ଭୁବନେଶ୍ୱର: ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭାଗର କାର୍ଯ୍ୟାବଳୀ ସମ୍ପର୍କରେ ଆଲୋଚନା ହୋଇଛି। କର୍ମଚାରୀଙ୍କୁ ଅବସର ଦିନ ଅବସରକାଳୀନ ପେନସନ ପ୍ରଦାନ, ଆରଏସିପି ବା ଏମ୍‌ଏସିପି ଅଦାଲତରେ ଦାଖଲ ହୋଇଥିବା ୪୩୨ଟି ଆବେଦନର ସମାଧାନ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଆସିଥିବା ଅଭିଯୋଗଗୁଡ଼ିକର ତୁରନ୍ତ ସମାଧାନ ଓ ଜନଶୁଣାଣି ପୋର୍ଟାଲର ମାମଲାଗୁଡ଼ିକର ସମାଧାନ ଦିଗରେ ଧ୍ୟାନ ଦେବାକୁ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ରାଜ୍ୟରେ ୪୫ଜଣ ସହକାରୀ ବନସଂରକ୍ଷକ, ୧୩୧ ରେଞ୍ଜ ଅଧିକାରୀ ପଦବି ପୂରଣ ପାଇଁ ପରୀକ୍ଷା କରିବାକୁ ଓଡ଼ିଶା ଲୋକସେବା ଆୟୋଗ ଓ ୧,୬୭୭ଟି ବନରକ୍ଷୀ ପଦବି ପୂରଣ ପାଇଁ ପରୀକ୍ଷା କରିବାକୁ ଓଡ଼ିଶା ଅଧସ୍ତନ ଷ୍ଟାଫ ସିଲେକ୍ସନ କମିସନଙ୍କୁ ପତ୍ର ଲେଖାଯାଇଛି। ଦୁଇଟି ସହକାରୀ ବନସଂରକ୍ଷକ, ୧୩୦ଜଣ ରେଞ୍ଜ ଅଧିକାରୀ, ୧୬୦ଟି କନିଷ୍ଠ ସହାୟକ ଓ ୮୯୦ ବନରକ୍ଷୀ ପଦବି ପୂରଣ ଦିଗରେ ପଦକ୍ଷେପ ନିଆଯାଉଛି। ଓଡ଼ିଶା ବନ ଉନ୍ନୟନ ନିଗମ ଉଦ୍ୟମରେ ମୂଲ୍ୟବାନ ରକ୍ତଚନ୍ଦନ କାଠକୁ ବିଶ୍ୱସ୍ତରୀୟ ଟେଣ୍ଡର ଆହ୍ୱାନ କରାଯାଇ ବିକ୍ରୟ କରାଯିବ।

ଚିଲିକା ଉନ୍ନୟନ କର୍ତ୍ତୁପକ୍ଷଙ୍କ ଅଧୀନରେ ଚିଲିକାରେ ପର୍ଯ୍ୟଟକଙ୍କ ପାଇଁ ଦୁଇଟି ବୃହତ ଡଙ୍ଗା ଓ ସୌରଶକ୍ତିଚାଳିତ ଡଙ୍ଗା ପ୍ରଚଳିତ ହେବ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଉଦ୍ୟମରେ ଅଧିକରୁ ଅଧିକ ବଣଭୋଜି ସ୍ଥଳକୁ ପ୍ଲାଷ୍ଟିକମୁକ୍ତ କରିବାକୁ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସାହୁ ପରାମର୍ଶ ଦେଇଛନ୍ତି। ବିଭିନ୍ନ ପ୍ରକଳ୍ପ ପାଇଁ ବଜେଟରେ ଆବଣ୍ଟିତ ହୋଇଥିବା ପାଣ୍ଠିର ସମୟାନୁବର୍ତ୍ତୀ ବ୍ୟବହାର ଉପରେ ମଧ୍ୟ ଗୁରୁତ୍ବାରୋପ କରାଯାଇଛି। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ପିସିସିଏଫ୍‌ ତଥା ବନବାହିନୀ ମୁଖ୍ୟ ସୁରେଶ ପନ୍ଥ, ପିସିସିଏଫ୍‌(ବନ୍ୟପ୍ରାଣୀ) ପ୍ରେମ୍‌ କୁମାର ଝା, ପିସିସିଏଫ୍‌ ମିତା ବିଶ୍ୱାଳ, ପିସିସିଏଫ୍‌(କେନ୍ଦୁପତ୍ର) ତଥା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ ଉମା ନନ୍ଧୂରୀ, ଅତିରିକ୍ତ ସଚିବ ଦେବେନ୍‌ ପ୍ରଧାନ, ଯୁଗ୍ମ ସଚିବ ଧରମ ହାଂସଦା, ଅତିରିକ୍ତ ସଚିବ ଉଷାରାଣୀ ଦାସ, ଯୁଗ୍ମ ସଚିବ ଦୀନକୃଷ୍ଣ କର ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।