ଛତ୍ରପୁର: ସୃଜନଶୀଳତା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ସରକାରୀ ଆଇଟିଆଇ ବିଦ୍ୟାର୍ଥୀ ଆଉ ପାଦେ ଆଗକୁ ବଢ଼ିଛନ୍ତି। ଅନୁଷ୍ଠାନର ପ୍ରଶିକ୍ଷକଙ୍କ ତତ୍ତ୍ବାବଧାନରେ ଛାତ୍ରଛାତ୍ରୀ ରାଜ୍ୟର ପ୍ରଥମ ସୌରଚାଳିତ ଇଲେକ୍ଟ୍ରିକ୍ ବାଇକ୍ ଚାର୍ଜିଂ ଷ୍ଟେସନ୍ ପ୍ରତିଷ୍ଠା କରିଛନ୍ତି। ଆଜି ବିଶ୍ବ ଯୁବ ଦକ୍ଷତା ଦିବସରରେ ଏହାକୁ ଲୋକାର୍ପଣ କରାଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ପ୍ରିୟବ୍ରତ ପଣ୍ତାଙ୍କ ସଂଯୋଜନାରେ ଗଞ୍ଜାମ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତିଭାସନ୍ ଏହି ଚାର୍ଜିଂ ଷ୍ଟେସନ୍‌କୁ ଉଦ୍‌ଘାଟନ କରିଥି‌ଲେ।

Advertisment

ସଂପ୍ରତି ପରିବେଶ ସୁରକ୍ଷା ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଚେତନତା ବଢ଼ିବା ସାଙ୍ଗକୁ ଇଲେକ୍ଟ୍ରିକ୍ ଯାନର ଚାହିଦା ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଇବାରେ ଲାଗିଛି। ଏହାସହ ଓଡ଼ିଶା ସରକାରଙ୍କ ଦ୍ବାରା ରିହାତି ଦରରେ ସମସ୍ତ ସରକାରୀ କର୍ମଚାରୀଙ୍କୁ ଇଲେକ୍ଟ୍ରିକ୍ ବାଇକ୍ ଯୋଗାଇ ଦିଆଯାଉଛି। ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଏହି ସୌରଚାଳିତ ଚାର୍ଜିଂ ଷ୍ଟେସନ୍ ସମସ୍ତଙ୍କ ପାଇଁ ଉପଯୋଗୀ ହୋଇପାରିବ। ଅନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ପ୍ରଶିକ୍ଷକଙ୍କ ଏହି ଉଦ୍ୟମ ପାଇଁ ଶ୍ରୀ ଭାସନ୍ କୃତଜ୍ଞତା ଜଣାଇଥିଲେ। ସେହିପରି ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଏବଂ ସେମାନଙ୍କୁ ରୋଜଗାରକ୍ଷମ କରିବା ଦିଗରେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନର ସହାୟତାର ହାତ ବଢ଼ାଉଛି ବୋଲି ଶ୍ରୀ ଭାସନ୍ କହିଛନ୍ତି।

ସୂଚନା ଥାଉକି, ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ପଣ୍ଡାଙ୍କ ଦିଗ୍‌ଦର୍ଶନରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସ୍କ୍ରାପ୍‌ରେ ପ୍ରସ୍ତୁତ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଓ ଡାକୋଟା ବିମାନ ପ୍ରସ୍ତୁତ କରି ରାଜ୍ୟରେ ପ୍ରଶଂସିତ ହୋଇଥିଲେ। ଏଥିପାଇଁ ଅଧ୍ୟକ୍ଷଙ୍କୁ ରାଜ୍ୟ ଦକ୍ଷତା ବିକାଶ ବିଭାଗ ପକ୍ଷରୁ ଆହୁରି କିଛି ଅଭିଜ୍ଞତା ହାସଲ ପାଇଁ ସିଙ୍ଗାପୁର ପଠାଯାଇଥିଲା। ଆଗାମୀ ଦିନରେ ଅନୁଷ୍ଠାନର ଛାତ୍ରଛାତ୍ରୀ ଓ ପ୍ରଶିକ୍ଷକଙ୍କ ଦ୍ବାରା ସୌରଚାଳିତ ଇଲେକ୍ଟ୍ରିକ୍ ଚାରିଚକିଆ ଯାନ ପାଇଁ ଚାର୍ଜିଂ ଷ୍ଟେସନ୍ ନିର୍ମାଣ ହେବ। ଏହାର ସଫଳ ରୂପାୟନ ପରେ ଛତ୍ରପୁର ଏନ୍‌ଏସି ସହିତ ଚୁକ୍ତିନାମା ସ୍ବାକ୍ଷର ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।