ଖୋର୍ଦ୍ଧା: ଦୁଇ ଦିନ ପୂର୍ବେ ଠେଙ୍ଗାହାଟ ଠାରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଗୁରୁତର ଆହତ ହୋଇଥଲା ବ୍ରାଉନସୁଗାର ମାଫିଆ ସୋମନାଥ ଭୂଜବଳ। ଶୁକ୍ରବାର ରାତିରେ ତାର ମୃତ୍ୟୁ ଘଟିଥିବା ତାଙ୍କ ବାପା କହିଥିବା ବେଳେ ଶନିବାର ପୂର୍ବାହ୍ଣରେ ତାଙ୍କ ମୃତ୍ୟୁକୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ମୃତ୍ୟୁ ପରେ ସୋମନାଥର ବାପା ଗୁଳିକାଣ୍ଡ ପଛରେ ବ୍ରାଉନସୁଗାର ବ୍ୟବସାୟ ହିଁ ପ୍ରମୁଖ କାରଣ ଥିବା କହିଥିବା ବେଳେ ପୁଣି ବ୍ରାଉନସୁଗାର କାରବାର ଆରମ୍ଭ କରିବାକୁ ତାଙ୍କ ପୁଅ ଉପରେ ଚାପ ପକାଉଥିଲେ ବୋଲି ଅଭିଯୋଗ କରିଛନ୍ତି।
ଶନିବାର ପୂର୍ବାହ୍ଣରେ ସୋମନାଥର ମୃତ୍ୟୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଥିଲା । ଏହାପରେ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍ରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଶବ ବ୍ୟବଚ୍ଛେଦ ବେଳେ ଅଂଟାରେ ବାଜିଥିବା ଗୁଳି ନମିଳିବାରୁ ପୁଣିଥରେ ଏକ୍ସରେ କଡ଼ାଯାଇ ଶବ ବ୍ୟବଚ୍ଛେଦ କରାଯାଇଥିଲା । ଏହାପରେ ସଂଧ୍ୟାରେ ସ୍ୱତନ୍ତ୍ର ଶବଧାର ଗାଡ଼ିରେ ମୃତଦେହକୁ ଖୋର୍ଦ୍ଧା ଅଣାଯାଇଥିଲା । ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟାଳୟ ଛକ ନିକଟରେ ଆମ୍ବୁଲାନ୍ସ ପହଂଚିବା ବେଳେ ପ୍ରବଳ ବର୍ଷାରେ ମଧ୍ୟ ଶତାଧିକ ଲୋକ ମୃତଦେହ ପାଇଁ ଅପେକ୍ଷା କରି ରହିଥିଲେ।
ଅପରପକ୍ଷରେ, ଗୁଳିକାଣ୍ଡ ସମ୍ପର୍କରେ ଆଜି ସୋମନାଥର ବାପା କୃଷ୍ଣଚନ୍ଦ୍ର ଭୂଜବଳ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ ଗୁଳିକାଣ୍ଡର ସିଧାସଳଖ କାରଣ ସେ ଜାଣନ୍ତି ନାହିଁ । ସୋମନାଥ ବ୍ରାଉନସୁଗାର ବ୍ୟବସାୟ ଛାଡ଼ି ମାଛ ବ୍ୟବସାୟ କରୁଥିଲା। ସଂଜୁ ବୋଲି ଜଣେ ପୂର୍ବତନ ସହଯୋଗୀ ତାକୁ ବିଭିନ୍ନ ଲୋକଙ୍କ ମାଧ୍ୟମରେ ପୁଣିଥରେ ବ୍ରାଉନସୁଗାର ବ୍ୟବସାୟ ଆରମ୍ଭ କରିବାକୁ ଚାପ ପକାଇବା ସହ ଧମକଚମକ ମଧ୍ୟ ଦେଉଥିଲା। ଏନେଇ ସୋମନାଥ ତାଙ୍କୁ ଅନେକ ଥର କହିଛି, କିନ୍ତୁ ସଂଜୁ ସିଧାସଳଖ ସୋମନାଥକୁ ଏଭଳି ଧମକ ଦେଇନଥିବାରୁ ଏହାକୁ ଅଣଦେଖା କରିବାକୁ କହି ସାଧାରଣ ନାଗରିକ ଭାବେ ଜୀବନଯାପନ କରିବାକୁ ପରାମର୍ଶ ଦେଇଥିଲେ । ତାଙ୍କ ପୁଅ ସୋମନାଥକୁ ସଂଜୁ ହିଁ ଲୋକ ଲଗାଇ ଗୁଳି କରି ମାରିଥିବା ସେ ସନ୍ଦେହ କରୁଛନ୍ତି।
ତଦନ୍ତ ନେଇ ପୁଲିସର ପଦକ୍ଷେପ ସମ୍ପର୍କରେ ସେ କହିଛନ୍ତି ଯେ ପୁଲିସ ମାମଲାରେ ଯେତିକି ତତ୍ପରତା ଦେଖାଇବା କଥା ସେତିକି ଦେଖାଉନାହିଁ । ସେମାନେ ଲିଖିତ ଅଭିଯୋଗ ଦେବା ପରେ ମଧ୍ୟ କାହାରିକୁ ଅଟକ ରଖାଯାଇନାହିଁ । ଖୋର୍ଦ୍ଧା ଟାଉନ ଥାନାରୁ ନ୍ୟାୟ ନମିଳିଲେ ସେ ଆରକ୍ଷୀ ଅଧୀକ୍ଷକଙ୍କୁ ଜଣାଇବେ ଯଦି ଏଥିରେ ମଧ୍ୟ ପୁଲିସ ଟାଳଟୁଳ ନୀତି ଧରେ ତେବେ ସେ କୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/Somanath-Bhujabal-ra-Dead-Body-Khordha-Zillapal-Chhakare.jpg)