ଭୁବନେଶ୍ବର : ରାଜ୍ୟର ସବୁଠାରୁ ବଡ଼ ମେଡିକାଲ କଲେଜ ଏସ୍ସିବିରେ ଭୁଲ୍ କ୍ୟାନସର ରିପୋର୍ଟକୁ ନେଇ ଜଣେ ମହିଳା ଅଙ୍ଗ ହରାଇଲେ। ରାଜ୍ୟର ଅନ୍ୟତମ ପୁରାତନ ମେଡିକାଲ କଲେଜ ଏମ୍କେସିଜିର ଭେଷଜ ୱାର୍ଡରେ ଇଞ୍ଜେକସନ୍ ନେଇ ବହୁ ସଂଖ୍ୟକ ରୋଗୀ ଅସୁସ୍ଥ ହୋଇଛନ୍ତି। ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ରାଜଧାନୀର ସରକାରୀ ଚିକିତ୍ସା ବ୍ୟବସ୍ଥାର ପ୍ରାଣକେନ୍ଦ୍ର କ୍ୟାପିଟାଲ ହସ୍ପିଟାଲରେ ଜଣେ ରୋଗୀଙ୍କୁ ଭୁଲ୍ ଇଞ୍ଜେକସନ୍ ଦିଆଯିବା କାରଣରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତେଣୁ କେଉଁ ଭରସାରେ ଲୋକମାନେ ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯିବେ ବୋଲି ସାଧାରଣରେ ଆଲୋଚନା ହେଉଛି।
ଧଉଳି ଥାନା ଅଧୀନ ଜଗନ୍ନାଥପୁର ପାଟଣା ଗାଁର ଦୁଶାସନ ସାହୁ(୫୧)ଙ୍କର ଶୁକ୍ରବାର ସକାଳେ ଛାତିରେ ଯନ୍ତ୍ରଣା ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିଲେ। ହସ୍ପିଟାଲରେ ଥିବା ଡାକ୍ତର ତାଙ୍କର ଏସିଡିଟି ହୋଇଥିବା କହିଥିଲେ। ଏଥିପାଇଁ କିଛି ଔଷଧ ଓ ୨ଟି ଇଞ୍ଜେକସନ୍ ଲେଖିଥିଲେ। ପରିବାର ଲୋକଙ୍କ ଅଭିଯୋଗ ମୁତାବକ ଔଷଧ ଖାଇବା ପରେ ତାଙ୍କର ଆହୁରି ଯନ୍ତ୍ରଣା ହୋଇଥିଲା। ପରେ ଡାକ୍ତର ଇଞ୍ଜେକସନ୍ ଦେବାକୁ କହିଥିଲେ। ଇଞ୍ଜେକସନ୍ ଦେବାପରେ ପରିବାର ଲୋକ ତାଙ୍କୁ ଗାଡ଼ିରେ ଘରକୁ ନେଇଥିଲେ। କିନ୍ତୁ ବାଟରେ ହିଁ ଦୁଶାସନ ସଜ୍ଞାହୀନ ହୋଇ ପଡ଼ିଥିଲେ। ପରିବାର ଲୋକ ପୁଣିଥରେ ତାଙ୍କୁ ହସ୍ପିଟାଲର କାଜୁଆଲ୍ଟିରେ ଭର୍ତି କରିଥିଲେ।
କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
ଯାଞ୍ଚ ପାଇଁ ୨ଜଣିଆ କମିଟି ଗଠନ
କାଜୁଆଲ୍ଟିରେ ଉପସ୍ଥିତ ମହିଳା ଡାକ୍ତର ରୋଗୀଙ୍କ ପ୍ରେସକ୍ରିପସନ୍ ଛଡ଼ାଇ ନେଇଥିଲେ ଓ ଚିକିତ୍ସା ସରିବା ପରେ ଦିଆଯିବ ବୋଲି କହିଥିଲେ। ଏହାର କିଛି ସମୟରେ ରୋଗୀଙ୍କ ମୃତ୍ୟୁ ହୋଇ ଯାଇଥିଲା।
ଏହାକୁ ନେଇ ହସ୍ପିଟାଲ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ପରିବାର ଲୋକ ହସ୍ପିଟାଲ ନିର୍ଦେଶକଙ୍କୁ ଭେଟି ଅଭିଯୋଗ କରିଥିଲେ। ବିଜେପି ନେତା ବାବୁ ସିଂ ଓ ଅନ୍ୟମାନେ ହସ୍ପିଟାଲରେ ପହଞ୍ଚି ଘଟଣାର ଯାଞ୍ଚ ପାଇଁ ଦାବି କରିଥିଲେ। ଶ୍ରୀ ସିଂ ଗଣମାଧ୍ୟମକୁ କହିଛନ୍ତି ଯେ ରୋଗୀଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କର କିପରି ଓ କେଉଁ ଚିକିତ୍ସା କରାଗଲା ତାହା ସଂପର୍କରେ ଡାକ୍ତର କହିବାକୁ ନାରାଜ। ମୃତ୍ୟୁର ୩ଘଣ୍ଟା ପରେ ବି ନିର୍ଦେଶକ ଠିକ୍ ଭାବେ କିଛି କହିପାରୁ ନାହାନ୍ତି। ଏହା ଦୁଭାର୍ଗ୍ୟଜନକ। ଅପରପକ୍ଷରେ ଏହି ଘଟଣାକୁ ନେଇ ଧଉଳି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଡା.ଲକ୍ଷ୍ମୀଧର ସାହୁ କହିଛନ୍ତି, ରୋଗୀ ଜଣକ ସକାଳେ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିଲେ। ୩ଟି ପର୍ଯ୍ୟାୟରେ ଡାକ୍ତର ତାଙ୍କୁ ଦେଖିଛନ୍ତି। ରୋଗୀଙ୍କ ଇସିଜି ଓ ଛାତିର ଏକ୍ସ-ରେ କରାଯାଇଥିଲା। ଘଟଣାର ଯାଞ୍ଚ ପାଇଁ ହସ୍ପିଟାଲ ଅଧୀକ୍ଷକ ଓ ଭେଷଜ ବିଭାଗର ବିଭାଗୀୟ ମୁଖ୍ୟଙ୍କୁ ନେଇ ଏକ ଦୁଇ ଜଣିଆ କମିଟି ଗଠନ କରାଯାଇଛି। ଆସନ୍ତକାଲି ସେମାନେ ରିପୋର୍ଟ ଦେବେ। ହସ୍ପିଟାଲରେ ଅବହେଳାକୁ କୌଣସି ପ୍ରକାର ବରଦାସ୍ତ କରାଯିବ ନାହିଁ। ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡା.ସାହୁ କହିଛନ୍ତି।
ଏମ୍କେସିଜି ମେଡିସିନ୍ ବିଭାଗରେ ଅଭାବନୀୟ ଘଟଣା: ଏମ୍କେସିଜିରେ ଇଞ୍ଜେକ୍ସନ୍ ନେଇ ୨୦ ଅସୁସ୍ଥ
ବ୍ରହ୍ମପୁର : ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଶୁକ୍ରବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି। ଭେଷଜ ବିଭାଗର ୟୁନିଟ୍-୧ ଇନ୍ଡୋର୍ରେ ଚିକିତ୍ସିତ ହେଉଥିବା ୨୦ଜଣ ରୋଗୀ ଇଞ୍ଜେକସନ୍ ନେବା ପରେ ହଠାତ୍ ଅସୁସ୍ଥ ହୋଇପଡ଼ିବା ସହ କିଛି ରୋଗୀ ଗୁରୁତର ହୋଇପଡିଥିଲେ। ରୋଗୀଙ୍କୁ ତୁରନ୍ତ ଉଚ୍ଚଚିକିତ୍ସା କରାଯିବା ପରେ ସମସ୍ତେ କ୍ରମଶଃ ସୁସ୍ଥ ହୋଇଥିବା ଜଣାଯାଇଛି। ଇଞ୍ଜେକସନ୍ ନେବା ପରେ ପାର୍ଶ୍ବ ପ୍ରତିକ୍ରିୟା ଯୋଗୁଁ ରୋଗୀ ଗୁରୁତର ହୋଇପଡିଥିବା ସୂଚନା ମିଳିଛି।
ତେବେ କେଉଁ ଇଞ୍ଜେକସନ୍ ନେଇ ରୋଗୀ ହଠାତ୍ ଗୁରୁତର ହୋଇଥିଲେ ଏହାକୁ ନେଇ ଭିନ୍ନ ଭିନ୍ନ ମତପ୍ରକାଶ ପାଉଥିବା ବେଳେ ଏମ୍କେସିଜି କର୍ତ୍ତୃପକ୍ଷ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ଇଞ୍ଜେକସନ୍ର ନମୁନା ସଂଗ୍ରହ କରି ପରୀକ୍ଷଣ ପାଇଁ ଭୁବନେଶ୍ବର ପଠାଇଥିବା ଜଣାଯାଇଛି।
ଇଞ୍ଜେକ୍ସନ୍ ନେବା ପରେ ପାର୍ଶ୍ବ ପ୍ରତିକ୍ରିୟା, ୨୦ ରୋଗୀ ଅସୁସ୍ଥ
ଘଟଣାର ତଦନ୍ତ ନିର୍ଦ୍ଦେଶ, ଭୁବନେଶ୍ବର ଗଲା ନମୁନା
