କାର୍ତ୍ତିକ ମାସରେ ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ

ପୁରୀ : ଆସନ୍ତା କାର୍ତ୍ତିକ ମାସରେ ଉଭୟ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ପଡ଼ୁଛି। ଏହି ସମୟରେ ପାକତ୍ୟାଗ ଓ ହାଣ୍ଡିଛାଡ଼ ଥିବାରୁ ମହାପ୍ରଭୁଙ୍କ ନୀତିକାନ୍ତି ବିଳମ୍ବ ହେବ। ଏଣୁ ଏହିଦିନ ବିଳମ୍ବିତ ନୀତିକାନ୍ତି ପାଇଁ ଭକ୍ତଙ୍କ ଦର୍ଶନ ବି ବିଳମ୍ବିତ ହେବ। ଆଜି ଛତିଶାନିଯୋଗ ବୈଠକରେ ଏସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି। ‌ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣରେ କେଉଁ ସମୟରେ ନୀତିକାନ୍ତି ଅନୁଷ୍ଠିତ ହେବ, ତାହା ଚୂଡ଼ାନ୍ତ ହୋଇଛି।

ଅକ୍ଟୋବର ୨୫ ତାରିଖରେ କେତୁଗ୍ରସ୍ତ ଖଣ୍ଡ ଗ୍ରାସ ସୂର୍ଯ୍ୟପରାଗ ପଡ଼ୁଛି। ଏହିଦିନ ଅପରାହ୍ଣ ୪ଟା ୫୬ ମିନିଟ୍‌ ୫୨ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ। ଏଣୁ ଏହିଦିନ ଭୋର ୪ଟା ୫୭ରୁ ଅନ୍ନଭୋଜନ, ପାକତ୍ୟାଗ ଓ ଦେବନୀତି ନିଷେ‌ଧ କରାଯାଇଛି। ଏଥିପାଇଁ ଶ୍ରୀମନ୍ଦିରରେ ନୀତିକାନ୍ତିରେ ପରିବର୍ତ୍ତନ କରାଯାଇଛି। ଗ୍ରହଣ ସ୍ପର୍ଶ ପରେ ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ ଆରମ୍ଭ ହେବ। ଗ୍ରହଣ ଭୋଗ ନୀତି ହୋଇ ଅନ୍ୟାନ୍ୟ ନୀତି ବଢ଼ିବ। ନଭେମ୍ବର ୮ ତାରିଖରେ ଅପରାହ୍ଣ ୨ଟା ୩୮ ମିନିଟ୍‌ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରୁଛି। ଏଣୁ ଏହିଦିନ ସକାଳ ୮ଟା ୨୯ରୁ ଅନ୍ନଭୋଜନ, ପାକ କର୍ମ ଓ ଦେବନୀତି ନିଷେଧ କରାଯାଇଛି। ଏହି ଗ୍ରହଣ ସର୍ବମୋକ୍ଷ ସଂଧ୍ୟା ୬ଟା ୧୮ ମିନିଟ୍‌ ୪୭ ସେକେଣ୍ଡରେ ହେବ। ଏ ନେଇ ଶ୍ରୀମନ୍ଦିର ନୀତିକାନ୍ତିରେ ବି ପରିବର୍ତ୍ତନ କରାଯାଇଛି। ଏହିଦିନ ଗ୍ରହଣ ସ୍ପର୍ଶ ପ‌ରେ ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ, ଗ୍ରହଣ ଭୋଗନୀତି ପରେ ଅନ୍ୟାନ୍ୟ ନୀତି ବଢ଼ିବ। କିନ୍ତୁ ଅନ୍ୟ ଦେବାଦେବୀ ମନ୍ଦିରରେ ଗ୍ରହଣ ସର୍ବମୋକ୍ଷ ପରେ ନୀତି ବଢ଼ିବ।

