ବଲାଙ୍ଗୀର: ବଲାଙ୍ଗୀର ନାଗରିକ କମିଟି ପକ୍ଷରୁ ମହାବିଦ୍ୟାଳୟର ଚାରିଜଣ ପୂର୍ବତନ ଅଧ୍ୟକ୍ଷ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଭାଇସଚାନସେଲର ଉମାବଲ୍ଲଭ ମହାପାତ୍ରଙ୍କୁ ସାକ୍ଷାତ କରି ବିଶ୍ୱବିଦ୍ୟାଳୟର ବିଭିନ୍ନ ସମସ୍ୟା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ଭାଇସ୍‌ଚାନସେଲର ଶ୍ରୀ ମହାପାତ୍ର ବିଶ୍ୱବିଦ୍ୟାଳୟର ଅଧ୍ୟାପକ ସମସ୍ୟା, ଜବରଦଖଲ ସମସ୍ୟା ଓ ବିଭିନ୍ନ ଭିତ୍ତିଭୂମିର ବିକାଶ ସଂପର୍କରେ ଆଲୋଚନା କରିଥିଲେ। ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପିଜି କାଉନସିଲ ଅଧୀନରେ ଥିବା ୧୮ଟି ବିଭାଗରେ ଟିଚିଂ ଓ ନନ୍‌ଟିଚିଂ ଷ୍ଟାଫ୍‌ଙ୍କ ଅଭାବ ପାଠପଢ଼ାରେ ଏକ ଅଚଳାବସ୍ଥା ସୃଷ୍ଟି କରିଛି।

Advertisment

ଏଥିସହ   ବର୍ତ୍ତମାନ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଅଧୀନରେ ମାତ୍ର ୪୨ ଏକର ଜମି ରହିଥିବା ବେଳେ ବିଶ୍ୱବିଦ୍ୟାଳୟ ପକ୍ଷରୁ ୬୪ ଏକର ଜମି ପ୍ରଦାନ ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି ଭାଇସଚାନ୍‌ସେଲର ଶ୍ରୀ ମହାପାତ୍ର କହିଛନ୍ତି। ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଭାଗରେ ୧୨୬ଜଣ ଅଧ୍ୟାପକ ରହିବା ସ୍ଥାନରେ ମାତ୍ର ୩୧ଜଣ ଅଧ୍ୟାପକ କାମ ତୁଲାଉଛନ୍ତି। ଏହି ଅଧ୍ୟାପକମାନେ ବିଶ୍ୱବିଦ୍ୟାଳୟର ବିଭିନ୍ନ ପ୍ରାଶାସନିକ କାର୍ଯ୍ୟ ଯଥା ପରୀକ୍ଷା ନିୟନ୍ତ୍ରଣ, ରେଜିଷ୍ଟ୍ରାର, ଚେୟାର୍‌ପର୍ସନ ଇତ୍ୟାଦିର ଦାୟିତ୍ୱ ତୁଲାଉଥିବାରୁ ପାଠପଢ଼ା ବ୍ୟାଘାତ ହେଉଛି। ପୁଣି ୪୩ ଜଣ ଗେଷ୍ଟ ଫେକଲଟିଙ୍କୁ ଏଠାରେ ଅବସ୍ଥାପିତ କରାଯାଇ ଯେନତେଣ ପ୍ରକାରେଣ ପାଠପଢ଼ା ଚାଲିଛି। ଏଥି ଯୋଗୁଁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବା ପରେ ମଧ୍ୟ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି ବୋଲି ଆଲୋଚନା ସମୟରେ ପ୍ରତିନିଧି ଦଳ ଜାଣିବାକୁ ପାଇଥିଲେ।

ଏଣିକି ସେଲ୍ଫ ଫାଇନାନ୍ସ ମାଧ୍ୟମରେ ପାଠ ପଢ଼ିବା ପାଇଁ ନୂତନ ବିଷୟ ନ ଖୋଲିବାକୁ ସରକାରଙ୍କ ତରଫରୁ ନିର୍ଦେଶ ରହିଛି। ବଲାଙ୍ଗୀର ନାଗରିକ କମିଟି ତରଫରୁ ସାଧାରଣ ସଂପାଦକ ମନୋରଂଜନ ସାହୁଙ୍କ ନେତୃତ୍ୱ ଓ ବିମଳ ଚୋପଦାରଙ୍କ ଆବାହକତ୍ୱରେ ତଥା ରାଜେନ୍ଦ୍ର କଲେଜର ପୂର୍ବତନ ଅଧ୍ୟକ୍ଷ ଡ. ଅଭିମନ୍ୟୁ ମିଶ୍ରଙ୍କ ସମେତ ଡ. ସତ୍ୟବନ୍ତ ବେଦବାକ, ସୋନପୁର କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ତରୁଣ ମିଶ୍ର ଓ ସହସଂପାଦକ ଡ. ଚକ୍ରପାଣି ଦାଶ ପ୍ରମୁଖ ଅଂଶଗ୍ରହଣ କରିଥିଲେ।