ବଡ଼ ମେଡିକାଲର ଭେଷଜ ବିଭାଗ ଇନ୍ଡୋର୍(ପୁରୁଷ) ୱାର୍ଡ଼-୧ରେ ଚିକିତ୍ସିତ ହେଉଥିବା ୨୦ରୁ ଊର୍ଦ୍ଧ୍ବ ରୋଗୀଙ୍କୁ ଶୁକ୍ରବାର ସକାଳୁ ପ୍ରଥମେ ପେଣ୍ଟାପ୍ରାଜଲ୍ ଓ ଅଣ୍ଡମ୍ ଔଷଧ ଦିଆଯିବା ପରେ ସେଫ୍ରିଆଜୋନ୍ ନାମକ ଏକ ଇଞ୍ଜେକସନ୍ ଦିଆଯାଇଥିଲା। ଏହି ଔଷଧ ଓ ଇଞ୍ଜେକସନ୍ ଦେବାର କିଛି ସମୟ ପରେ ରୋଗୀମାନେ ଅସୁସ୍ଥ ହୋଇପଡ଼ିବା ସହ ଥରିବାକୁ ଆରମ୍ଭ କରିଥିଲେ। ରୋଗୀଙ୍କ ସ୍ଥିତିରେ ଅଚାନକ ପରିବର୍ତ୍ତନକୁ ଦେଖି ଉପସ୍ଥିତ ରୋଗୀ ସଂପର୍କୀୟମାନେ ଭୟଭୀତ ହୋଇପଡ଼ିବା ସହ ପାଟିତୁଣ୍ଡ ଆରମ୍ଭ କରିଦେଇଥିଲେ। ରୋଗୀ ସଂପର୍କୀୟଙ୍କ ପାଟିତୁଣ୍ଡ ସହ ରୋଗୀଙ୍କ ଅବସ୍ଥାକୁ ଦେଖି ଉପସ୍ଥିତ ଡାକ୍ତର ଓ ନର୍ସମାନେ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିବା ସହ ତୁରନ୍ତ ପ୍ରତି ରୋଗୀଙ୍କୁ ଅନ୍ୟ ଦୁଇଟି ଇଞ୍ଜେକସନ୍ ଦେଇଥିଲେ। ପ୍ରାୟ ୪ଘଣ୍ଟା ଧରି ଚିକିତ୍ସା ଜାରି ରହିବା ପରେ ମଧ୍ୟାହ୍ନରେ ସମସ୍ତ ରୋଗୀ କ୍ରମଶଃ ସୁସ୍ଥ ହେବାକୁ ଲାଗିଥିଲେ।
ଖବର ପାଇ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଡା. ରୀନା ମହାନ୍ତି, ଏମ୍କେସିଜି ମେଡିକାଲର ଅଧୀକ୍ଷକ ପ୍ରଧ୍ୟାପକ ଡା. ସନ୍ତୋଷ କୁମାର ମିଶ୍ର ୱାର୍ଡ଼ରେ ପହଞ୍ଚି ସ୍ଥିତିକୁ ତଦାରଖ କରିବା ସହ ରୋଗୀଙ୍କୁ ଦିଆଯାଇଥିବା ସେଫ୍ରିଆଜେନ୍ ଇଞ୍ଜେକସନ୍ ଯୋଗୁଁ ଏଭଳି ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଛି ବୋଲି ଅଧୀକ୍ଷକ କହିଥିଲେ। ଉକ୍ତ ୱାର୍ଡ଼ରେ ବଳକା ଥିବା ସେଫ୍ରିଆଜେନ୍ ଇଞ୍ଜେକସନ୍କୁ ସଂଗ୍ରହ କରାଯାଇ ଭୁବନେଶ୍ବର ପରୀକ୍ଷଣ ପାଇଁ ପଠାଯିବ। ଷ୍ଟୋର୍ ରୁମ୍ରେ ଥିବା ଅନ୍ୟ ୪୦୦ଟି ଇଞ୍ଜେକସନ୍କୁ କୌଣସି ରୋଗୀଙ୍କୁ ନଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି। ଏହି ଘଟଣା ପରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବ୍ରହ୍ମପୁର ଏସ୍ପି ସରବଣା ବିବେକ .ଏମ୍ ହସ୍ପିଟାଲ୍ରେ ପହଞ୍ଚି ଅଧ୍ୟକ୍ଷ ତଥା ଡିନ୍ ପ୍ରାଧ୍ୟାପକ ଡା. ଅବନୀକାନ୍ତ ମିଶ୍ରଙ୍କ ସହ ଆଲୋଚନା କରିଥିଲେ। ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ. ବିବେକ ରେଡ୍ଡୀଙ୍କ ସମେତ ବିଜେପିର କର୍ମକର୍ତ୍ତାମାନେ ପହଞ୍ଚି ରୋଗୀଙ୍କୁ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ।