ଧର୍ମଶାଳା: ଧର୍ମଶାଳା ବ୍ଲକ୍ ପାଟପୁର ପଞ୍ଚାୟତର ଚକ୍ରୋଡ଼ା (ତୋଟାସାହି) ଓ ପାଟପୁର ଦଳିତ ସାହିରେ ସ୍ଥାପିତ ସୌର ପ୍ରକଳ୍ପ (ପାନୀୟ ଜଳ ଯୋଗାଣ) ଅଚଳ ହୋଇପଡ଼ିଛି। ଦୁଇଟି ସାହିର ଶତାଧିକ ଲୋକ ପାନୀୟଜଳ ପାଇଁ ହନ୍ତସନ୍ତ ହେଉଛନ୍ତି। ଏ ସଂପର୍କରେ ଲୋକମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ଖରାପ ହୋଇଥିବା ପ୍ରକଳ୍ପକୁ ମରାମତି କରାଯାଉ ନାହିଁ। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆଗକୁ ଖରାଦିନ ଆସୁଥିବାରୁ ଲୋକମାନେ ପାନୀୟଜଳ ପାଇଁ ଅଧିକ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଆଶଙ୍କା କରୁଛନ୍ତି।
ଚକ୍ରୋଡ଼ା ଗାଁରେ ପ୍ରାୟ ୬ଲକ୍ଷ ଟଙ୍କା ବ୍ୟୟରେ ସୌର ପାନୀୟଜଳ ପ୍ରକଳ୍ପ ସ୍ଥାପନ ହୋଇଥିଲା। ବୋରିଂ କରାଯାଇ ସବ୍ମର୍ସିବୁଲ ମୋଟର ମାଧ୍ୟମରେ ପାନୀୟଜଳ ଯୋଗାଇ ଦିଆଯାଉଥିଲା। ତୋଟାସାହିର ପ୍ରାୟ ୮୦ ଜଣ ଲୋକ ଏହା ଉପରେ ନିର୍ଭର କରୁଥିଲେ। ବର୍ଷେ ହେଲା ଏହି ପ୍ରକଳ୍ପ ଅଚଳ ହୋଇପଡ଼ିଥିଲେ ବି କେହି ଧ୍ୟାନ ଦେଉନଥିବାରୁ ଉଦ୍ବେଗ ପ୍ରକାଶ ପାଇଛି। ଲୋକମାନେ ଦୂରକୁ ଯାଇ ଏକ ନଳକୂଅରୁ ପାଣି ସଂଗ୍ରହ କରୁଛନ୍ତି।
ସେହିପରି ପାଟପୁର(ଦଳତି ସାହି)ରେ ପ୍ରାୟ ୮ବର୍ଷ ପୂର୍ବେ ହୋଇଥିବା ସୌର ପାନୀୟଜଳ ପ୍ରକଳ୍ପ ସ୍ଥାପନ ହେବାର ଦିନ କେଇଟାରେ ଖରାପ ହୋଇଯାଇଛି। ଫଳରେ ପାଣି ପାଇଁ ସାହି ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଏହି ଦୁଇ ପ୍ରକଳ୍ପ ମରାମତି କରି ଏହି ଗ୍ରାମରେ ପାନୀୟଜଳ ଯୋଗାଣ ବ୍ୟବସ୍ଥାକୁ ସ୍ବାଭାବିକ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/10-7.jpg)