ରାଉରକେଲା ମହାନଗର ନିଗମର ‘ସୋଲାରାଇଜେସନ୍ ରାଉରକେଲା’ ପ୍ରକଳ୍ପ

ରାଉରକେଲା: ରାଉରକେଲା ସ୍ମାର୍ଟ ସିଟିକୁ ସୌରଶକ୍ତି ହବ୍‌ରେ ପରିଣତ କରିବା ଉଦ୍ଦେଶ୍ୟରେ ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ‘ସୋଲାରାଇଜେସନ୍ ରାଉରକେଲା’ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ସହରବାସୀ ଅଧିକରୁ ଅଧିକ ସୌରଶକ୍ତି ବ୍ୟବହାର ପାଇଁ ଉତ୍ସାହିତ କରାଯାଉଛି। ଏମିତିକି ପ୍ରକଳ୍ପ ପାଇଁ ବ୍ୟକ୍ତି ତଥା ଅନୁଷ୍ଠାନଗୁଡ଼ିକୁ ଋଣ ବ୍ୟବସ୍ଥା ମଧ୍ୟ କରାଯାଉଛି। ଏନେଇ ଆର୍‌ଏମ୍‌ସି କାର୍ଯ୍ୟାଳୟ ପରିସରରେ ଆଜି ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସ୍ମାର୍ଟସିଟି ସିଇଓ ତଥା ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର ଅଧ୍ୟକ୍ଷତା କରି ପ୍ରକଳ୍ପରେ ସହଯୋଗ କରିବା ସହ ସହରକୁ ସ୍ୱଚ୍ଛ, ସୁରକ୍ଷିତ ରଖିବା ପାଇଁ ସୌରଶକ୍ତି ବ୍ୟବହାର କରିବାକୁ ଆହ୍ବାନ କରିଥିଲେ। କହିଲେ, ସୋଲାରାଇଜେସନ ପ୍ରକଳ୍ପ ଅଧୀନରେ ଏସ୍‌ବିଆଇ ଓ ଟାଟା ପାୱାର ସୋଲାର ବିଶେଷଜ୍ଞଙ୍କୁ ନେଇ ଏକ ସୌରଶକ୍ତି ସେଲ୍‌ ଗଠନ କରାଯାଇଛି।

ଯେଉଁମାନେ ସୋଲାର ପ୍ୟାନେଲ୍ ବସାଇବା ଲାଗି ଆଗ୍ରହୀ, ଏହି ସେଲ୍ ସେମାନଙ୍କୁ ଫାଇନାନ୍ସ ସୁବିଧା କରାଇବା ସହ ପ୍ୟାନେଲ ସ୍ଥାପନ ପାଇଁ ସହାୟତା ପ୍ରଦାନ କରୁଛି। ରାଉରକେଲା ସହରରେ ସୌରଶକ୍ତିର ବ୍ୟାପକ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ସାଧାରଣ ଲୋକଙ୍କ କୋଠା ଉପରେ ସୋଲାର ପ୍ୟାନେଲ ସ୍ଥାପନ କରାଯିବ; ଯଦ୍ବାରା ପ୍ରଦୂଷଣ କମିବାସହ ଶକ୍ତି ସଞ୍ଚୟ ହେବ। ଏହାଦ୍ୱାରା ରାଉରକେଲାକୁ ଗ୍ରୀନ ଏନର୍ଜି ହବ୍‌ରେ ପରିଣତ କରାଯାଇପାରିବବୋଲି କହିଥିଲେ। କାର୍ଯ୍ୟକ୍ରମରେ ସାଧାରଣ ଜନତା, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ, ବ୍ୟବସାୟିକ ଅନୁଷ୍ଠାନ, କୋଏଲ ଫ୍ରେସ୍‌, ଟାଟା ପାୱାର ସୋଲାର, ଏସ୍‌ବିଆଇ, ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ର ପ୍ରତିନିଧି ସାମିଲ ଥିଲେ।

ସମ୍ବନ୍ଧିତ ଖବର