ସୂର୍ଯ୍ୟପରାଗ ପାଇଁ ଅକ୍ଟୋବର ୨୫ ତାରିଖ ଭୋର୍‌ ୪ଟା ୫୭ରେ ପାକତ୍ୟାଗ, ଦେବନୀତି ନିଷେଧ
ଚନ୍ଦ୍ରଗ୍ରହଣ ପାଇଁ ନଭେମ୍ବର ୮ ତାରିଖ ସକାଳ ୮ଟା ୨୯ରୁ ପାକତ୍ୟାଗ, ଦେବନୀତି ନିଷେଧ

ଅକ୍ଟୋବର ୨୫ ତାରିଖ ପାଇଁ ଚୂଡ଼ାନ୍ତ ନୀତିକାନ୍ତି ଅନୁଯାୟୀ, ରାତି ୧୨ଟାରେ ଦ୍ବାର ଫିଟା ପରେ ସାଢ଼େ ୧୨ଟାରେ ମଙ୍ଗଳ ଆଳତି, ରାତି ୨ଟାରେ ଦ୍ବାରପାଳ ପୂଜା, ୨ଟା ୨୦ରେ ଗୋପାଳବଲ୍ଲଭ, ସାଢ଼େ ୨ଟାରୁ ସାଢ଼େ ୩ଟା ସକାଳ ଧୂପ(କୋଠଭୋଗ), ୩ଟା ୪୦ରେ ଭୋଗମଣ୍ଡପ ଉଠିବ, ଭୋର ୪ଟାରେ ବାଳଧୂପ, ୪ଟା ୧୫ରେ ଅମାବାସ୍ୟା ଠାକୁର ଶ୍ରୀନାରାୟଣଙ୍କ ସାଗର ବିଜେ, ୪ଟା ୧୫ରୁ ୪ଟା ୪୦ ପର୍ଯ୍ୟନ୍ତ ମଇଲମ ଓ ବେଶ ଏବଂ ଭୋର ୪ଟା ୫୫ରେ ଭୋଗମଣ୍ଡପ ଶେଷ ହେବ। ସେହିଭଳି ନଭେମ୍ବର ୮ ତାରିଖରେ ରାତି ୧୨ଟାରେ ଦ୍ବାର ଫିଟା ପରେ ୨ଟା ୪୦ରେ ସୂର୍ଯ୍ୟପୂଜା, ରାତି ୩ଟାରେ ଦ୍ବାରପାଳ ପୂଜା ଓ ରାଜାଧିରାଜ ବେଶ, ୩ଟା ୩୦ରେ ଗୋପାଳବଲ୍ଲଭ, ୩ଟା ୫୦ରୁ ୪ଟା ୫୦ ସକାଳ ଧୂପ(କୋଠଭୋଗ), ୫ଟାରେ ଭୋଗମଣ୍ଡପ ଉଠିବ, ସାଢ଼େ ୫ଟାରେ ବାଳଧୂପ, ୫ଟା ୪୦ରେ ବନ୍ଦାପନା, ସାଢ଼େ ୭ଟାରେ ଭୋଗମଣ୍ଡପ ଶେଷ, ୭ଟା ୪୦ରେ ମଇଲମ ନୀତି ଅନୁଷ୍ଠିତ ହେବ। ଏଣୁ ଅକ୍ଟୋବର ୨୫ ସୂର୍ଯ୍ୟପରାଗ ପାଇଁ ପୂର୍ବ ରାତି ପହୁଡ଼ ପରଠାରୁ ପରଦିନ ସକାଳ ପ୍ରାୟ ୫ଟା ପର୍ଯ୍ୟନ୍ତ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ନିଷେଧ ରହିବ। ସେହିଭଳି ନଭେମ୍ବର ୮ ତାରିଖ ଚନ୍ଦ୍ରଗ୍ରହଣ ପାଇଁ ପୂର୍ବ ରାତି ପହୁଡ଼ଠାରୁ ପରଦିନ ସକାଳ ପ୍ରାୟ ୭ଟା ୪୦ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର