ବ୍ରହ୍ମପୁର : ‘ସୋଲାର୍ ଗାନ୍ଧୀ’ ଭାବେ ପରିଚିତ ଶକ୍ତି ସ୍ବରାଜ ସଂସ୍ଥାର ସଂସ୍ଥାପକ ତଥା ବମ୍ବେ ଆଇଆଇଟି ପ୍ରଫେସର୍ ଚେତନ ସିଂ ସୋଲାଙ୍କି ‘ଶକ୍ତି ସ୍ବରାଜ ଯାତ୍ରା’ରେ ଆସି ବ୍ରହ୍ମପୁରରେ ପହଞ୍ଚିଛନ୍ତି। ନିଜର ଆବଶ୍ୟକତାକୁ ପୂରଣ ପାଇଁ ପ୍ରକୃତି ଉପରେ ନିର୍ଭର କରିବା, ଯଥାସମ୍ଭବ କମ୍ ଶକ୍ତି ବିନିଯୋଗ କରିବା, ଏହି ଆବଶ୍ୟକ ଶକ୍ତିକୁ ନିଜେ ସୌର ଶକ୍ତିରୁ ହାସଲ କରିବା ପାଇଁ ପ୍ରୟାସ କରିବା, ଏନେଇ ଲୋକଙ୍କୁ ମଧ୍ୟ ସଚେତନ କରାଇବା ହେଉଛି ଏହି ଯାତ୍ରାର ମୂଳଲକ୍ଷ୍ୟ। ଏହି ଅବସରରେ ଶତ ପ୍ରତିଶତ ସୌର ଶକ୍ତି ବିନିଯୋଗ ଉପରେ ସେ ଗୁରୁତ୍ବାରୋପ କରିଛନ୍ତି।
/sambad/media/post_attachments/wp-content/uploads/2022/05/solar-f-282x300.jpg)
ପ୍ରଫେସର ସୋଲାଙ୍କି ୨୦୨୦ରୁ ଶକ୍ତି ସ୍ବରାଜ ଯାତ୍ରା ଆରମ୍ଭ କରିଛନ୍ତି। ଏଥିପାଇଁ ସେ ନିଜର କିଛି ସହଯୋଗୀଙ୍କ ସହ ଏକ ସ୍ବତନ୍ତ୍ର ବସ୍ରେ ଭାରତ ଭ୍ରମଣ କରୁଛନ୍ତି। ଏହି ସ୍ବତନ୍ତ୍ର ବସ୍ ଉପରେ ସୋଲାର୍ ପ୍ୟାନେଲ୍ ବିଛାଯାଇଛି, ଯେଉଁଥିରୁ ଉତ୍ପନ୍ନ ହେଉଥିବା ଶକ୍ତି ସେମାନଙ୍କ ଦୈନନ୍ଦିନ ଆବଶ୍ୟକତା ପୂରଣ କରୁଛି। ଗତକାଲି ସେ ରାତିରେ ଆସି ବ୍ରହ୍ମପୁର ଶିଳ୍ପ ତାଲିମ୍ ଅନୁଷ୍ଠାନରେ ପହଁଚିଥିଲେ। ଆଜି ସକାଳେ ଆଇଟିଆଇ ପକ୍ଷରୁ ସୌରଶକ୍ତି ଉତ୍ପନ୍ନ ପାଇଁ ପ୍ରସ୍ତୁତ ହୋଇଥିବା ଏକ ସୋଲାର୍ ବ୍ୟବସ୍ଥାକୁ ଉନ୍ମୋଚନ କରିଥିଲେ। ପରେ ଏହାର ସମ୍ମିଳନୀ କକ୍ଷରେ ଆୟୋଜିତ ‘ଜଳବାୟୁ ପରିବର୍ତ୍ତନ ଓ ମୁଁ’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇଥିଲେ। ମଣିଷର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଏଥିପାଇଁ ଅଧିକ ଶକ୍ତିର ଆବଶ୍ୟକତା ପଡ଼ୁଛି। ଏଥିପାଇଁ କୋଇଲା ଏବଂ ପେଟ୍ରୋଲିୟମ୍ ଜାତ ସମାଗ୍ରୀ ଉପରେ ଆମେ ଅଧିକ ମାତ୍ରାରେ ନିର୍ଭରଶୀଳ। ଫଳରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ମାତ୍ରା ଅହେତୁକ ମାତ୍ରାରେ ବୃଦ୍ଧି ପାଇବାରେ ଲଗିଛି। ଏଥିପାଇଁ ବିଶ୍ବତାପନ ଭଳି ଗୁରୁତର ସମସ୍ୟା ଦେଖାଦେଇଛି। ଏହା ମଣିଷର ଅସ୍ତିତ୍ବ ପ୍ରତି ସଂକଟ ସୃଷ୍ଟି କରୁଛି। ସେଥିପାଇଁ ନିଜର ଆବଶ୍ୟକତା କମ୍ କରିବା ସହ ଶତପ୍ରତିଶତ ସୌରଶକ୍ତିର ଉପଯୋଗ କରିବା ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ।
ଆଇଟିଆଇ ଅଧ୍ୟକ୍ଷ ଡ.ରଜତ କୁମାର ପାଣିଗ୍ରାହୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଇଟିଆଇ, ୟୁସିପି ଯାନ୍ତ୍ରିକ ବିଦ୍ୟାଳୟ ଏବଂ ପଲିଟେକ୍ନିକ୍ର ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/solar-3.jpg)