ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ବିଧାନସଭା କ୍ଷେତ୍ରରେ ସୌରଶକ୍ତି(ସୋଲାର ଏନାର୍ଜି) କ୍ଷେତ୍ରରେ ଆସିଛି ଏକ ବିପ୍ଲବ। କୃଷିଠାରୁ ଆରମ୍ କରି ସ୍ବାସ୍ଥ୍ୟସେବା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ସୌରଶକ୍ତିର ପ୍ରବଳ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି।
ନାକଟିଦେଉଳ ବ୍ଲକର ଚାଷଭରଡ଼ି ଗାଁ। ଜଂଗଲ ଘେରିଥିବା ଏହି ଗାଁର ଲୋକଙ୍କ ପାଇଁ ବିଜୁଳି ଥିଲା ସାତସପନ। ସନ୍ଧ୍ୟା ହେଲେ ଗାଁରେ ଘନ ଅନ୍ଧକାର। ରାତିରେ ଘରୁ ଗାଁ ଦାଣ୍ଡକୁ ବି ବାହାରିବା ମୁସ୍କିଲ ହୋଇଯାଇଥିଲା। ଇଂ. ରୋହିତ ପୂଜାରୀ ରେଢ଼ାଖୋଲ ବିଧାନସଭା କ୍ଷେତ୍ରରୁ ବିଧାୟକ ଭାବେ ନିର୍ବାଚିତ ହେବା ପରେ ବି ଏ ଦିଗରେ ପଦକ୍ଷେପ ନେଇଥିଲେ। ବତୀଘର ଫାଉଣ୍ଡେସନର ସହାୟତାରେ ଏହି ଗାଁରେ ସୌରଶକ୍ତି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। ପ୍ରତ୍ୟେକ ଘରେ ଦିଆଯାଇଥିଲା ସଂଯୋଗ। ଘରେ ଘରେ ସୌରଶକ୍ତିରେ ବଲ୍ବ ଜଳିବା ସହିତ ଗାଁ ଦାଣ୍ଡ ଷ୍ଟ୍ରିଟ୍ଲାଇଟ୍ରେ ଆଲୋକିତ ହୋଇଥିଲା। ଏହା ବ୍ୟତୀତ ଅନ୍ୟ କେତେକ ଗାଁକୁ ସୋଲାର ଲ୍ୟାମ୍ପ ବି ଯୋଗାଇ ଦିଆଯାଇଥିଲା।
ତେବେ, ଗତ କିଛି ବର୍ଷ ମଧ୍ୟରେ ଏହି ବିଧାନସଭା ସଭାକ୍ଷେତ୍ରର ବିଭିନ୍ନ ଅଚଂଳର ସୌରଶକ୍ତିର ବହୁଳ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି। ବିଧାୟକ ଅନୁଦାନ ପାଣ୍ଠି, ସେଲ୍କୋ ଫାଉଣ୍ଡେସନ ଆଦି ସହାୟତାରେ ଏସବୁ କାମ ଚାଲିଥିବା ଜଣାପିଡ଼ିଛି। ବୁଣାକାରମାନଙ୍କ ଗାଁ ଭାବେ ପରିଚିତ ମାନେଶ୍ବର ବ୍ଲକ ଚାରପାଲିରେ ସୌରଶକ୍ତି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ପ୍ରସିଦ୍ଧ ଶୈବ ପୀଠ ଥିବା ହୁମା ଗାଁରେ ଏବେ ପ୍ରକଳ୍ପ କାମ ଚାଲିଥିବା ବେଳେ ଆଗାମୀ ଦିନରେ ସନ୍ଥକବି ଭୀମ ଭୋଇଙ୍କ ସ୍କୃତିପୀଠ ଥିବା କନ୍ଦରା ଗାଁକୁ ମଧ୍ୟ ସୌରଶକ୍ତି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବାର ଯୋଜନା ରହିଥିବା ଜଣାପଡ଼ିଛି। ବିଦ୍ୟୁତ କାଟ୍ ଯୋଗୁ ହେଉଥିବା ଅସୁବିଧାରୁ ବର୍ତ୍ତିବା ନିମନ୍ତେ ପିଏଚ୍ସି, ସିଏଚ୍ସି ସମେତ ବିଭିନ୍ନ ଡାକ୍ତରଖାନାଗୁଡ଼ିକରେ ସୌରଶକ୍ତି ପ୍ରକଳ୍ପ ବ୍ୟବସ୍ଥା କରାଯାଇଛି। ଏହା ଦ୍ବାରା ରୋଗୀମାନେ ଉପକୃତ ହୋଇପାରୁଛନ୍ତି। ଚାଷ ଓ ଚାଷୀର ଉନ୍ନତି ନିମେନ୍ତ ବି ଅନେକ ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।
ଏ ସଂକ୍ରାନ୍ତରେ ସ୍ଥାନୀୟ ବିଧାୟକ ଇଂ.ରୋହିତ ପୂଜାରୀ କହନ୍ତି, ଏବେ ଘେନୁପାଲି ପଞ୍ଚାୟତର ସନାତନପାଲି, ବୀରସିଂହଗଗଡ଼ ପଞ୍ଚାୟତର ବସିଆପଡ଼ା ସମେତ ଡଂଗରପଡ଼ା ପଞ୍ଚାୟତରେ ବି ଗୋଟିଏ ଲେଖାଏଁ ଶୀତଳଭଣ୍ଡାର(କୋଲ୍ଷ୍ଟୋରେଜ) ନିର୍ମାଣ କରାଯାଇଥିବା ବେଳେ ସେଗୁଡ଼ିକ ସୌରଶକ୍ତିରେ ଚାଲିଛି। ଅର୍ଡା ଗାଁରେ ଏକ ଉଠାଜଳସେଚନ ପ୍ରକଳ୍ପ ବି ସୌରଶକ୍ତିରେ ପରିଚାଳିତ ହେଉଛି। ଚାଷୀମାନଙ୍କୁ ବିଦ୍ୟୁତ୍ ବିଲ୍ ଦେୟରୁ ମୁକ୍ତି ମିଳିଛି। ବସିଆପଡ଼ା ଏମ୍ଆଇପିରେ ସୌରଶକ୍ତି ଚାଲୁଥିବା ଏକ ମୋଟରପମ୍ପ ଯୋଗାଇ ଦିଆଯାଇଛି। ଆଗରୁ ରେଢ଼ାଖୋଲ ବିଧାନସଭା କ୍ଷେତ୍ରରେ ୧୧୭ଟି ଉଠାଜଳସେଚନ ପ୍ରକଳ୍ପ ରହିଥିବା ବେଳେ ସେ ବିଧାୟକ ହେବା ପରେ କୃଷି ଓ କୃଷକର ଉନ୍ନତି ନିମନ୍ତେ ପଦକ୍ଷେପ ନିଆଯିବା ସହିତ ୧୬୦ରୁ ଅଧିକ ଏହି ପ୍ରକଳ୍ପ ଯୋଡ଼ି ହୋଇଛି। ପର୍ଯ୍ୟାୟକ୍ରମେ ଅନ୍ୟ ଉଠାଜଳସେଚନ ପ୍ରକଳ୍ପ, ଗଭୀର ନଳକୂପଗୁଡ଼ିକରେ ବି ସୌରଶକ୍ତି ବ୍ୟବସ୍ଥା କରାଯିବାର ଯୋଜନା ରହିଛି। କେବଳ ସେତିକି ନୁହେଁ, ଆଗାମୀ ଦିନରେ ଅନ୍ୟ ପଞ୍ଚାୟତଗୁଡ଼ିକରେ ସୌରଶକ୍ତିରେ ଚାଲୁଥିବା କୋଲ୍ଷ୍ଟୋରେଜ୍ ନିର୍ମାଣ କରାଯିବ ବୋଲି ଇଂ. ପୂଜାରୀ କହିଛନ୍ତି।