ପୁରୀ/ ପୁରୁଣା ଭୁବନେଶ୍ବର : କାର୍ତ୍ତିକ ମାସରେ ପଡ଼ୁଛି ଉଭୟ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟୋପରାଗ। ଏହି ସମୟରେ ପାକତ୍ୟାଗ ଓ ହାଣ୍ଡିଛାଡ଼ ଥିବାରୁ ଦେବ ନୀତି କିଭଳି ହେବ, ରାଜ୍ୟବାସୀ କିଭଳି ପାଳିବେ ତାହା ଉପରେ ଏବେ ସବୁଠି ଚର୍ଚ୍ଚା ଚାଲିଛି। ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଂପାଦକ ପ୍ରଫୁଲ୍ଲ କୁମାର ମିଶ୍ର କହିଛନ୍ତି ଯେ ୨୪ ତାରିଖ ଅପରାହ୍ନ ୫ଟା ୪୭ ପରେ ଅମାବାସ୍ୟା ଲାଗିବ। ଯେହେତୁ ୨୫ ତାରିଖ ରାତିକୁ ଅମାବାସ୍ୟା ନାହିଁ, ଏଣୁ ଏବର୍ଷ ୨୪ ତାରିଖ ଦିନ ଅମାବାସ୍ୟା ଲାଗିବା ପରେ ହିଁ ପୟାଶ୍ରାଦ୍ଧ, ଦୀପଦାନ, ବଡ଼ବଡ଼ୁଆ ଡାକ ଏବଂ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ ହେବ। ୨୫ ତାରିଖରେ ସୂର୍ଯ୍ୟୋପରାଗ ରହିଛି।
ଶ୍ରୀମନ୍ଦିର ପରିଚାଳନା କମିଟି ସଭ୍ୟଙ୍କ କହିବା କଥା ହେଉଛି, ଗତ ୨୨ ତାରିଖ ଛତିଶାନିଯୋଗ ଓ ଗତ ୨୯ ତାରିଖ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ସଂପର୍କରେ ବିସ୍ତୃତ ଆଲୋଚନା ପରେ ସୂେର୍ଯ୍ୟାପରାଗ ଓ ଚନ୍ଦ୍ରଗ୍ରହଣରେ କେଉଁ ସମୟରେ ନୀତିକାନ୍ତି ଅନୁଷ୍ଠିତ ହେବ, ତାହା ଚୂଡ଼ାନ୍ତ ହୋଇଛି। ଅକ୍ଟୋବର ୨୫ ତାରିଖ ଦୀପାବଳି ଅମାବାସ୍ୟାରେ ସୂେର୍ଯ୍ୟାପରାଗ ପଡ଼ୁଛି। ଏହି ଦିନ ଅପରାହ୍ନ ୪ଟା ୫୬ ମିନିଟ୍ ୫୨ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ। ଏଣୁ ଏହିଦିନ ଭୋର ୪ଟା ୫୭ରୁ ଅନ୍ନଭୋଜନ, ପାକତ୍ୟାଗ ଓ ଦେବନୀତି ନିଷେଧ କରାଯାଇଛି। ଏଥିପାଇଁ ଶ୍ରୀମନ୍ଦିରରେ ନୀତିକାନ୍ତିରେ ପରିବର୍ତ୍ତନ କରାଯାଇଛି। ଗ୍ରହଣ ସ୍ପର୍ଶ ପରେ ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ ଆରମ୍ଭ ହେବ। ଗ୍ରହଣ ଭୋଗ ନୀତି ହୋଇ ଅନ୍ୟାନ୍ୟ ନୀତି ବଢ଼ିବ।
ବିଧିରେ ବାଧା
୨୪ତାରିଖରେ ପୟାଶ୍ରାଦ୍ଧ, ବଡ଼ବଡ଼ୁଆ ଡାକ, ଶ୍ୟାମାକାଳୀ ପୂଜା
ପୂର୍ଣ୍ଣମୀରେ ଗ୍ରହଣ; ଭୋର ୪ଟା ୨୯ ପୂର୍ବରୁ ଡଙ୍ଗାଭସା
ସେହିଭଳି ନଭେମ୍ବର ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡ଼ୁଛି। ଏହିଦିନ ଅପରାହ୍ନ ୨ଟା ୩୮ ମିନିଟ୍ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରୁଛି। ତେଣୁ ସକାଳ ୮ଟା ୨୯ରୁ ଅନ୍ନଭୋଜନ, ପାକ କର୍ମ ଓ ଦେବନୀତି ନିଷେଧ କରାଯାଇଛି। ଏହି ଗ୍ରହଣ ସର୍ବମୋକ୍ଷ ସନ୍ଧ୍ୟା ୬ଟା ୧୮ ମିନିଟ୍ ୪୭ ସେକେଣ୍ଡରେ ହେବ। ଏ ନେଇ ଶ୍ରୀମନ୍ଦିର ନୀତିକାନ୍ତିରେ ବି ପରିବର୍ତ୍ତନ କରାଯାଇଛି। ଗ୍ରହଣ ସ୍ପର୍ଶ ପରେ ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ, ଗ୍ରହଣ ଭୋଗନୀତି ପରେ ଅନ୍ୟାନ୍ୟ ନୀତି ବଢ଼ିବ। କିନ୍ତୁ ଅନ୍ୟ ଦେବାଦେବୀ ମନ୍ଦିରରେ ଗ୍ରହଣ ସର୍ବମୋକ୍ଷ ପରେ ନୀତି ବଢ଼ିବ।
ଏ ସଂପର୍କରେ ପଣ୍ଡିତ ଗୋପୀନାଥ କର କହିଛନ୍ତି ଯେ ନଭେମ୍ବର ୮ ତାରିଖ ମଙ୍ଗଳବାର ଚନ୍ଦ୍ରଗ୍ରହଣ ପଡୁଛି। ସେଦିନ କାର୍ତ୍ତିକପୂର୍ଣ୍ଣିମା ହୋଇଥିବା ବେଳେ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ ହେବ। ନଭେମ୍ବର ୮ ମଙ୍ଗଳବାର ଦିନ ୨ଟା ୩୯ ମିନିଟଠାରୁ ଚନ୍ଦ୍ର ଗ୍ରହଣ ସ୍ପର୍ଶ କରୁଥିବାରୁ ଏହାର ୯ଘଣ୍ଟା ପୂର୍ବରୁ ଅର୍ଥାତ୍ ସେଦିନ ଭୋର ୪ଟା ୨୯ମିନିଟ୍ ପୂର୍ବରୁ କାର୍ତ୍ତିକ ନୀତି ସମ୍ପାଦନ କରାଯାଇପାରେ। ମଙ୍ଗଳବାର ସନ୍ଧ୍ୟା ୬ଟା ୧୯ ମିନିଟ ପର୍ଯ୍ୟନ୍ତ ଦେବନୀତି ଓ ପାକ ନିଷେଧ। ଅର୍ଥାତ୍ ସକାଳ ୪ଟା ୨୯ ପରେ ଆଉ ଡଙ୍ଗାଭସା ହୋଇପାରିବ ନାହିଁ।
ପଣ୍ଡିତ ଗୋପୀନାଥ କରଙ୍କ ମତରେ ଚଳିତ ମାସ ୨୫ ତାରିଖ ମଙ୍ଗଳବାର ଦୀପାବଳି ଅମାବାସ୍ୟା ପଡୁଛି। ସେଦିନ କିନ୍ତୁ ସୂର୍ଯ୍ୟୋପରାଗ ସଂଗଠିତ ହେଉଛି। ସୂର୍ଯ୍ୟୋପରାଗ କାରଣରୁ ସେଦିନ ଦେବନୀତି ଓ ପାକ ନିଷେଧ ରହିବ। ପଞ୍ଜିକା ଅନୁଯାୟୀ ଦୀପାବଳି ଅମାବାସ୍ୟାରେ ସୂର୍ଯ୍ୟୋପରାଗ ଅପରାହ୍ନ ୪ଟା ୫୪ ମିନିଟ ୫୫ ସେକେଣ୍ଡରେ ସ୍ପର୍ଶ କରୁଛି।
ଏହାର ୧୨ ଘଣ୍ଟା ପୂର୍ବରୁ ଦେବନୀତି ଓ ପାକ ତ୍ୟାଗ ହେବ ବୋଲି ପଣ୍ଡିତ କର କହିଛନ୍ତି। ସୂର୍ଯ୍ୟୋପରାଗ ପାଇଁ ମଙ୍ଗଳବାର ଭୋର୍ ୪ଟା ୫୪ ମିନିଟ ୫୫ ସେକେଣ୍ଡଠାରୁ ଦେବନୀତି ଓ ପାକ କର୍ମ ବା ରୋଷେଇ କର୍ମ ବନ୍ଦ ରହିବ। ଅନ୍ନ ଭୋଜନ ହୋଇ ପାରିବନାହିଁ। ବୁଧବାର ସୂର୍ଯ୍ୟୋଦୟ ହେବା ପରେ ଯାଇ ଦେବନୀତି ଓ ପାକ କାର୍ଯ୍ୟ କରାଯାଇପାରିବ। ଯେଉଁମାନେ ଅମାବାସ୍ୟାରେ ମଙ୍ଗଳବାର ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବେ କେବଳ କଞ୍ଚା ପରିବା ଓ ଫଳରେ ଭୋଜ୍ୟ ଦିଆଯାଇପାରିବ। କେବଳ ବାଳକ, ବୃଦ୍ଧ, ରୋଗୀ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଖାଦ୍ୟ ଗ୍ରହଣ କୋହଳ କରାଯାଇପାରିବ। ଏଣୁ ଏହି ଦୁଇ ପବିତ୍ର ଦିବସ ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ନିଷ୍ପତ୍ତି ପାଇଁ ସ୍ବତନ୍ତ୍ର ବୈଠକ ଡକାଯିବ ବୋଲି ଜଣାପଡ଼ିଛି।