ମାଲକାନଗିରି: ମାଲକାନଗିରି ଥାନା ମାଟାପାକା ପଞ୍ଚାୟତ କୋତାମାଟେରୁ ନିକଟ ସାବେରୀ ନଦୀରେ ୨୦ ଘଣ୍ଟା ଧରି ଫସିଥିଲେ ଶ୍ରମିକ। ରବିବାର ଦେଶୀ ଡଙ୍ଗା ଯୋଗେ ନଦୀ ପାର ସମୟରେ ଡଙ୍ଗା ଓଲଟି ପଡ଼ିବାରୁ ପାଣିରେ ଭାସି ଯାଇଥିଲେ। ଅଧ କିମି ଭାସିଯିବା ପରେ ଏକ ଗଛ ବୁଦାକୁ ଧରି ରହିଥିଲେ। ରାତି ତମାମ ନଦୀ ଭିତରେ ରହିବା ପରେ ସୋମବାର ସକାଳୁ ବିମାନ ସହାୟତାରେ ଇର୍ମା ସୋଡ଼ିକୁ ସିଆର୍ପିଏଫ୍ ଯବାନ ଉଦ୍ଧାର କରିଛନ୍ତି। ଉଦ୍ଧାର ପରେ ଇର୍ମାଙ୍କୁ ସୁକମା ଜିଲ୍ଲା ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ରବିବାର କତାମାଟେରୁ ଗ୍ରାମର ଇର୍ମା ଦେଶୀଡଙ୍ଗା ନେଇ ଛତିଶଗଡ଼ ସୁକମା ଜିଲ୍ଲାର ନାଡ଼ିଗୁଫା ତେଲାବର୍ତୀ ଗ୍ରାମକୁ ଯାଇଥିଲେ। କାମ ସାରି ସନ୍ଧ୍ୟାରେ ଡଙ୍ଗା ଯୋଗେ ସାବେରୀ ନଦୀ ପାର ହେଉଥିବା ବେଳେ ହଠାତ୍ ବନ୍ୟାଜଳ ମାଡ଼ି ଆସିଥିଲା। ପାଣିର ପ୍ରଖର ସ୍ରୋତରେ ଦେଶୀଡଙ୍ଗା ଓଲଟି ପଡ଼ିଥିଲା। ଇର୍ମା ଭାସି ଯାଇ ଏକ ଗଛ ବୁଦାକୁ ଧରି ଅଟକି ରହିଲେ। ରାତି ତମାମ ଗଛକୁ ଜାବୁଡ଼ି ଧରି ଜୀବନ ବଞ୍ଚାଇଥିଲେ। ସୋମବାର ସକାଳୁ କୋତାମାଟେରୁ ଗ୍ରାମବାସୀ ଇର୍ମା ନଦୀ ଭିତରେ ଫସିଥିବା ଦେଖି ମାଲକାନଗିରି ଏବଂ ସୁକମା ଜିଲ୍ଲା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।
ଉଭୟ ରାଜ୍ୟର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ପ୍ରଖର ସ୍ରୋତ କାରଣରୁ ବୋଟ୍ ପାଣି ଭିତରକୁ ନ ଯିବାରୁ ଜଗଦଲପୁରରୁ ହେଲିକପ୍ଟର ମଗାଯାଇଥିଲା। ସୁକମା ସିଆର୍ପିଏଫ୍ ଯବାନ ହେଲିକପ୍ଟର ଯୋଗେ ନଦୀ ମଝିରେ ଓହ୍ଲାଇ ଇର୍ମାକୁ ଉଦ୍ଧାର କରିଥିଲେ। ୨୦ ଘଣ୍ଟାରୁ ଅଧିକ ସମୟ ଧରି ପାଣିରେ ରହିବା ଯୋଗୁଁ ଇର୍ମା ଅସୁସ୍ଥ ହୋଇ ପଡ଼ିଥିଲେ। ଚିକିତ୍ସା ପରେ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି। ସୁକମା ମେଡିକାଲରେ ଇର୍ମାଙ୍କ ଚିକିତ୍ସା ଚାଲିଛି। ଖବର ପାଇ ପରିବାର ଲୋକେ ସୁକମାରେ ପହଞ୍ଚିଛନ୍ତି। ଭଗବାନଙ୍କ ଆଶୀର୍ବାଦ ଯୋଗୁଁ ଇର୍ମା ନୂଆ ଜୀବନ ପାଇଥିବା କହିଛନ୍ତି ପରିବାର ଲୋକ।