ଭୁବନେଶ୍ବର : ଆଜି ଦେଖିବାକୁ ମିଳିଛି ଚଳିତ ବର୍ଷର ଶେଷ ବିରଳ ବଳୟ ସୂର୍ଯ୍ୟୋପରାଗ। ଏହି ସମୟରେ ଚନ୍ଦ୍ରର ଛାଇ ସୂର୍ଯ୍ୟଙ୍କୁ ଘୋଡ଼ାଇ ଦେଇଥିଲା। ସକାଳ ୮ଟା ୨୦ରୁ ଏହା ଆରମ୍ଭ ହୋଇ ଦିନ ୧୧ଟା ୨୮ମିନିଟ୍ରେ ଶେଷ ହୋଇଥିଲା। ରାଜଧାନୀ ସମେତ ରାଜ୍ୟର ଅଧିକାଂଶ ଅଞ୍ଚଳର ଆକାଶ ମେଘାଚ୍ଛନ୍ନ ରହିଥିବାରୁ ଏହି ମହାଜାଗତିକ ଦୃଶ୍ୟ ବହୁତ କମ୍ ସମୟ ପାଇଁ ଦେଖିବାକୁ ମିଳିଥିଲା। ପ୍ରଥମଥର ୧୦ମିନିଟ୍ ଓ ଦ୍ବିତୀୟ ଥର ମାତ୍ର ୨ମିନିଟ୍ ପାଇଁ ଏହା ଦୃଶ୍ୟମାନ ହୋଇଥିବା ବେଳେ ୧୧ଟା ୨୮ ମଧ୍ୟରେ ଆଉ କିଛି କିଛି କ୍ଷଣ ଏହା ଦୃଶ୍ୟମାନ ହୋଇଥିଲା। ଏହିପରି ପାଖାପାଖି ୧୫ ମିନିଟ୍ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହୋଇଥିଲା। ଏହାକୁ ଦେଖିବା ଲାଗି ସକାଳୁ ପଠାଣି ସାମନ୍ତ ପ୍ଲାନେଟାରିୟମ୍ରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ତେବେ ଆସନ୍ତାବର୍ଷ ଜୁନ୍ ୨୧ତାରିଖରେ ନୂଆ ଦଶନ୍ଧିର ପ୍ରଥମ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେବ ବୋଲି ଜଣାପଡ଼ିଛି।
ପଠାଣି ସାମନ୍ତ ପ୍ଲାନେଟାରିୟମ୍ର ଉପ-ନିର୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକଙ୍କ ସୂଚନା ଅନୁସାରେ, ସକାଳ ୮ଟା ୨୦ମିନିଟ୍ରେ ସୂର୍ଯ୍ୟୋପରାଗ ଆରମ୍ଭ ହୋଇଥିବା ବେଳେ ଦିନ ୧୧ଟା ୨୮ମିନିଟ୍ରେ ଏହା ସର୍ବମୋକ୍ଷ ହୋଇଥିଲା। ସୂର୍ଯ୍ୟୋପରାଗ ଆରମ୍ଭରୁ ସକାଳ ୮ଟା ୫୦ ମିନିଟ୍ରୁ ୯ଟା ପର୍ଯ୍ୟନ୍ତ ଦଶ ମିନିଟ୍ ଏବଂ ପୁନର୍ବାର ସକାଳ ୧୦ଟା ୨୨ମିନିଟ୍ରୁ ୧୦ଟା ୨୪ ମିନିଟ୍ ପର୍ଯ୍ୟନ୍ତ ୨ ମିନିଟ୍ ପାଇଁ ଆଶିଂକ ଭାବେ ଏହା ଦୃଶ୍ୟମାନ ହୋଇଥିଲା। ରାଜ୍ୟରେ ଏହା ୫୫-୬୫ ପ୍ରତିଶତ ପର୍ଯ୍ୟନ୍ତ ଦୃଶ୍ୟମାନ ହୋଇଥିବା ବେଳେ ରାଜଧାନୀରେ ୬୦/୬୧ ପ୍ରତିଶତ ଦୃଶ୍ୟମାନ ହୋଇଛି। ସେହିପରି ଆସନ୍ତାବର୍ଷ ଜାନୁଆରି ମାସ ୧୦ତାରିଖ ଚନ୍ଦ୍ରଗ୍ରହଣ ଓ ଜୁନ୍ ମାସ ୨୧ତାରିଖରେ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେବ। ସୂର୍ଯ୍ୟୋପରାଗ ରାଜଧାନୀରେ ଆଶିଂକଭାବେ ଦୃଶ୍ୟମାନ ହେବ ଓ ଚନ୍ଦ୍ରଗ୍ରହଣ ରାଜ୍ୟବ୍ୟାପୀ ଦୃଶ୍ୟମାନ ହେବ। ଚନ୍ଦ୍ରଗହଣକୁ ଲୋକମାନେ ଖାଲି ଆଖିରେ ଦେଖିପାରିବେ। ଚନ୍ଦ୍ର ପୃଥିବୀଠାରୁ ଦୂରରେ ଥିବା ବେଳେ ଛୋଟ ଦେଖାଯାଇଥାଏ। ତେଣୁ ଏହି ସମୟରେ ଯଦି କୌଣସି ସୂର୍ଯ୍ୟୋପରାଗ ହୁଏ ତେବେ ଏହା ବଳୟ ଆକାରରେ ଦୃଶ୍ୟମାନ ହୋଇଥାଏ। ତେଣୁ ଆସନ୍ତାବର୍ଷ ଜୁନ୍ ମାସରେ ହେବାକୁ ଥିବା ସୂର୍ଯ୍ୟୋପରାଗ ମଧ୍ୟ ବଳୟ ସୂର୍ଯ୍ୟୋପରାଗ ହେବ।
ଆଜିର ସୂର୍ଯ୍ୟୋପରାଗ ପାଇଁ ପ୍ଲାନେଟାରିୟମ୍ରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ଟେଲିସ୍କୋପିକ୍ ପ୍ରୋଜେକସନ୍ର ବ୍ୟବସ୍ଥା କରାଯାଇଥିଲା। ଏହାସହ ଏଲସିଡି ଟିଭି ଜରିଆରେ ମଧ୍ୟ ଏହାକୁ ଦେଖିବା ପାଇଁ ବ୍ୟବସ୍ଥା ହୋଇଥିଲା। ଆସନ୍ତା ୧୦୦ବର୍ଷ(୨୦୦୧-୨୧୦୦ ମସିହା) ମଧ୍ୟରେ କେଉଁ କେଉଁ ବର୍ଷ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେବ ସେ ସଂପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା। ସୂର୍ଯ୍ୟୋପରାଗକୁ ନେଇ ଲୋକମାନଙ୍କ ମନରେ ରହିଥିବା ସନ୍ଦେହ ଦୂର କରିବା ପାଇଁ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା। ସୂର୍ଯ୍ୟୋପରାଗକୁ ଦେଖିବା ଲାଗି ବିଜ୍ଞାନ ଚେତନା ମଞ୍ଚ ପକ୍ଷରୁ ରାଜ୍ୟରେ ୧୫ହଜାରରୁ ଅଧିକ କଳା ଚଷମା ବଣ୍ଟନ କରାଯାଇଥିଲା। ପ୍ଲାନେଟାରିୟମ୍ରେ ଆଜି ୩ହଜାରରୁ ଅଧିକ ଲୋକ ସୂର୍ଯ୍ୟୋପରାଗ ଦେଖିଥିବା ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।