ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ୟୁନିଟ୍‌-୯ ବାଳକ ଉଚ୍ଚବିଦ୍ୟାଳୟରେ ଆଜିଠାରୁ ଆରମ୍ଭ ହୋଇଛି। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ୩୦ଟି ଜିଲ୍ଲାର ସାଂସ୍କୃତିକ ଦଳ, ୨୦୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଓ ୧୨୦୦ରୁ ଊର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି।

Advertisment

ଆକର୍ଷଣ ‘ଆକାଂକ୍ଷୀ ପାଭିଲିୟନ୍‌’
ସୁରଭି ମହୋତ୍ସବରେ ମୁଖ୍ୟ ଆକର୍ଷଣ ସାଜିଛି ‘ଆକାଂକ୍ଷୀ ପାଭିଲିୟନ୍‌’। ବିଦ୍ୟାଳୟରେ ଆରମ୍ଭ ହୋଇଥିବା ଆକାଂକ୍ଷୀ ପାଠ୍ୟକ୍ରମ ଏବଂ କ୍ଲବ୍ କାର୍ଯ୍ୟକ୍ରମଗୁଡି଼କ ୩୨ଟି ଷ୍ଟଲ୍‌ରେ ପ୍ରଦର୍ଶିତ କରାଯାଇଛି। ପାଭିଲିୟନ୍ ଆରମ୍ଭରୁ ଥିବା ଗ୍ଲୋବ୍ ଆଗାମୀ ୨୦୩୬ ବର୍ଷ ବେଳକୁ ଆମ ରାଜ୍ୟର ବିଦ୍ୟାଳୟ କିପରି ହେବ ତାହା ପ୍ରଦର୍ଶିତ କରୁଛି। ପାଭିଲିୟନ୍‌ରେ କରାଯାଇଥିବା ବାଇସ୍କୋପ୍‌ର ୪ଟି ଲେନ୍ସରେ ବିଦ୍ୟାଳୟରେ ଚାଲିଥିବା ୪ଟି କ୍ଲବ୍ କ୍ରୀଡାଙ୍ଗନ, କୌଶଳୀ, ଜିଜ୍ଞାସା ଓ ସାହିତ୍ୟ ସୃଜନୀକୁ ପ୍ରଦର୍ଶିତ କରାଯାଇଛି। ଛାତ୍ରଛାତ୍ରୀ ଓ ପ୍ରଶିକ୍ଷକମାନେ ଏଠାରେ ବିଭିନ୍ନ ଅଧିବେଶନ କରୁଛନ୍ତି।

ଚର୍ଚ୍ଚାରେ ଅଧ୍ୟାପକଙ୍କ ମିଶ୍ରଶାଳ
ଶିଶୁ ମହୋତ୍ସବରେ ଚର୍ଚ୍ଚାରେ ରହିଛି ଅବସରପ୍ରାପ୍ତ ଅଧ୍ୟାପକ ଅଜୟ ମିଶ୍ରଙ୍କ ‘ମିଶ୍ରଶାଳ’। ଏଠାରେ ଶ୍ରୀ ମିଶ୍ର ହଜି ଯାଉଥିବା ପ୍ରାୟ ଦେଢ଼ଶହ ପାରମ୍ପରିକ ଲୋକ-ଉପକରଣ ପ୍ରଦର୍ଶନ କରିଛନ୍ତି। ଶ୍ରୀ ମିଶ୍ର ନିଜେ ଏହି ଜିନିଷଗୁଡ଼ିକୁ ତିଆରି କରିବା ସହ ଛାତ୍ରଛାତ୍ରୀଙ୍କୁ ଏହାର ବ୍ୟବହାର ସମ୍ପର୍କରେ ବୁଝାଉଛନ୍ତି। ଏହି ପୁରୁଣା ଜିନିଷସବୁକୁ ଦେଖିବାକୁ ନୂଆ ପିଢ଼ିଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ।

ପୋଷଣ ଓ ଖାଦ୍ୟ ନିରାପତ୍ତା ପ୍ରତିଯୋଗିତା
ଆଜି ପ୍ରଥମ ଦିନରେ ପୋଷଣ ଓ ଖାଦ୍ୟ ନିରାପତ୍ତା ଶୀର୍ଷକରେ ପ୍ରତିଯୋଗିତା ହୋଇଥିଲା। ୩୦ଟି ଜିଲ୍ଲାରୁ ଜଣେ ଲେଖାଏଁ କୃତି ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରି ପୋଷଣ ଓ ଖାଦ୍ୟ ନିରାପତ୍ତା ଉପରେ ସୁନ୍ଦର ଚିତ୍ର ଓ ହସ୍ତକଳା ପ୍ରସ୍ତୁତ କରିଥିଲେ। ଏଥିସହ ପ୍ରବନ୍ଧ, ଚିତ୍ରାଙ୍କନ ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସନ୍ଧ୍ୟାରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ, ଯାହା ଉପସ୍ଥିତ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା।