ସଂକଟ ବେଳେ ବିକଳ୍ପ ଚିନ୍ତା: ରାଜ୍ୟର ୫.୩୧ ପ୍ରତିଶତ ଗାଁରେ ପହଞ୍ଚିଛି ସୌର ବିଦ୍ୟୁତ୍‌

ଫଳପ୍ରଦ ହେବ ଦୀର୍ଘସୂତ୍ରୀ ଯୋଜନା

ବାଲେଶ୍ୱର,(ରୁଦ୍ରରଞ୍ଜନ ଶେଜପଡ଼ା): ଅସନ୍ତୁଳିତ ପରିବେଶ ଚିନ୍ତା ବଢ଼ାଇଲାଣି। ପ୍ରକୃତିର ବିଲକ୍ଷଣ ଜୀବସତ୍ତା ପ୍ରତି ବିପଦକୁ ସୂଚାଉଛି। ଅଣନବୀକରଣ ପ୍ରାକୃତିକ ଉତ୍ସ କ୍ଷୟ ହେବାରେ ଲାଗିଛି। ଫଳରେ ଲୋକେ ଦୈନନ୍ଦିନ ଜୀବନରେ ନାନା ସମସ୍ୟାକୁ ସାମ୍‌ନା କରୁଛନ୍ତି। ଏଇ ଯେମିତି ବିଦ୍ୟୁତ୍‌ ସଂକଟ। ତେଣୁ ସମୟ ଆସିଛି, ନବୀକରଣ ଯୋଗ୍ୟ ପ୍ରାକୃତିକ ଉତ୍ସ ଉପରେ ଏବେ ନିର୍ଭର କରିବାକୁ ପଡ଼ିବ। ବିଦ୍ୟୁତ୍‌ ପାଇଁ ‌ସୌରଶକ୍ତିର ସୁବିନିଯୋଗ କରିବାକୁ ହେବ। ହେଲେ ବିଡ଼ମ୍ବନା, ଏ ଦିଗରେ ରାଜ୍ୟ ଓ କେନ୍ଦ୍ର ସରକାର ବିଲକୁଲ ବି ପ୍ରସ୍ତୁତ ହୋଇନାହାନ୍ତି। ଯାହା ଅନ୍ତ୍ୟୋଦୟ ସର୍ଭେ ତଥ୍ୟ ସୂଚାଇ ଦେଉଛି।

ବିଦ୍ୟୁତ୍‌ ସଂସ୍କାର କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ। ହେଲେ ଯୋଜନାକୁ ୨୫ ବର୍ଷ ବିତିଯାଇଥିଲେ ବି ସମସ୍ୟାର ସମାଧାନ ହୋଇପାରୁନି। ପ୍ରାକୃତିକ ଗ୍ୟାସ୍ ଓ କୋଇଲା ସହ ପରମାଣୁ ଉର୍ଜା, ଜୈବ ଶକ୍ତି, ପେଟ୍ରୋଲିୟମ୍, ଜିଓ ଥର୍ମାଲ୍ ଓ ସୋଲାର ଥର୍ମାଲ୍‌ର ସଂକଟ ଯୋଗୁ ଏବେ ବିଦ୍ୟୁତ୍‌ ସମସ୍ୟା ଜଟିଳ ହୋଇଛି। ଲୋ-ଭୋଲ୍‌ଟେଜ୍‌ ଓ ଘନଘନ ବିଦ୍ୟୁତ୍‌ କାଟ୍‌ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଓଡ଼ିଶାର ୩୯ ପ୍ରତିଶତ ଗାଁରେ ୨୪ରୁ ୧୨ ଘଣ୍ଟା ମଧ୍ୟ ବିଜୁଳି ରହୁନି। ସେହିପରି ୫.୧୬ ପ୍ରତିଶତ ଗାଁରେ ମାତ୍ର ୧ରୁ ୪ ଘଣ୍ଟା ବିଦ୍ୟୁତ୍‌ ଉପଲବ୍‌ଧ ହୋଇପାରୁଛି। କେବଳ ସେତିକି ନୁହେଁ, ୨୦୦୦ ମସିହାରୁ ୨୦୨୧ ମସିହା ମଧ୍ୟରେ ଘରୋଇ ବିଦ୍ୟୁତ୍‌ ଦେୟ ଆଶାତୀତ ଭାବେ ବୃଦ୍ଧି ପାଇ ୧୩୭ ପ୍ରତିଶତରେ ପହଞ୍ଚି ସାରିଛି। ଏପରି ସମୟରେ ନବୀକରଣ ଯୋଗ୍ୟ ସୌରଶକ୍ତିର ଗୁରୁତ୍ବ କଥା ସମସ୍ତେ ଚିନ୍ତା କଲେଣି। ସୌରଶକ୍ତିକୁ ବ୍ୟବହାର କରି କେମିତି ବିଦ୍ୟୁତ୍‌ ସଂକଟକୁ ଦୂର କରାଯାଇ ପାରିବ, ସେ ନେଇ ବିଚାରବିମର୍ଶ ହେବାସହ ଯୋଜନା କାର୍ଯ୍ୟକାରୀ ହେଲାଣି। କିନ୍ତୁ ବୈଷୟିକ ଜ୍ଞାନକୌଶଳର ଅଭାବ ଯୋଗୁଁ ଯୋଜନା ଯେତିକି ଆଗେଇବା କଥା, ସେତିକି ଆଗେଇ ପାରୁନି। ଫଳସ୍ବରୂପ ରାଜ୍ୟରେ ଏବେ ସୌରଶକ୍ତିର ବ୍ୟବହାର ହେଉଥିବା ଗାଁ ସଂଖ୍ୟା ଅତି ନଗଣ୍ୟ।

ଓଡ଼ିଶାରେ ମାତ୍ର ୫.୩୧ ପ୍ରତିଶତ ଗାଁ ରହିଛି, ଯେଉଁ ଗାଁଗୁଡ଼ିକରେ ଲୋକମାନେ ସୌର ବିଦ୍ୟୁତ୍‌ ଦ୍ବାରା ଉପକୃତ ହେଉଛନ୍ତି। ସେଗୁଡ଼ିକ ମଧ୍ୟରୁ କୋରାପୁଟ, ଗଜପତି ଓ କେନ୍ଦୁଝର ଜିଲ୍ଲାରେ ଯଥାକ୍ରମେ ସର୍ବାଧିକ ୭.୦୩, ୬.୦୧ ଓ ୫.୮୪ ପ୍ରତିଶତ ଗାଁକୁ ସୌର ବିଦ୍ୟୁତ୍‌ ମିଳିପାରୁଛି। ସେହିପରି କଟକ, ଗଞ୍ଜାମ, କନ୍ଧମାଳ ଜିଲ୍ଲାରେ ଯଥାକ୍ରମେ ୪.୯୫, ୪.୫୭ ଓ ୫.୪୬ ପ୍ରତିଶତ ଗାଁରେ ସୌର ବିଦ୍ୟୁତ୍‌ ଉପଲବ୍ଧ ହେଉଛି। ସୋନପୁର ଜିଲ୍ଲାରେ ୨.୮୦, ସମ୍ବଲପୁର ଜିଲ୍ଲାରେ ୩.୧୭, ନୂଆପଡ଼ା ଜିଲ୍ଲାରେ ୨.୯୪, ନବରଙ୍ଗପୁର ଜିଲ୍ଲାରେ ୩.୩୧, ମାଲକାନଗିରି ଜିଲ୍ଲାରେ ୨.୫୫, ଝାରସୁଗୁଡ଼ା ଜିଲ୍ଲାରେ ୩.୭୦, ଯାଜପୁର ଜିଲ୍ଲାରେ ୨.୪୭, ଢେଙ୍କାନାଳ ଜିଲ୍ଲାରେ ୨.୬୪, ଦେବଗଡ଼ ଜିଲ୍ଲାରେ ୪.୬୧, ବରଗଡ଼ ଜିଲ୍ଲାରେ ୧.୯୪ ଓ ଅନୁଗୁଳ ଜିଲ୍ଲାରେ ୨.୧୧, ବଲାଙ୍ଗୀର ଜିଲ୍ଲାରେ ୩.୪୩, ବାଲେଶ୍ବର ଜିଲ୍ଲାରେ ୨.୬୨, ଭଦ୍ରକ ଜିଲ୍ଲାରେ ୫.୫୩, ଜଗତସିଂହପୁର ଜିଲ୍ଲାରେ ୫.୪୮, କଳାହାଣ୍ଡି ଜିଲ୍ଲାରେ ୪.୩୪, କେନ୍ଦ୍ରପଡ଼ା ଜିଲ୍ଲାରେ ୪.୩୧, ଖୋର୍ଦ୍ଧା ଜିଲ୍ଲାରେ ୩.୮୦, ନୟାଗଡ଼ ଜିଲ୍ଲାରେ ୩.୬୨, ପୁରୀ ଜିଲ୍ଲାରେ ୩.୬୭, ମୟୂରଭଞ୍ଜ ଜିଲ୍ଲାରେ ୦.୪, ବୌଦ୍ଧ ଜିଲ୍ଲାରେ ୦.୯୪ ଓ ସୁନ୍ଦରଗଡ଼ ଜିଲ୍ଲାରେ ୩.୯୦ ପ୍ରତିଶତ ଗାଁରେ ବିଜୁଳି ପାଇଁ ସୌରଶକ୍ତିକୁ ବ୍ୟବହାର କରାଯାଉଛି।

ସମୟ ଆସିଛି, ପୁନଶ୍ଚ ନୂଆ ପୃଥିବୀ ଗଢ଼ିବାର। ଅସନ୍ତୁଳିତ ପରିବେଶକୁ ସଜାଡ଼ିବାର। ଆଉ ଏହାକୁ କାର୍ଯ୍ୟକାରୀ ନକଲେ ଜୀବସତ୍ତା ଯେ ଦିନେ ସଂକଟାପନ୍ନ ହୋଇଯିବ; ଏଥିରେ ସଂଦେହ ନାହିଁ। ତେବେ ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆବଶ୍ୟକତାଠାରୁ ଅଧିକ ଯତ୍ନବାନ ହେବା ଉଚିତ। କେବଳ ଗ୍ରାମାଞ୍ଚଳ ନୁହେଁ, ସହରାଞ୍ଚଳରେ ମଧ୍ୟ କିପରି ‌ସୌରଶକ୍ତିକୁ ବ୍ୟବହାର କରି ବିଦ୍ୟୁତ୍ ସଂକଟର ମୁକାବିଲା କରାଯିବ, ସେ ନେଇ ଦୀର୍ଘସୂତ୍ରୀ ଯୋଜନାକୁ ଅବିଳମ୍ବେ କାର୍ଯ୍ୟକା‌ରୀ କରାଯିବା ନିହାତି ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର