ବିଧାୟକ ବିଜୟଶଙ୍କରଙ୍କ ସଂପର୍କରେ ତଥ୍ୟ ରଖିଲେ ସୋମାଲିକା

କେଉଁଠି, କେଉଁଦିନ, କେତେବେଳେ..., ବୟାନ ରେକର୍ଡ, ଡାକ୍ତରୀ ମାଇନା ଶେଷ

ଜଗତସିଂହପୁର ଟାଉନ୍ : ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡ଼ୁଆ ଦିନକୁଦିନ ବଢ଼ିବାରେ ଲାଗିଛି। ପ୍ରେମିକା ସୋମାଲିକା ଆଣିଥିବା ଦୁଷ୍କର୍ମ ମାମଲାର ତଦନ୍ତ ଆଗକୁ ବଢ଼ାଇଛି ପୁଲିସ। ସୋମବାର ଦିନ ଅଭିଯୋଗକାରୀ ସୋମାଲିକା ଦାଶଙ୍କ ପୂର୍ଣ୍ଣାଙ୍ଗ ବୟାନ ରେକର୍ଡ କରାଯାଇଛି।

ଜଗତସିଂହପୁର ଥାନାରେ ପ୍ରାୟ ୫ ଘଣ୍ଟା ଧରି ସିଆରପିସି ଧାରା-୧୬୧ ଅନୁସାରେ ଭିଡିଓଗ୍ରାଫି ମାଧ୍ୟମରେ ସୋମାଲିକାଙ୍କ ବୟାନ ରେକର୍ଡ କରାଯାଇଛି। ତଦନ୍ତକାରୀ ଅଧିକାରୀ ଏତଲା ଆଧାରରେ ବୟାନ ରେକର୍ଡ କରିଛନ୍ତି। ଏତଲାରେ ଦୁଇଥର ଦୁଷ୍କର୍ମ, ଗର୍ଭପାତ କଥା ଉଲ୍ଲେଖ ରହିଥିଲା। କିନ୍ତୁ କେଉଁଠି, କେଉଁଦିନ, କେଉଁ ସମୟରେ ଘଟଣା ଘଟିଥିଲା…ତା’ର ଟିକିନିଖି ତଥ୍ୟ ହାସଲ କରିଛନ୍ତି ଅଧିକାରୀ। ବୟାନ ରେକର୍ଡ ପରେ ଅପରାହ୍ନ ପ୍ରାୟ ୪ଟାରେ ସୋମାଲିକାଙ୍କର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀମାଇନା କରାଯାଇଛି। ପ୍ରାଥମିକ ପର୍ଯ୍ୟାୟ କାମ ଶେଷ କରିଥିବା ବେଳେ ମାଜିଷ୍ଟ୍ରେଟଙ୍କ ନିକଟରେ ସିଆରପିସି ଧାରା-୧୬୪ ଅନୁସାରେ ସୋମାଲିକାଙ୍କ ବୟାନ ରେକର୍ଡ ପାଇଁ ପୁଲିସ ଆବେଦନ କରିଛି। ଅନୁମତି ମିଳିବା ପରେ ବୟାନ ରେକର୍ଡ ହେବ ବୋଲି ଜଣାପଡ଼ିଛି।

ହସ୍ତଗତ ସୂଚନା ଅନୁସାରେ, ମାଜିଷ୍ଟ୍ରେଟଙ୍କ ନିକଟରେ ବୟାନ ରେକର୍ଡ ପରେ ପୁଲିସ ତଦନ୍ତ ପ୍ରକ୍ରିୟାକୁ ଜୋର୍‌ଦାର୍‌ କରିବ। ତଦନ୍ତ ସମୟରେ ପୁଲିସ ସୋମାଲିକାଙ୍କ ପାଖରେ ଥିବା ତଥ୍ୟ ପ୍ରମାଣ ସଂଗ୍ରହ କରିବ। ଏହାପରେ ବିଧାୟକଙ୍କୁ ଜେରା କରିବ ବୋଲି ସୂଚନା ମିଳିଛି। ଏହା ଏକ ହାଇପ୍ରୋଫାଇଲ୍‌ ମାମଲା ହୋଇଥିବାରୁ ପୁଲିସ ପାଇଁ ମଧ୍ୟ ଏବେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ, ଏ ସମ୍ପର୍କରେ ସୋମାଲିକା କହିଛନ୍ତି ଯେ ଯଦି ଜଣେ ସାଧାରଣ ଲୋକ ବିରୋଧରେ ମାମଲା ହୋଇଥା’ନ୍ତା, ତା’ହେଲେ ପୁଲିସ ଏତେବେଳକୁ କାର୍ଯ୍ୟାନୁଷ୍ଠାନ ନେଇସାରନ୍ତାଣି। କିନ୍ତୁ, ଜଣେ ଶାସକ ଦଳର ବିଧାୟକଙ୍କ ବିରୋଧରେ ମାମଲା ହୋଇଥିବାରୁ ପୁଲିସ ଚାପରେ ରହୁଥିବା ସେ କହିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗତ ୨ ତାରିଖରେ ସୋମାଲିକା ଥାନାର ଦ୍ବାରସ୍ଥ ହୋଇଥିଲେ। ୩ ତାରିଖରେ ପୁଲିସ ମାମଲା ରୁଜୁ କରିବା ସହ ସୋମାଲିକାଙ୍କ ବୟାନ ରେକର୍ଡ କରିଥିଲା। କିନ୍ତୁ, ସବୁ ତଥ୍ୟ ମିଳି ନ ଥିବାରୁ ଆଜି ପୂର୍ଣ୍ଣାଙ୍ଗ ବୟାନ ରେକର୍ଡ କରାଯିବା ପାଇଁ ସୋମାଲିକାଙ୍କୁ ଖବର ଦିଆଯାଇଥିଲା। ଦିନ ପ୍ରାୟ ସାଢ଼େ ୧୦ଟାରେ ସୋମାଲିକା ଥାନାରେ ହାଜର ହୋଇଥିଲେ। ଅପରାହ୍ନ ସାଢ଼େ ୩ଟା ପର୍ଯ୍ୟନ୍ତ ବୟାନ ରେକର୍ଡ କରାଯାଇଥିଲା। ଏହାପରେ ତାଙ୍କର ଡାକ୍ତରୀମାଇନା ହୋଇଥିଲା।

ସମ୍ବନ୍ଧିତ ଖବର