୨୧ରେ ବଳୟ ସୂର୍ଯ୍ୟୋପରାଗ, ଓଡ଼ିଶାରେ ଆଂଶିକ ଦେଖାଯିବ

ଖାଲି ଆଖିରେ, ଦୂରବୀକ୍ଷଣରେ ସୂର୍ଯ୍ୟୋପରାଗ ବିଲକୁଲ ଦେଖନ୍ତୁ ନାହିଁ

୧୦ଟା ୨୦ରୁ ଆରମ୍ଭ, ୨ଟା ୨୦ରେ ଶେଷ ହେବ
ଚନ୍ଦ୍ର ସୂର୍ଯ୍ୟ ବ୍ୟାସକୁ ୬୦ରୁ ୭୨% ଘୋଡ଼ାଇ ଦେବ

ଭୁବନେଶ୍ବର : ଆସନ୍ତା ୨୧ ତାରିଖରେ ବଳୟ ସୂର୍ଯ୍ୟୋପରାଗ। ତେବେ ଏହାର ପୂର୍ଣ୍ଣ ପରାଗ ପଥ ଉତ୍ତର ଭାରତର ଅଳ୍ପ କିଛି ଅଞ୍ଚଳ ଦେଇ ଯିବ। ଭାରତର ରାଜସ୍ଥାନ, ହରିୟାନା ଓ ଉତ୍ତରାଖଣ୍ଡ ରାଜ୍ୟରେ ପ୍ରାୟ ଏକ ମିନିଟ୍‌ ଧରି ବଳୟ ସୂର୍ଯ୍ୟୋପରାଗ ଦେଖାଯିବ। ଏହାବାଦ ଭାରତର ଅନ୍ୟ ସବୁ ଅଞ୍ଚଳରେ ଆଂଶିକ ପରାଗ ଦେଖାଯିବ। ଓଡ଼ିଶାରେ ଚନ୍ଦ୍ର ସୂର୍ଯ୍ୟ ବ୍ୟାସକୁ ୬୦ରୁ ୭୨ ପ୍ରତିଶତ ଘୋଡ଼ାଇ ଦେବ। ତେଣୁ ଓଡ଼ିଶାରେ ଆଂଶିକ ପରାଗ ଦେଖାଯିବ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।

ଓଡ଼ିଶା ସମେତ ଭାରତ‌ର ସବୁ ଅଞ୍ଚଳରେ ଏହା ପ୍ରାୟ ପୂର୍ବାହ୍ନ ୧୦ଟା ୨୦ରେ ଆରମ୍ଭ ହୋଇ ଦିନ ୨ଟା ୨୦ରେ ଶେଷ ହେବ। ୧୨ଟା ୧୫ରୁ ସାଢ଼େ ୧୨ଟା ମଧ୍ୟରେ ସର୍ବାଧିକ ପରାଗ ସଂଘଟିତ ହେବ। ଓଡ଼ିଶାରେ ମଧ୍ୟ ପରାଗର ଆରମ୍ଭ, ଶେଷ ଓ ସର୍ବାଧିକ ଘଟିବାର ସମୟ ସାମାନ୍ୟ ଭିନ୍ନ ରହିବ। ଭିନ୍ନ ଭିନ୍ନ ସ୍ଥାନରେ ପରାଗର ପରିମାଣରେ ମଧ୍ୟ ଭିନ୍ନତା ରହିବ। ଭୁବନେଶ୍ବରରେ ଏହା ପୂର୍ବାହ୍ନ ୧୦ଟା ୩୮ରେ ଆରମ୍ଭ ହୋଇ ଦିନ ୨ଟା ୯ ମିନିଟରେ ଶେଷ ହେବ। ସର୍ବାଧିକ ସଂଘଟିତ ସମୟ ରହିଛି ୧୨ଟା ୨୬ ମିନିଟ। ଏ ସମୟରେ ଚନ୍ଦ୍ର ସୂର୍ଯ୍ୟର ବ୍ୟାସକୁ ପ୍ରାୟ ୬୫ ପ୍ରତିଶତ ଘୋଡ଼ାଇ ଦେବ। ଲୋକେ ସୂର୍ଯ୍ୟୋପରାଗର ପରିମାଣ ଓ ସଠିକ୍‌ ସମୟ ମୋବାଇଲ୍‌ ଆପ୍‌ରେ ମଧ୍ୟ ସହଜରେ ପାଇପାରିବେ। ଏହି ବଳୟ ସୂର୍ଯ୍ୟୋପରାଗ ଏସିଆ ମହାଦେଶର କିଛି ଅଞ୍ଚଳ ସମେତ ଆଫ୍ରିକା ଓ ଉତ୍ତର-ପୂର୍ବ ୟୁରୋପ‌ରେ ଦେଖାଯିବ।

ପରାଗ ସମୟରେ ପୃଥିବୀ, ଚନ୍ଦ୍ର ଓ ସୂର୍ଯ୍ୟର ଅବସ୍ଥିତି ଅନୁସାରେ ୩ ପ୍ରକାରରେ ଆଂଶିକ, ପୂର୍ଣ୍ଣ ଓ ବଳୟ ପରାଗ ଘଟିଥାଏ। ପ୍ରତ୍ୟେକ ପୂର୍ଣ୍ଣ ସୂର୍ଯ୍ୟୋପରାଗ ପୂର୍ବରୁ ଓ ପରେ ଆଂଶିକ ପରାଗ ଦେଖାଯାଏ।

ଖାଲି ଆଖିରେ, ଦୂରବୀକ୍ଷଣରେ ସୂର୍ଯ୍ୟୋପରାଗ ବିଲକୁଲ ଦେଖନ୍ତୁ ନାହିଁ
ଏ ସମୟରେ ସୂର୍ଯ୍ୟ ବା ସୂର୍ଯ୍ୟୋପରାଗକୁ କେବେ ବି ଖାଲ ଆଖିରେ, ଦୂରବୀକ୍ଷଣ ଅବା ବାଇନାକୁଲାରେ ଦେଖିବା ନିରାପଦ ନୁହେଁ। ଏପରିକି ହଳଦୀ ପାଣି, ଏକ୍ସରେ ଫିଲ୍ମ, କଳା ଚଷମା, କଳା କାଚ ମାଧ୍ୟମରେ ସୂର୍ଯ୍ୟକୁ ବା ସୂର୍ଯ୍ୟ ପରାଗକୁ ବିଲକୁଲ ଦେଖିବା ଉଚିତ ନୁହେଁ । କେବଳ ସୌର ଚଷମା, ୧୪ ନମ୍ବର ୱେଲ୍‌ଡିଂ କାଚ, ପିନହୋଲ୍‌ ପ୍ରକ୍ଷେପଣ ଓ ଦର୍ପଣ ମାଧ୍ୟମରେ ପ୍ରତିଫଳନ କରି ଏହି ବିରଳ ଦୃଶ୍ୟକୁ ଦେଖି ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର