‘ସମ୍ବାଦ’ ଓ ପ୍ରୋଜେକ୍ଟ ଚିରାଗ୍‌ ପକ୍ଷରୁ ସୋଲାର ଲଣ୍ଠନ ବଣ୍ଟନ

ପୁରୀ : ପ୍ରଳୟଙ୍କରୀ ବାତ୍ୟା ‘ଫନି’କୁ ଦୁଇ ମାସ ବିତିଥିବା ବେଳେ ପୁରୀ ଜିଲ୍ଲାର ବହୁ ଗାଁକୁ ଆଜି ଯାଏ ବିଜୁଳି ସଂଯୋଗ ହୋଇପାରିନି। ଗାଁ ଲୋକେ ଏବେ ବି ଘନ ଅନ୍ଧକାର ଭିତରେ ରାତି କାଟୁଛନ୍ତି। ‘ପ୍ରୋଜେକ୍ଟ ଚିରାଗ’ କାର୍ଯ୍ୟକ୍ରମ ଜରିଆରେ ଏହି ବିପନ୍ନମାନେ ଆଜି ସୋଲାର ଲଣ୍ଠନ ପାଇଛନ୍ତି। ମୁମ୍ବାଇସ୍ଥିତ ଚିରାଗ୍‌ ରୁରାଲ୍‌ ଡେଭଲପ୍‌ମେଣ୍ଟ ଫାଉଣ୍ଡେସନ୍ ଓ ‘ସମ୍ବାଦ’ର ମିଳିତ ଆନୁକୂଲ୍ୟରେ ଆଜି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଶୁକଳ ପଞ୍ଚାୟତ ବାଁବରଡ଼ା ଗାଁରେ ୩୪୫ ପରିବାରଙ୍କୁ ସୋଲାର ଲଣ୍ଠନ ବଣ୍ଟାଯାଇଛି। ପ୍ରୋଜେକ୍ଟ ଚିରାଗ୍‌ର ଅପରେସନାଲ୍ ମ୍ୟାନେଜର ନଚିକେତ ଖରାତ ଓ ଚିରାଗ୍‌ର ଫାଉଣ୍ଡର ଡାଇରେକ୍ଟର ପ୍ରତିଭା ପାଇ ବିପନ୍ନମାନଙ୍କୁ ସୋଲାର ଲଣ୍ଠନ ବଣ୍ଟନ କରିଥିଲେ। ଆସନ୍ତାକାଲି ମଧ୍ୟ ସୋଲାର ଲଣ୍ଠନ ବଣ୍ଟନ କରାଯିବ। ୧୫୦୦ ବିପନ୍ନ ପରିବାରକୁ ସୌରଚାଳିତ ଲଣ୍ଠନ ଦିଆଯିବାର ଲକ୍ଷ୍ୟ ରଖାଯାଇଛି।

ଏହି ଅବସରରେ ଶ୍ରୀମତୀ ପାଇ କହିଛନ୍ତି, ମୁମ୍ବାଇରେ ରହୁଥିଲେ ବି ଓଡ଼ିଶାର ହୃଦୟ ସହିତ ଆମେ ସଦାସର୍ବଦା ଜଡ଼ିତ। ‘ଫନି’ର ଅକଳନୀୟ କ୍ଷତି ଆମକୁ ବହୁତ କଷ୍ଟ ଦେଇଛି। ଏଭଳି ପରିସ୍ଥିତି ଆମର ସମସ୍ତ ଟିମ୍‌କୁ ବିପନ୍ନଙ୍କ ପାଖରେ ପହଞ୍ଚି ସହଯୋଗର ହାତ ବଢ଼ାଇବାକୁ ବାଧ୍ୟ କରିଛି। ବିପନ୍ନଙ୍କୁ ସୋଲାର ଲଣ୍ଠନ ଦେଇ ବହୁ ଖୁସି ଲାଗୁଛି। ଏଭଳି ଏକ ମହତ୍‌ କାର୍ଯ୍ୟରେ ସହଯୋଗର ହାତ ବଢ଼ାଇଥିବାରୁ ‘ସମ୍ବାଦ’ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି। ଏହି ସୌରଚାଳିତ ଲଣ୍ଠନରେ ମୋବାଇଲ୍‌ ଚାର୍ଜ ସୁବିଧା ରହିଛି। କାର୍ଯ୍ୟକ୍ରମରେ ‘ସମ୍ବାଦ’ ପୁରୀ ଜିଲ୍ଲା ପ୍ରତିନିଧି ଗଦାଧର ପଣ୍ଡାଙ୍କ ସମେତ ‘ସମ୍ବାଦ’ ପ୍ରସାରଣ ବିଭାଗ ଓ ଅନ୍ୟ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଚିରାଗ ରୁରାଲ୍‌ ଡେଭଲପ୍‌ମେଣ୍ଟ ଫାଉଣ୍ଡେସନ ‌‘ପ୍ରୋଜେକ୍ଟ ଚିରାଗ’ ଜରିଆରେ ବିଜୁଳିରୁ ବଞ୍ଚିତ ଗାଁକୁ ସୌରଶକ୍ତି ଜରିଆରେ ବିଜୁଳି ସଂଯୋଗ ଦେଇ ଆସୁଛି। ୨୦୧୦ ମସିହାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଜରିଆରେ ଷ୍ଟ୍ରିଟ୍ ଲାଇଟ୍, ଘର ଆଲୋକୀକରଣ ସହ ଅନେକ ଜାଗାରେ ମିନି ଗ୍ରିଡ୍ ବି ସ୍ଥାପନ କରାଯାଇଛି। ମିନି ଗ୍ରିଡ୍ ଯୋଗୁ ବିଜୁଳିରୁ ବଞ୍ଚିତ ଗାଁ ଲୋକେ ବିଜୁଳି ସହ ପାଣିର ସୁବିଧା ପାଇ ପାରୁଛନ୍ତି। ଯାହାଦ୍ବାରା ବିଦ୍ୟୁତ ନଥିବା ଅଞ୍ଚଳରେ ଲୋକଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ଜନଜୀବନ ସ୍ବାଭାବିକ ହୋଇପାରିଛି। ୭ଟି ରାଜ୍ୟର ୪୪୨ ଗାଁରେ ଏହି କାର୍ଯ୍ୟକ୍ରମ ଚାଲିଛି। ଏଥିରୁ ସିଧାସଳଖ ୧ ଲକ୍ଷ ଲୋକ ଉପକୃତ ହୋଇ ପାରିଛନ୍ତି ବୋଲି ‌‘ପ୍ରୋଜେକ୍ଟ ଚିରାଗ’ର ଅଧିକାରୀମାନେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର