୋରାପୁଟ ମାଟି ସଂଗ୍ରାମୀଙ୍କ ମାଟି। ଏହି ମାଟିର ବରପୁତ୍ରମାନେ ଦେଶମାତୃକା ପାଇଁ ଦେଇଥିବା ବଳୀଦାନ ଚିର ସ୍ମରଣୀୟ। ସେମାନଙ୍କ ଗୁରୁତ୍ବକୁ ଅନୁଭବ କରିବା ଉଚିତ ବୋଲି ମତ ଦେଇଥିଲେ। ଦେଶର ସ୍ବାଧୀନତା ସଂଗ୍ରାମରେ କୋରାପୁଟ ଜିଲ୍ଲାର ଅବଦାନ ଅତୁଳନୀୟ ବୋଲି ସେ କହିବା ସହ ଦେଶର ଗଣତନ୍ତ୍ରକୁ ମଜଭୁତ କରିବା ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ।

ମନ୍ତ୍ରୀଙ୍କ ଭାଷଣ ପରେ ଅଳ୍ପ କିଛି ପୁଲିସ କର୍ମଚାରୀଙ୍କୁ ନେଇ ଚିତ୍ତାକର୍ଷକ ପରେଡ ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଅନଲାଇନରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହାସହ କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା। ଏହାସହ ଉହ୍ଲଖେନୀୟ କାର୍ଯ୍ୟ ପାଇଁ କୋରାପୁଟ ଓଡ୍ରାଫ ଟିମ୍‌କୁ ସମ୍ମାନିତ କରାଯାଇଥିଲା। ଏଥିସହ  ଡାକ୍ତରଖାନାରେ ଫଳ ସହ କାରାଗାରରେ ଅନ୍ତେବାସୀଙ୍କୁ ମିଷ୍ଠାନ ବଣ୍ଟନ କରାଯାଇଥିଲା।

ଜିଲ୍ଲାସ୍ତରୀୟ ଏହି କାର୍ଯ୍ୟକ୍ରମରେ ଏସ୍‌ପି ବରୁଣ ଗୁଣ୍ଟୁପାଲ୍ଲି, ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ, ଉପ ଜିଲ୍ଲାପାଳ ଲଳିତ କୁମାର କହଁର ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ପଡାଲ, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ବର ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭାପତି ତୁଳସୀ କିର୍ସାନୀ, ଉପସଭାପତି ନାର୍ସୁଲ କାମୁଡି ପ୍ରମୁଖ ଉପସ୍ଥିତ ଥି‌ଲେ। ଜିଲ୍ଲା ସୂଚନା ଓ ଲୋକ ସ˚ପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ ସମାରୋହକୁ ପରିଚାଳନା କରିଥିଲାବେଳେ ରବି ଶତପଥୀ ସଂଯୋଜନା କରିଥିଲେ। ସାଧାରଣତନ୍ତ୍ର ଦିବସ ପାଳନ ସମାରୋହକୁ ଦୃଷ୍ଟିରେ ରଖି ସାରା ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ମାଓବାଦୀଙ୍କ ବିରୋଧ କାରଣରୁ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଥିଲାବେଳେ କୌଣସି ସ୍ଥାନରେ କିଛି ଅଘଟଣ ଘଟି ନ ଥିବା ଜଣାପଡିଛି। ଏହାସହ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା

 

ସମ୍ବନ୍ଧିତ ଖବର