ଦେଖାଗଲା ଆଂଶିକ ସୂର୍ଯ୍ୟୋପରାଗ

ଭୁବନେଶ୍ବର : ବଳୟ ସୂର୍ଯ୍ୟୋପରାଗ ସଂଘଟିତ ହୋଇଯାଇଛି। ତେବେ ଓଡ଼ିଶାର ଅଧିକାଂଶ ସ୍ଥାନରେ ଆଂଶିକ ଭାବେ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଛି। ଭୁବନେଶ୍ବରରେ ଆକାଶ ମେଘାଚ୍ଛନ୍ନ ଯୋଗୁଁ ଦୃଶ୍ୟମାନ ହୋଇପାରିନାହିଁ। ପୂର୍ବ ସୂଚନା ମୁତାବକ ଏହା ପୂର୍ବାହ୍ନ ୧୦ଟା ୩୮ରେ ଭୁବନେଶ୍ବରରେ ଆରମ୍ଭ ହୋଇ ଅପରାହ୍‌ଣ ୨ଟା ୯ ମିନିଟ୍‌ରେ ଶେଷ ହୋଇଥିଲା। ତେବେ ଜମ୍ମୁ, ରାଜସ୍ଥାନ, ହରିୟାଣା ଓ ଉତ୍ତରାଖଣ୍ଡରେ ୧ ମିନିଟ ଧରି ବଳୟ ସୂର୍ଯ୍ୟୋପରାଗ ଦେଖା ଦେଇଥିଲା। ଏହା ବିଭିନ୍ନ ରଙ୍ଗ ସହ ଭିନ୍ନ ଆକାରର ଦୃଶ୍ୟମାନ ହୋଇଥିଲା।

ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ଓଡ଼ିଶାରେ କିଛି କିଛି ଅଞ୍ଚଳରେ ଏହା ଆଂଶିକ ଭାବେ ଦେଖିବାକୁ ମିଳିଛି। ବିଶେଷକରି ପୁରୀ ଜିଲ୍ଲା ନିମାପଡ଼ାର ବଉଳପଡ଼ା, ପିପିଲି ଓ ଖୋର୍ଧାର କିଛି ଅଞ୍ଚଳରେ ସୂର୍ଯ୍ୟୋପରାଗ ଆଂଶିକ ଭାବେ ଦେଖିବାକୁ ମିଳିଥିଲା। ଭୁବନେଶ୍ବରରେ ଏହା ୧୨ଟା ୨୬ରେ ସର୍ବାଧିକ ସଂଘଟିତ ହେବ ବୋଲି କୁହାଯାଇଥିଲେ ହେଁ ରାଜଧାନୀରେ ଲୋକେ ଏ ଦୃଶ୍ୟରୁ ବଞ୍ଚିତ ହୋଇଥିଲେ। ଡ. ପଟ୍ଟନାୟକ କହିଛନ୍ତି ସୂର୍ଯ୍ୟୋପରାଗ ସମୟରେ ପୃଥିବୀ ଓ ସୂର୍ଯ୍ୟ ମଝିରେ ଚନ୍ଦ୍ର ଏକ ସରଳରେଖାରେ ରହିଥିବାରୁ ଏପରି ଦୃଶ୍ୟମାନ ହୋଇଛି।

ମହାକାଶରେ ଆଜି ଦେଖିବାକୁ ମିଳିଥିବା ଏଇ ଛାଇ ଆଲୁଅର ଖେଳକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଡ.ପଟ୍ଟନାୟକ ନିଜ ଘରେ ଅନଲାଇନ ମାଧ୍ୟମରେ ଏହି ଦୃଶ୍ୟର ସିଧା ପ୍ରସାରଣ ବ୍ୟବସ୍ଥା କରାଇଥିଲେ। ଏଥିସହ ଭୁବନେଶ୍ବର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟେଲିସ୍କୋପ ଜରିଆରେ ସୁରକ୍ଷିତ ଫିଲ୍ଟର ସହଯୋଗରେ ଏହି ଆଂଶିକ ସୂର୍ଯ୍ୟୋପରାଗକୁ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ଫେସବୁକ ପୃଷ୍ଠାରେ ସିଧା ପ୍ରସାରଣ କରାଯାଇଥିଲା ବୋଲି ବିଜ୍ଞାନ କେନ୍ଦ୍ରର ଶିକ୍ଷା ଅଧିକାରୀ ଏଚ.ଏସ ଶତପଥୀ କହିଛନ୍ତି।

ସମ୍ବନ୍ଧିତ ଖବର