ଜୟପୁର: ଦୃଢ଼ ମନୋବଳ କିଛି କରିବାର ଝୁଙ୍କ ରହିଥିଲେ ସବୁ କିଛି ସମ୍ଭବ ‌ହୋଇପାରେ। ଚଳଚ୍ଚିତ୍ରରେ ପାହାଡ଼ କାଟି ଗାଁ ପାଇଁ ରାସ୍ତା ତିଆରି କରିଥିଲେ ବିହାରର ଦଶରଥ ମାଂଝୀ। ସେହିଭଳି ଦୀର୍ଘ ୮ବର୍ଷ ହେବ ପଡ଼ିଆ ପଡ଼ିଥିବା ସାଢ଼େ ୫ଏକର ଡଙ୍ଗର ଜମିକୁ ସବୁଜିମାରେ ପରିଣତ କରିଛନ୍ତି ଜୟପୁର ତେଲିଗୁଡାର ସୋମନାଥ ମହାନ୍ତି। ଏହି କଥାଟି ଶୁଣିଲେ କିଛି ଲୋକଙ୍କୁ ଅବିଶ୍ଵାସ ଲାଗିପାରେ। କିନ୍ତୁ ଏହା ସତ। ଶ୍ରୀ ମହାନ୍ତି ନିଜ ଜମିରେ ଦିନ ରାତି ବର୍ଷା, ଖରା, ଶୀତରେ ଖଟି ୨୦ଜଣଙ୍କୁ ରୋଜଗାରକ୍ଷମ କରି ଅଂଚଳରେ ଏବେ ରୋଲ୍‌ମଡେଲ୍‌ ସାଜିଛନ୍ତି।

Advertisment

publive-image

କୋରାପୁଟ୍‌ ଜିଲ୍ଲା ଜୟପୁର ବ୍ଲକର ରଣ୍ଡାପାଲ୍ଲୀ ପଂଚାୟତର ରଣ୍ଡାପାଲ୍ଲୀ-ମୁଲାସର ମଝିରେ ପାତ୍ରଗୁଡା ନିକଟରେ ସୋମନାଥଙ୍କ ଜମି ରହିଥିଲା। ଗତ ୮ବର୍ଷ ହେବ ଜମିକୁ ସେ ପଡ଼ିଆ କରି ଛାଡ଼ି ଦେଇଥିଲେ। ରାଜ୍ୟସରକାର ବିଭିନ୍ନ କୃଷି ଯୋଜନା କରି ସହଯୋଗର ହାତବଢ଼ାଉଥିବା ଦେଖି ସେ ଚିରା ଚରିତ ଚାଷ ସହ ବିଭିନ୍ନ ଉଦ୍ୟାନ, ପନିପରିବା, ଫଳ ଆଦିର ଚାଷ କରିବାକୁ ମନବଳାଇଥିଲେ। ବର୍ଷ ତମାମ ଚାଷ କରିବାକୁ ଚିନ୍ତା କରି ଚାଷ ଆରମ୍ଭ କରିଥିଲେ। ସଂପ୍ରତି ସେ ଜମିରେ ଧାନ, ସହ ଡାଲି ଜାତୀୟ ପସଲରେ ମୁଗ, ବିରୀ, କ୍ଷୁଦ୍ରଶସ୍ୟ ଜାତୀୟରେ ମାଣ୍ଡିଆ, ସୁଆଁ, ଏଫୁଲ, ଗ୍ରୀନ ଏଫୁଲ, ଆମ୍ବ, ନଡ଼ିଆ, ପିଜୁଳି, କମଳା, କରମଙ୍ଗା, ବରକୋଳି, ୱାଟରଏଫୁଲ, ଗୋଲାପଜାମୁନ, ସୀତାଫଳ, ଅଁଳା, କଦଳୀ, ପନିପରିବାରେ ଫୁଲକୋବି, ପତ୍ରକୋବି, ଟମାଟ, ଶାଗ ସହ ଅନ୍ୟାନ୍ୟ ପରିବା ଚାଷ କରି ଆସୁଛନ୍ତି।

