ଝାରସୁଗୁଡ଼ା : ୪୯ ନଂ ଜାତୀୟ ରାଜପଥର ସମ୍ପ୍ରସାରଣ ତଥା ୪ ଥାକିଆ କରିବା ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଡିପିଆର୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଇବ୍‌ ନଦୀର ବ୍ରିଜ ନିକଟରେ ଡିପିଆର୍‌ ପ୍ରସ୍ତୁତି ଦାୟିତ୍ବ ନେଇଥିବା କମ୍ପାନି ମାର୍କ ଟେକ୍‌ନୋକ୍ରାଫ୍ଟ ୩ ଥାକିଆ ବ୍ରିଜ୍‌ ପାଇଁ ମୃତ୍ତିକା ପରୀକ୍ଷଣ କରିଥିବା ଏନ୍‌ଏଚ୍‌ଏଆଇ ପ୍ରକଳ୍ପ ନିର୍ଦ୍ଦେଶକ ନାଗେଶ୍ବର ରାଓ ସୂଚନା ଦେଇଛନ୍ତି। ୪ ଥାକିଆ ରାସ୍ତା ନିର୍ମାଣ ପୂର୍ବରୁ ଏହି ବ୍ରିଜ ନିର୍ମାଣ କାମ ଶେଷ ହେବ ବୋଲି ଏନ୍‌ଏଚ୍‌ଏଆଇ ପକ୍ଷରୁ ଓଡ଼ିଶା ମୁଖ୍ୟଙ୍କୁ ଚିଠି କରାଯାଇଛି।

Advertisment

ବର୍ତ୍ତମାନ ଥିବା ବ୍ରିଜ ୬୦ ବର୍ଷ ତଳେ ଅର୍ଥାତ୍‌ ୧୯୬୩ ମସିହାରେ ନିର୍ମାଣ ହୋଇଥିଲା। ୮ ବର୍ଷ ତଳେ ବ୍ରିଜର ଗ୍ରିଡ୍‌ରଗୁଡ଼ିକୁ ପରିବର୍ତ୍ତନ କରାଯାଇଥିଲା। ମାତ୍ର ଦିନର ସବୁ ସମୟରେ ଏହି ବ୍ରିଜ ଦେଇ ଭାରୀଯାନ ଚଳାଚଳ କରିବା ଯୋଗୁ ବ୍ରିଜର ସ୍ଥାୟୀତ୍ବ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାବାଦ୍‌ ୧ ଲେନ୍‌ ବିଶିଷ୍ଟ ଏହି ଅଣ ଓସାରିଆ ବ୍ରିଜ୍‌ରେ ଅନେକ ସମୟରେ ଭାରଯାନ ଫସି ରହୁଥିବାରୁ ଉଭୟ ପଟରେ ଗାଡ଼ି ମଟର ଅଟକି ରହୁଛି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଜାନୁଆରି ୯ ତାରିଖରେ ଏହି ପ୍ରକଳ୍ପର ଡିପିଆର୍‌ ପାଇଁ ମାର୍କ ଟେକ୍‌ନୋକ୍ରାଫ୍ଟ ଲିମିଟେଡ୍‌ ସହ ଚୁକ୍ତି ହୋଇଥିଲା। ତେବେ ଉକ୍ତ କମ୍ପାନିକୁ ଡିପିଆର୍‌ ପ୍ରସ୍ତୁତ କରିବାକୁ ୧୦ ମାସର ମହଲତ ଦିଆଯାଇଛି ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରାଓ କହିଛନ୍ତି।