ଖୋର୍ଧା: ପ୍ରତିବର୍ଷ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚାଲେ ବିଭିନ୍ନ ପ୍ରକାରର ଆନୁଷଙ୍ଗିକ ପ୍ରସ୍ତୁତି। ସେହି କ୍ରମରେ ଖୋର୍ଧାର ରାଉତପଡ଼ାରୁ ତିନି ଠାକରୁଙ୍କ ପାଇଁ ପାଟବସ୍ତ୍ର ଗଲା ଭଳି ତିନି ରଥକୁ ଅଧିକ ସୁନ୍ଦର ଓ ଆକର୍ଷଣ କରିବା ପାଇଁ ସୋଲରେ ତିଆରି କଦମ୍ବ ଫୁଲ ମଧ୍ୟ ପଠାଯାଇଥାଏ ଖୋର୍ଧା ଗୁରୁଜଙ୍ଗର ଭୋଇ ପରିବାରରୁ। ୨୦୦୪ ମସିହାରୁ ତିନିରଥରେ ଫୁଲ ଲାଗି କରିବାକୁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନରୁ ଅନୁମତି ପାଇଥିବା ଏହି ଗାଁର ରାଜ କିଶୋର ନାୟକଙ୍କ ପରିବାର ସମ୍ପ୍ରତି ସୋଲ ଫୁଲ ତିଆରି କରିବା ପାଇଁ ରାତି ଦିନ ଏକ କରିଦେଇଛନ୍ତି। ରାଜ କିଶୋର ଏବଂ ତାଙ୍କ ଭାଇ ବୀର କିଶୋରଙ୍କ ସହ ପରିବାରର ଅନ୍ୟମାନେ ଅତି ନିଷ୍ଠାର ସହ ଏହି ସୋଲ ଫୁଲ ତିଆରି କରିବାରେ ଲାଗି ପଡ଼ିଛନ୍ତି।
ସୂଚନା ଥାଉ କି, ଏହି କୃତ୍ରିମ କଦମ୍ବ ଫୁଲର ମୁଖ୍ୟ ଉପାଦାନ ସୋଲକୁ ସେମାନେ କାର୍ତ୍ତିିକ ମାସରୁ ନିମାପଡ଼ା, ଅସ୍ତରଙ୍ଗ, କାକଟପୁର, ପିପିଲି ଏବଂ କୋଣାର୍କ ଆଦି ଅଞ୍ଚଳରୁ ସଂଗ୍ରହ କରି ଆଣିଥାନ୍ତି। ତା’ପରେ ତା’କୁ ଖରାରେ ଶୁଖାଇ ଛୋଟ ଛୋଟ ଖଣ୍ଡ କରି ସାଇତି ରଖିଥାଆନ୍ତି। ଅକ୍ଷୟ ତୃତୀୟାଠାରୁ ପୁରୀ ବଡ଼ଦାଣ୍ଡରେ ରଥକାମ ଆରମ୍ଭ ହେବା ଦିନଠାରୁ ରାଜକିଶୋର ତାଙ୍କ ଛୁରୀ ଓ ଅନ୍ୟାନ୍ୟ ସରଞ୍ଜାମ ସବୁ ପୂଜା କରି ସୋଲର କଦମ୍ବ ଫୁଲ ଗଢ଼ିିବା ଅନୁକୂଳ କରିଥାଆନ୍ତି। ସେହିଦିନଠାରୁ ସାରା ପରିବାର ନୀତି ନିଷ୍ଠା ମାନି ଏହି କାର୍ଯ୍ୟରେ ନିୟୋଜିତ ହୋଇଥାଆନ୍ତି। ସମସ୍ତେ ଅରୁଆ ଏବଂ ନିରାମିଷ ଭୋଜନ କରି ଦିନକୁ ୭ରୁ ୮ ଘଣ୍ଟା ପରିଶ୍ରମରେ ସୋଲରେ କଦମ୍ବ ଫୁଲ ଫୁଟାଇଥାଆନ୍ତି। ତାହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଫୁଲ ମଝିରେ ଗୋଟିଏ ଗୋଟିଏ ଚୁମୁକି ଲଗାଯାଇଥାଏ। ଅକ୍ଷୟ ତୃତୀୟା ଦିନଠାରୁ ନେତ୍ର ଉତ୍ସବ ପର୍ଯ୍ୟନ୍ତ ଫୁଲ ତିଆରି ଚାଲିଥାଏ। ନେତ୍ର ଉତ୍ସବ ଦିନ ରାଜ କିଶୋର ଓ ତାଙ୍କ ଭାଇ ବୀର କିଶୋର ନିଜେ ଫୁଲତକ ନେଇ ମନ୍ଦିର କାର୍ଯ୍ୟାଳୟରେ ସମର୍ପି ଦେବା ପରେ ରଥରେ ନିଶୁଣି ଲଗାଇ ଫୁଲଗୁଡ଼ିକ ସୁନ୍ଦର ଭାବେ ଖଞ୍ଜାଯାଇଥାଏ। ବଡ଼ଦାଣ୍ଡରେ ରଥଗୁଡ଼ିକ ନାଲି, ହଳଦିଆ ଓ ସବୁଜ ରଙ୍ଗର କନାରେ ଆବୃତ୍ତ ହୋଇଥିବା ବେଳେ ତାହା ଉପରେ ରାଜକିଶୋରଙ୍କ ହାତ ତିଆର ଧଳା ରଙ୍ଗର ସୋଲ ଫୁଲ ବେଶ୍ ମନଲୋଭା ଦେଖାଯାଏ। ଦୀର୍ଘ ପନ୍ଦର ବର୍ଷ ହେଲା ତିନି ରଥରେ ଚଢ଼ି ରଥକୁ ସୁନ୍ଦର କରିବାର ସୁଯୋଗ କେବଳ ରାଜକିଶୋର ଓ ତାଙ୍କ ପରିବାର ଭାଗ୍ୟରେ ଜୁଟିଛି। ତିନି ଠାକରୁଙ୍କର ଏହି ଅନନ୍ୟ ସେବାର ସୁଯୋଗ ପାଇଥିବାରୁ ସେମାନେ ନିଜକୁ ଧନ୍ୟ ମନେ କରିଥାଆନ୍ତି। ଏହି ଫୁଲ ତିଆରି ପାଇଁ ସେ କାହାଠାରୁ କୌଣସି ତାଲିମ ନେଇନାହାନ୍ତି କି ଏଥିପାଇଁ କୌଣସି ପାରିଶ୍ରମିକ ସରକାର କିମ୍ବା ଶ୍ରୀଜଗନ୍ନାଥ ପ୍ରଶାସନ ପାଖରୁ ପାଇନାହାନ୍ତି। କେବଳ ଜଗତର ନାଥ ଜଗନ୍ନାଥଙ୍କ ଅପାର କରୁଣା ଓ ଆଶୀର୍ବାଦ ସେମାନଙ୍କୁ ସୋଲ ଫୁଲ ପ୍ରସ୍ତୁତିରେ ସାହା ହୋଇଥାଏ ବୋଲି ରାଜକିଶୋର କହିଛନ୍ତି। ଅପରପକ୍ଷେ, ପୂର୍ବରୁ ତିନି ରଥରେ ସେମାନେ ବହୁସଂଖ୍ୟାରେ ସୋଲ ଫୁଲ ଲଗାଉଥିଲେ। ମାତ୍ର ଏବେ ସୋଲ ସଂଗ୍ରହ ପାଇଁ ଅର୍ଥାଭାବ ଯୋଗୁଁ ଯଥେଷ୍ଟ ସଂଖ୍ୟାରେ ଫୁଲ ତିଆରି କରିପାରୁନଥିବାରୁ ରାଜକିଶୋରଙ୍କ ମନରେ ଅବସୋସ ରହିଯାଉଥିବା ସେ କହିଛନ୍ତି।
ରଥରେ ଲାଗିବ ସୋଲର କଦମ୍ବ ଫୁଲ
ପ୍ରସ୍ତୁତିରେ ମଗ୍ନ ଗୁରୁଜଙ୍ଗର ଭୋଇ ପରିବାର
/sambad/media/post_attachments/wp-content/uploads/2018/07/Sola-Fula.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)