ଆରମ୍ଭ ହେଲା ବିରଳ ବଳୟ ସୂର୍ଯ୍ୟୋପରାଗ; ୧୧ଟା ୨୮ ମିନି୍‌ଟରେ ଶେଷ ହେବ

ଭୁବନେଶ୍ବର : ଆରମ୍ଭ ହୋଇଛି ବିରଳ ବଳୟ ସୂର୍ଯ୍ୟୋପରାଗ। ଏହି ମହାଜାଗତିକ ଦୃଶ୍ୟ ସମଗ୍ର ଓଡ଼ିଶାରେ  ଆଂଶିକ ଭାବେ ଦେଖାଯାଉଛି। ଓଡ଼ିଶାରେ ସକାଳ ୮ଟା ୧୯ ମିନିଟ୍‌ରୁ ଆରମ୍ଭ ହୋଇଛି ଏବଂ  ପୂର୍ବାହ୍ନ ୧୧ଟା ୨୮ ମିନି୍‌ଟରେ ଶେଷ ହେବ। ସକାଳ ୯ଟା ୪୬ ମିନିଟ୍‌ରେ ଓଡ଼ିଶାରେ ସର୍ବାଧିକ ଅଂଶ ଦେଖାଯିବ। ଏହି ସମୟରେ ଚନ୍ଦ୍ର ସୂର୍ଯ୍ୟକୁ ପ୍ରାୟ ୫୫ରୁ ୬୬ ପ୍ରତିଶତ ଘୋଡ଼ାଇଦେବ। ସୂର୍ଯ୍ୟର ଆଲୋକ ମଳିନ ଦେଖାଯିବା ସହ ଅଧା ଖଣ୍ଡିଆ ଭଳି ଦୃଶ୍ୟମାନ ହେବ, ଯାହା କି ଅତ୍ୟନ୍ତ ବିରଳ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ର ଉପନିର୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।

ଭୁବନେଶ୍ବରର ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ ଏବଂ ବୁର୍ଲାର ଅବ୍ଦୁଲକାଲାମ୍ ପ୍ଲାନେଟୋରିୟମ୍‌ରେ ସୂର୍ଯ୍ୟୋପରାଗ ଦେଖିବାର ବ୍ୟବସ୍ଥା କରାଯାଇଛି ଓ ବହୁ ଲୋକ ଏଠାରେ ସୌର ଚଷମା, ୧୪ ନମ୍ବର ୱେଲ୍‌ଡିଂ କାଚ, ପିନ୍ ହୋଲ୍‌ ପ୍ରକ୍ଷେପଣ ଓ ଦର୍ପଣର ପ୍ରତିଫଳନ ମାଧ୍ୟମରେ ଦେଖୁଛନ୍ତି। ତେବେ ସମ୍ବଲପୁର ଓ ପୁରୀରେ କୁହୁଡ଼ି ହେତୁ ସୂର୍ଯ୍ୟୋପରାଗ ସ୍ପଷ୍ଟ ଦେଖାଯାଉନାହିଁ।

ଏଥିସହ ଭୁବନେଶ୍ବର ସାମନ୍ତ ଚନ୍ଦ୍ରଶେଖର ଜ୍ୟୋତିର୍ବିଜ୍ଞାନୀ ପରିଷଦ ସହାୟତାରେ ପଦାର୍ଥ ବିଜ୍ଞାନ ଅନୁଷ୍ଠାନରେ ମଧ୍ୟ ଦୂରବୀକ୍ଷଣ ମାଧ୍ୟମରେ ସୂର୍ଯ୍ୟୋପରାଗ ଦେଖିବାର ବ୍ୟବସ୍ଥା କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ ଅନୁଷ୍ଠାନ, ପ୍ଲାନେଟୋରିୟମ ଓ ବିଜ୍ଞାନପ୍ରେମୀ ସୌର ଚଷମା ଯୋଗାଇ ଦେବା ସହ ଏହା ଦେଖିବାର ବ୍ୟବସ୍ଥା କରିଛନ୍ତି। ବିଜ୍ଞାନ ଚେତନା ମଞ୍ଚ ପକ୍ଷରୁ ବିଜେବି କଲେଜ୍‌ ପଡ଼ିଆରେ ମଧ୍ୟ ସୂର୍ଯ୍ୟୋପରାଗ ନିରାପଦରେ ଦେଖିବାର ବ୍ୟବସ୍ଥା କରାଯାଇଛି । ଏହି ସବୁ ସ୍ଥାନରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ଜନସାଧାରଣ ସମବେତ ହୋଇ ଏହି ବିରଳ ମହାଜାଗତିକ ଦୃଶ୍ୟ ଦେଖୁଛନ୍ତି।

ଏହି ସମୟରେ ପୃଥିବୀ ଓ ସୂର୍ଯ୍ୟ ମଝିରେ ଚନ୍ଦ୍ର ‌ଏକ ସରଳରେଖାରେ ରହିଥାଏ ଏବଂ ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡ଼ିଥାଏ। ତେଣୁ ଲୋକେ କିଛି ସମୟ ପାଇଁ ଦିନ ବେଳେ ସୂର୍ଯ୍ୟଙ୍କୁ ଦେଖିପାରନ୍ତି ନାହିଁ। ସୂର୍ଯ୍ୟୋପରାଗ ସମୟରେ ସୂର୍ଯ୍ୟକୁ ଖାଲି ଆଖିରେ ‌ଦେଖିବା ଉଚିତ ନୁହେଁ। ଏହି ଦୃଶ୍ୟକୁ ନିରାପଦ ଉପାୟରେ ଦେଖାଯାଇ ପାରିବ। ସୌର ଚଷମା, ୧୪ ନମ୍ବର ୱେଲ୍‌ଡିଂ କାଚ, ପିନ୍ ହୋଲ୍‌ ପ୍ରକ୍ଷେପଣ ଓ ଦର୍ପଣର ପ୍ରତିଫଳନ ମାଧ୍ୟମରେ ଏହା ଦେଖି ହେବ।ଲୋକମତ ମୁତାବକ ସୂର୍ଯ୍ୟୋପରାଗ ଯୋଗୁଁ ଦେବନୀତିରେ ପରିବର୍ତ୍ତନ, ପାକ ନିଷେଧ, ଗର୍ଭବତୀ ମହିଳାଙ୍କ ଉପରେ କଟକଣା ରହିଥିଲେ ହେଁ ବୈଜ୍ଞାନିକ ମତରେ ଏହା ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର