ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବଡ଼ପଳାସପାଳ ପଞ୍ଚାୟତର ଦୁର୍ଗମ କହ୍ନେଇଗୋଳା ଗ୍ରାମବାସୀ ଗତ ୬ ମାସ ହେଲା ଅନ୍ଧାରରେ ଅଛନ୍ତି। ରେବଣା ସରଂକ୍ଷିତ ଜଙ୍ଗଲ ମଧ୍ୟରେ କହ୍ନେଇଗୋଳା ଗ୍ରାମ ସମେତ ରାଣୀପଦା, ନୋଲ ଓ ବାଉଁରୁ ଗ୍ରାମ ରହିଛି। ଦିନ ଦୟାଲ ଉପାଧ୍ୟାୟ ଗ୍ରାମ୍ୟ ଜ୍ୟୋତି ଯୋଜନାରେ ପ୍ରତି ଗ୍ରାମ ଓ ସାହିକୁ ବିଦ୍ୟୁତୀକରଣ କରାଯାଇଛି। ସରଂକ୍ଷିତ ଜଙ୍ଗଲ ମଧ୍ୟରେ ଗ୍ରାମଗୁଡିକ ଥିବାରୁ ବିଦ୍ୟୁତ ଖୁଣ୍ଟ ପକାଇ ବିଦ୍ୟୁତୀକରଣ କରିବା ସମ୍ଭବପର ନହେବାରୁ ୪ ବର୍ଷ ପୂର୍ବେ ରାଣୀପଦା, ନୋଲ ଓ କହ୍ନେଇଗୋଳା ଗ୍ରାମରେ ସୋଲାର ପ୍ଲାଣ୍ଟ ବସାଇ ଏହି ତିନିଟି ଗ୍ରାମର ପ୍ରତି ଘରକୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଛି। ଏହି ସୋଲାର ବିଦ୍ୟୁତୀକରଣ ବ୍ୟବସ୍ଥା ଠିକାଦାର ଆଦିତ୍ୟ ସୋଲାର ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ନିର୍ମାଣ କରାଯାଇଛି ।
କହ୍ନେଇଗୋଳା ଗ୍ରାମରେ ଥିବା ସୋଲାର ପ୍ଲାଣ୍ଟରୁ ଗ୍ରାମର ଜୁଆଙ୍ଗ ସାହି, ଗୋପାଳ ସାହି, ବରପଦା ସାହି ଓ ଉପରଡିହ ସାହିର ୧୨୦ ଟି ପରିବାରର ଘରକୁ ବିଦ୍ୟୁତ ସେବା ଯୋଗାଇ ଦେବା ସହ ଛକ ସ୍ଥାନ ଗୁଡ଼ିକରେ ଷ୍ଟ୍ରିଟ ଲାଇଟ ଲଗାଯାଇଛି। କିନ୍ତୁ ୬ ମାସ ହେଲା ଗ୍ରାମ ଅନ୍ଧାରରେ ଥିବାରୁ ରାତିରେ ଗ୍ରାମବାସୀ ହିଂସ୍ରଜନ୍ତୁଙ୍କ ପାଇଁ ଭୟଭୀତ ହୋଇ ରହୁଛନ୍ତି। ସୋଲାର ପ୍ଲାଣ୍ଟ ଲଗାଇଥିବା ଠିକାଦାରଙ୍କୁ ଗ୍ରାମବାସୀ ଯୋଗାଯୋଗ କଲେ ଆଜି ମରାମତି କରିବୁ ଆସନ୍ତା କାଲି ମରାମତି କରିବୁ କହି ଦିନ ଗଡାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ରାତିରେ ଗ୍ରାମଟି ଅନ୍ଧାରରେ ରହୁଥିବାରୁ ପିଲାଙ୍କ ପାଠ ପଢା ଠାରୁ ଆରମ୍ଭ କରି ହିଂସ୍ରଜନ୍ତୁ ଭୟ ରହୁଛି। ଉକ୍ତ ଗ୍ରାମରୁ ୪ କିଲୋମିଟର ଘଞ୍ଚ ଜଙ୍ଗଲ ମଧ୍ୟରେ ଗତ ମାସ ଏକ ମହାବଳ ବାଘ ଗୋଟିଏ ମଇଁଷିକୁ ମାରି ଦେଇଥିଲା। ଗ୍ରାମ ନିକଟ ଜଙ୍ଗଲରେ ମହାବଳ ବାଘ ଥିବାରୁ ଗ୍ରାମବାସୀ ରାତିରେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ସୋଲାର ପ୍ଲାଣ୍ଟକୁ ତୁରନ୍ତ ମରାମତି କରି ଗ୍ରାମବାସୀଙ୍କୁ ବିଦ୍ୟୁତ ସେବା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଗ୍ରାମର ମାର୍କଣ୍ଡ ଜୁଆଙ୍ଗ, ସୁରେଶ ଜୁଆଙ୍ଗ, ବୁଲାରୀ ମହାକୁଡ଼, ଭୀମସେନ ଆରୁକ, ମାଧବ ଜୁଆଙ୍ଗ, ଯଦୁମଣି ମହାକୁଡ଼, ରାଜୁ ଜୁଆଙ୍ଗ, ବିଜୁ ମହାକୁଡ଼ ପ୍ରମୁଖ ଦାବି କରିଛନ୍ତି।