୩୧ ଯାଏଁ ସଟଡାଉନ ରହିବ ବରଗଡ଼ ଜିଲ୍ଲାର ଏକାଧିକ ଅଂଚଳ, ଝାରସୁଗୁଡ଼ାକୁ ପ୍ରବେଶ ମନା

ବରଗଡ଼/ଝାରସୁଗୁଡ଼ା: ବରଗଡ଼ ଜିଲ୍ଲାର ଏକାଧିକ ଅଂଚଳ ଜୁଲାଇ ୨୩ ଠାରୁ ୩୧ ଯାଏଁ ସଟଡାଉନ ରହିବ । କରୋନା ଭାଇରସ ବୃଦ୍ଧି ଆଶଙ୍କାରେ ବରଗଡ଼ ଜିଲ୍ଲାର ଏକାଧିକ ଅଂଚଳ ସଟଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ବରଗଡ଼ ଜିଲ୍ଲାପାଳ ଜ୍ୟୋତି ରଂଜନ ପ୍ରଧାନ ବରଗଡ଼ ସବଡିଭିଜନ, ସୋହେଲା ବ୍ଳକ, ବିଜେପୁର ବ୍ଲକ, ବିଜେପୁର ବିଜ୍ଞାପିତ ଅଂଚଳ ପରିଷଦ ଓ ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦକୁ ସଟଡାଉନ ନେଇ ଘୋଷଣା କରିଛନ୍ତି ।

ସଟଡାଉନ ସମୟରେ ସମସ୍ତ ଅତ୍ୟାବଶ୍ୟକୀୟ ସେବା ଜାରି ରହିବ। ଏଥିସହ ରାଶନ ସାମଗ୍ରୀ ଦୋକାନ ପନିପରିବା ଓ କ୍ଷୀର ଦୋକାନ ସକାଳ ୬ ଟାରୁ ଦିନ ୧ ଯାଏଁ ଖୋଲା ରହିବ । ମାଛ, ମାଂସ ର ଗୃହ ସେବା ଜୋଗାଇଦିଆଜିବ, ଜରୁରୀକାଳୀନ ସେବା ଯୋଗାଉଥିବା ସଂସ୍ଥା ତଥା ପ୍ରତିରକ୍ଷା ପ୍ରତିଷ୍ଠାନ ଖୋଲାରହିବ। କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ ଗମନାଗମନ କରିପାରିବେ, ଟେଲିକମ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ଚଳପ୍ରଚଳ କରିପାରିବେ । ଅନୁମତି ପ୍ରାପ୍ତ ଗଣ ମାଧ୍ୟମ ପ୍ରତିନିଧିମାନେ ଯାତାୟାତ କରିପାରିବେ, ପାନୀୟଜଳ, ପରିମଳ ବିଭାଗର କର୍ମଚାରୀମାନେ ଯାତାୟାତ କରିପାରିବେ, ଶକ୍ତି ବିଭାଗରେ କାର୍ଯ୍ୟରତ କର୍ମଚାରୀ ଯାତାୟାତ କରିପାରିବେ । ମାଲବାହୀ ସାମଗ୍ରୀର ଗାଡି ଯାତାୟାତ କରିପାରିବ, କୃଷି, କୃଷିଜାତ ଦୋକାନ, ଗୋଖାଦ୍ୟ ପଶୁସମ୍ପଦର ଦୋକାନ, ମାଛ ଖାଦ୍ୟ ଦୋକାନ ଖୋଲା ରହିବ । ପେଟ୍ରୋଲ ପମ୍ପ ଓ ଗ୍ୟାସ ବିତରଣ କେନ୍ଦ୍ର ଖୋଲା ରହିବ, ଅନଲାଇନ ସେବା ଯୋଗାଉଥିବା କ୍ଷେତ୍ର ଖୋଲା ରହିବ ।

Representative image

ସେହିପରି ଝାରସୁଗୁଡ଼ା ଜିଲ୍ଲାକୁ ଯାତାୟତ ନେଇ ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛି । ବିଶେଷ କରି ୭ଟି ଜିଲ୍ଲା (ଗଂଜାମ, ଗଜପତି, କଟକ, ଖୋର୍ଦ୍ଧା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ସହ ସୁନ୍ଦରଗଡ଼ ଜିଲ୍ଲାର ପାନପୋଷ ବ୍ଲକ)ର ଲୋକେ ଯାଜପୁର ଯାଇପାରିବେ ନାହିଁ । ଜିଲ୍ଲାକୁ ଆସୁଥିବା ଲୋକମାନେ ୧୪ ଦିନ ପାଇଁ ବାଧ୍ୟତାମୂଳକ ଭାବେ ସଂଗରୋଧରେ ରହିବେ । କିନ୍ତୁ ସରକାରୀ କର୍ମଚାରୀ ଝାରସୁଗୁଡ଼ା ଆସି ୪୮ ଘଣ୍ଟା ମଧ୍ୟରେ ଫେରିଯାଇପାରିବେ । ଏଥିପାଇଁ କୌଣସି କଟକଣା ଲାଗୁ ହେବ ନାହିଁ ।

ସୂଚନାଯୋଗ୍ୟ, ବରଗଡ଼ ଜିଲ୍ଲାରୁ ୨୯୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାରୁ ୨୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୨ଟି ଜିଲ୍ଲାରେ କ୍ରମାଗତ ଭାବେ ପଜିଟିଭ ସଂଖ୍ୟା ବଢ଼ିବାରେ ଲାଗିଛି ।

 

ସମ୍ବନ୍ଧିତ ଖବର