publive-image

ସବୁ ଠାରୁ ବଡ଼ କଥା ହେଲା ଏସବୁ ଚାଷ‌ ସେ ଜୈବିକ ପଦ୍ଧତିରେ କରି ଗୋବର ଖତ ଆଦି ପକାଇ ଚାଷ କରୁଛନ୍ତି। ଏହା ସାଙ୍ଗକୁ ବଗିଚାରେ ହିଁ ଟିସୁ କଲଚରର ଚାଷ ବି ଆରମ୍ଭ କରିଛନ୍ତି ସୋମନାଥ। ଜଣେ ଉତ୍ତମ ଚାଷୀ ଭାବେ ସେ କରୁଥିବା ପ୍ରୟାସକୁ ଦୃଷ୍ଟିରେ ରଖି ରାଜ୍ୟ ଉଠା ଜଳସେଚନ ନିଗମ ପକ୍ଷରୁ ତାଙ୍କୁ ୫ଏଚପିର ମୋଟର ସହ ବିଦ୍ୟୁତ ଲାଇନ୍ ପ୍ରଧାନ କରିଥିଲେ। ସେହିଭଳି ଜଳବିଭାଜିକା ପ୍ରକଳ୍ପ ପକ୍ଷରୁ ବନ୍ଧ ଖନନ୍ କରାଯାଇଥିବା ବେଳେ କୃଷି ବିଭାଗ ପକ୍ଷରୁ ସୋଲାର ମୋଟର, ଉଦ୍ୟାନ ବିଭାଗ ପକ୍ଷରୁ ବୁନ୍ଦା ଜଳସେଚନର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ଶ୍ରୀ ମହାନ୍ତି। କୃଷି ଓ ଉଦ୍ୟାନ ବିଭାଗ ପକ୍ଷରୁ ତାଙ୍କୁ ସହଯୋଗ ମିଳୁଥିବାରୁ ସେ ଆଜି ଜଣେ ସଫଳ ଚାଷୀ ହୋଇଥିବା ନିଜେ ଅନୁଭବ କରିପାରୁଥିବା କହିଛନ୍ତି। ତାଙ୍କ ଜମିରେ ଉତ୍ପାଦିତ ଫଳ ଅମଳ କରି ରାଜ୍ୟର କୋଣଅନୁକୋଣ ବିଭିନ୍ନ ପଡୋଶୀ ରାଜ୍ୟକୁ ବି ସେ ରତ୍ପାନୀ କରି ଆସୁଥିବା କହିଛନ୍ତି। ବାର୍ଷିକ ୨୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର କାରବାର କରିବା ସହ ୫ଲକ୍ଷରୁ ଊର୍ଦ୍ଧ୍ବ ସେ ଲାଭ ପାଉଛନ୍ତି ବୋଲି କହିଛନ୍ତି ସୋମନାଥ। ତାଙ୍କର ପଡ଼ିଆ ପଡ଼ିଥିବା ଜମି ଆଜି ତାଙ୍କୁ ସୁନାଫଳାଇ ଦେଉଥିବା ବେଳେ ସେ ୨୦ଜଣଙ୍କୁ ବର୍ଷ ତମାମ ରୋଜଗାରକ୍ଷମ ସିଧାସଳଖ କରାଇବା ସହ ଶତାଧିକ ବ୍ୟବସାୟୀ ତାଙ୍କ ଉତ୍ପାଦିତ ସାମଗ୍ରୀକୁ ବିକ୍ରୀ କରି ଲାଭ ପାଇ ପାରୁଛନ୍ତି ତାହା ତାଙ୍କୁ ଆତ୍ମସନ୍ତୋଷ ଦେଉଛି ବୋଲି କହିଛନ୍ତି ସୋମନାଥ।

publive-image

କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କ ପାଇଁ ଯୋଜନା ପ୍ରଣୟନ କରିଛନ୍ତି। ତେବେ ଏହାର ଲାଭ ନେଇ ଚାଷୀ ମାନେ ଆଗେଇବାକୁ ପଡ଼ିବ। ନିଜର ପ୍ରୟାସ ଓ ଜାଣିବା ଇଛା ଶକ୍ତି ରହିଲେ ନିଶ୍ଚିତ ରୁପେ ଜିଣିପାରିବା ବୋଲି କହିଛନ୍ତି ସ‌ୋମନାଥ। ଯୁବବର୍ଗ ବିଭିନ୍ନ କର୍ମସଂସ୍ଥାନ ପଛରେ ନ ଦୈଡି ନିଜେ ନିଜର ମାଲିକ ସାଜି କିଛି ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇବାକୁ ପରାମର୍ଶ ଦେଇଛନ୍ତି ସୋମନାଥ। ଆଜିକାର ଯୁଗରେ କୃଷି ଶ୍ରମିକ ଅଭାବ ଲାଗି ରହିବା ପାଣିପାଗ ଠିକ ନ ରହିବା, ବାରମ୍ବାର କାଳବୈଶାଖୀ, ବାତ୍ୟା ଲାଗି ରହୁଥିବାରୁ ବହୁ ଚାଷୀ ଚାଷକୁ ମୁହଁ ମୋଡୁଥିବା ବେଳେ ସୋମନାଥ ସମସ୍ତଙ୍କ ପାଇଁ ମାର୍ଗଦର୍ଶକ।