ନିଟ୍‌ ପରୀକ୍ଷାରେ ସୋମଦତ୍ତ ଓଡ଼ିଶା ଟପର

ବିଂଝାରପୁର : ସର୍ବଭାରତୀୟ (ନିଟ ୟୁଜି) ପ୍ରବେଶିକା ପରୀକ୍ଷାରେ ୭୨୦ ନମ୍ବରରୁ ୭୦୫ ନମ୍ବର ରଖି ପ୍ରିୟ ସୋମଦତ୍ତ ନାୟକ ଓଡ଼ିଶା ଟପର ହୋଇଛନ୍ତି। ତାଙ୍କ ଘର ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍‌ ଶାସନ୍ଦା ପଞ୍ଚାୟତ ଅନ୍ତଗୟତ ବରୁଣା ଗ୍ରାମରେ। ସୋମଦତ୍ତ ସର୍ବଭାରତୀୟସ୍ତରରେ ୩୯ତମ ସ୍ଥାନ ଅଧିକାର କରିଛନ୍ତି। ନୂଆଦିଲ୍ଲୀର ଏମ୍‌ସରେ ଏମ୍‌ବିବିଏସ୍‌ ଅଧ୍ୟୟନ କରିବାକୁ ସେ ଆଗ୍ରହୀ ଥିବା କହିଛନ୍ତି। ସେ ଦିନକୁ ୧୦ଘଣ୍ଟା ପରିଶ୍ରମ କରୁଥିଲେ। ଏହି ସଫଳତାରେ ସେ ଆନନ୍ଦ ପ୍ରକାଶ କରିଛନ୍ତି।

ଭୁବନେଶ୍ବର ସାଇ ଇଣ୍ଟରନେସନାଲ ସ୍କୁଲରେ ଯୁକ୍ତ ଦୁଇ ପାସ୍‌ କରିବା ପରେ ୩ ବର୍ଷ କୋଚିଂ ନେଇଥିଲେ। ତାଙ୍କ ବାପା ସଂଜୀବ ନାୟକ ଆଇଟିସି ଲି.ରେ କାମ କରନ୍ତି। ମା’ ଅନୁପମା ନାୟକ ଗୃହିଣୀ। ସେ ସପରିବାର ଭୁବନେଶ୍ବର ବଜରଙ୍ଗବିହାରରେ ରହୁଛନ୍ତି। ଏ ଖବରପାଇ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ତାଙ୍କ ଘରେ ପହଞ୍ଚି ଅଭିନନ୍ଦନ ଜଣାଇବା ସହ ଏହା ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି। ସେହିପରି ବିଂଝାରପୁର ବ୍ଲକ ଅଧ୍ୟକ୍ଷା ରଂଜିତା କୁମାରୀ ଦାସ, ଶାସନ୍ଦା ସରପଞ୍ଚ କାମଦେବ ଧଳ, ସନ୍ତୋଷ କୁମାର ନାୟକ, ଛାତ୍ର ବିଜେଡି ସଭାପତି ଲେନିନ ଦାସ, ବିଂଝାରପୁର ପ୍ୟାକ୍ସ ସଭାପତି ଅଶୋକ ସାହୁ, ପୂର୍ବତନ ସରପଞ୍ଚ ରଶ୍ମିରେଖା ନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର