ବ୍ରହ୍ମପୁର: ବ୍ରହ୍ମପୁରକୁ ସ୍ମାର୍ଟ ସହରରେ ପରିଗଣିତ କରିବା ପାଇଁ ବ୍ରହ୍ମପୁର ମହାନଗର ନିଗମ (ବିଏମ୍ସି)ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା। ସହରର ସୌନ୍ଦର୍ଯ୍ୟୀକରଣ, ଆଲୋକୀକରଣ, ୱାଇଫାଇ ସୁବିଧା ସହ ସୋଲାର୍ ବସ୍ଷ୍ଟପ୍ ପ୍ରତିଷ୍ଠା ସେଥିମଧ୍ୟରୁ ଅନ୍ୟତମ। ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗ କରି ଇଂଜିନିୟରିଂ ସ୍କୁଲ ଛକ ଏବଂ ଅାଙ୍କୋଲି ଶିଳ୍ପାଞ୍ଚଳ ଠାରେ ଏପରି ଦୁଇଟି ବସ୍ଷ୍ଟପ୍ ପ୍ରତିଷ୍ଠା ହୋଇଥିଲା। ଅକ୍ଷୟ ଶକ୍ତିର ଉତ୍ସ ସୌରଶକ୍ତିକୁ ବିଦ୍ୟୁତ୍ ଶକ୍ତିରେ ରୂପାନ୍ତର କରିବା ପାଇଁ ବସ୍ଷ୍ଟପ୍ର ଛାତରେ ଏକାଧିକ ସୌରଫଳକ (ସୋଲାର୍ ପ୍ୟାନେଲ୍) ଲାଗିଥିଲା। ସେହି ବିଦ୍ୟୁତ୍ଶକ୍ତିକୁ ସଂରକ୍ଷିତ ରଖିବା ସହ ସଂଜ ଗଡ଼ିଲାପରେ ଏହାକୁ ବିନିିଯୋଗ କରି ବସ୍ଷ୍ଟପ୍କୁ ଆଲୋକିତ କରିବା ବ୍ୟବସ୍ଥା ହୋଇଥିଲା। ବିଏମସିର ଏହି ସ୍ମାର୍ଟ ପଦକ୍ଷେପ କିନ୍ତୁ ବେଶି ଦିନ ତିଷ୍ଟିଲାନି। ଏବେ ଦୁଇଟିଯାକ ବସ୍ଷ୍ଟପ୍ରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ସନ୍ଧ୍ୟାପରେ ଏହି ବସ୍ଷ୍ଟପ୍ ସମ୍ପୂର୍ଣ୍ଣ ଅନ୍ଧାର। ଆଙ୍କୋଲି ଶିଳ୍ପାଂଚଳ ସ୍ଥିତ ବସ୍ଷ୍ଟପ୍ଟି ଆଖପାଖରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନର ଆଲୁଅ କିଛିକାଂଶରେ ଆଲୋକିତ ହେଉଛି। ସେହିପରି ଇଂଜିନିୟରିଂ ସ୍କୁଲଛକ ଠାରେ ନବନିର୍ମିତ ଓଭରବିଜ୍ ନିକଟରେ ଲାଗିଥିବା ହାଇମାଷ୍ଟଲାଇଟ୍ର ଆଳୋକ ଉପରେ ସେଠାରେ ଥିବା ସୌରଚାଳିତ ବସ୍ଷ୍ଟପ୍ ନିର୍ଭରଶୀଳ ହେଳାଭଳି ମନେହେଉଛି।
ଗତବର୍ଷ ଅଗଷ୍ଟ ୩୧ ସ୍ବାୟତ୍ଦିବସ ପାଳନ ଅବସରରେ ବିଏମ୍ସି ପକ୍ଷରୁ ମୋଟ୨.୬କୋଟି ଟଙ୍କାରର ବିଭିନ୍ନ ପ୍ରକଳ୍ପକୁ ଲୋକାର୍ପିତ କରାଯାଇଥିଲା। ନବନିର୍ବାଚିତ ସ୍ଥାନୀୟ ବିଧାୟକ ଏବଂ ସାଂସଦ ଏହାର ଉଦ୍ଘାଟନ କରିଥିଲେ। ଲୋକାର୍ପିତ ହୋଇଥିବା ପ୍ରକଳ୍ପ ମଧ୍ୟରେ ଏହି ଦୁଇ ସୋଲାର୍ ବସ୍ଷ୍ଟପ୍ ଅନ୍ତର୍ଭୁକ୍ତ ଥିଲା। ଯାହାକୁ ନେଇ ବିଏମସି ମଧ୍ୟ ବେଶ୍ ବାଃବା ସାଉଁଟିଥିଲା। କିନ୍ତୁ ଅଳ୍ପ ଦିନ ମଧ୍ୟରେ ଏହି ଦୁଇ ସୋଲାର୍ ବସ୍ଷ୍ଟପ୍ ଅଚଳ ହୋଇ ପଡ଼ିଲା। ଏହାର ମରାମତି ଏବଂ ରକ୍ଷଣାବେକ୍ଷଣକୁ ଗୁରୁତ୍ବ ଦିଆଯାଉନଥିବା ଅଭିଯୋଗ ହେଉଛି। ଦୁଇ ବସ୍ଷ୍ଟପ୍ର ବର୍ତ୍ତମାନ ସ୍ଥିତିକୁ ଦେଖିଲେ ସେଭଳି ଅନୁମେୟ ହେଉଛି। ଏକଦା ସହର ସୌନ୍ଦର୍ଯ୍ୟୀକରଣରେ ଏହା ସହାୟକ ହେଉଥିବା ବେଳେ ଏବେ ସହରର ସୌନ୍ଦର୍ଯ୍ୟହାନି କରୁଥିବା ଭଳି ଦେଖାଯାଉଛି। ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/solar-bus-stop.jpg)
