ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ଦୁର୍ଗମ ମାଓପ୍ରବଣ ଅଞ୍ଚଳର ଲୋକଙ୍କୁ ବିଦ୍ୟୁତ ସେବା ଯୋଗାଇ ଦେବା ଲକ୍ଷ୍ୟରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସୌର ଶକ୍ତି ପ୍ରକଳ୍ପ ଜରିଆରେ ଏମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେବାକୁ ସବୁ ବ୍ୟବସ୍ଥା କରିଛନ୍ତି। ହେଲେ ଗତ ୪ ବର୍ଷ ହେଲା ଯନ୍ତ୍ରପାତି ଅଚଳ ପଡ଼ିଥିବାରୁ ତାହାର ସୁଫଳ ଏ ଅଞ୍ଚଳର ଲୋକେ ଆଦୌ ପାଇପାରୁ ନାହାନ୍ତି। ପୂର୍ବରୁ ଯେଭଳି ଅନ୍ଧାରରେ ରାତି କାଟୁଥିଲେ ଏବେ ବି ସେହିଭଳି ଅବସ୍ଥାରେ ରହୁଛନ୍ତି।
ଅଭିଯୋଗ ଅନୁସାରେ, ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଛୁଇଁପାଣି ଗାଁର ବରପଦରପଡ଼ା ଦୁର୍ଗମ ଅଞ୍ଚଳରେ ରହିଛି। ମାଓ ଅଧ୍ୟୁଷିତ ଏହି ଗାଁର ଚାରିଆଡ଼େ ଖାଲି ଜଙ୍ଗଲ। ଏଠାରେ ବିଜୁଳି ଆଲୁଅ ଲୋକଙ୍କ ପାଇଁ ସାତ ସପନ। ଏହି ଅପହଞ୍ଚ ଇଲାକାର ଲୋକଙ୍କୁ ଆଲୁଅ ସୁବିଧା ଦେବା ପାଇଁ ସରକାରଙ୍କ ପକ୍ଷରୁ ସୌର ଶକ୍ତି ପ୍ରକଳ୍ପ ଯୋଗାଇ ଦିଆଯାଇଛି। ଏହି ପ୍ରକଳ୍ପରୁ ବରପଦରପଡ଼ା ଓ ଛୁଇଁପାଣି ଗ୍ରାମବାସୀ ବିଦ୍ୟୁତ୍ ସଂଯୋଗ ପାଇଛନ୍ତି। ଏହି ପ୍ରକଳ୍ପ ୫ ବର୍ଷ ତଳେ ବସିଥିଲା। ବର୍ଷେ ଠିକଠାକ ଚାଲିବା ପେର ବନ୍ଦ ହୋଇଗଲା। ହେଲେ ସେହିଦିନରୁ ଏହାର ମରାମତି କରାଯାଉ ନଥିବାରୁ ଗତ ୪ ବର୍ଷ ହେଲା ତାହା କୌଣସି କାମରେ ଲାଗୁ ନାହିଁ।
ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କୁ ଫୋନ୍ କରି ଜଣାଇ ଆସୁଛନ୍ତି। ହେଲେ କାହାରି ଦୃଷ୍ଟି ପଡ଼ୁନାହିଁ ବୋଲି ଅମର ସିଂ ମାଝୀଙ୍କ ସହ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏପଟେ କୋଟି କୋଟି ଟଙ୍କାର ସରକାରୀ ଯୋଜନା ଖତ ଖାଉଛି। ତେଣୁ ବିଭାଗୀୟ ଅଧିକାରୀ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଅଚଳ ପ୍ରକଳ୍ପ ସଜାଡ଼ିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ସଂପର୍କରେ ନୂଆପଡ଼ା ଡିଆର୍ଡିଏ ପିଡି ନବୀନ ପଟେଲଙ୍କୁ ପଚାରିବାରୁ ସେ କହିଛନ୍ତି, ପୂର୍ବରୁ ଜାଣି ନଥିଲେ, ତଦନ୍ତ କରି ପଦକ୍ଷେପ ନେବେ ବୋଲି ସେ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Solarplant-Photo-2.jpg)