ପାରାଦୀପ/ଜଗତ୍ସିଂହପୁରଟାଉନ୍: ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ଶିକ୍ଷାନୀତି ଯୋଗୁ ସାଧାରଣ ଲୋକଙ୍କ ପିଲାମାନେ ପ୍ରକୃତ ଶିକ୍ଷା ଲାଭ କରିପାରୁନାହାନ୍ତି। ଫଳରେ, ସେମାନେ ନେତାମାନଙ୍କ ଗୋଡାଣିଆ ସାଜୁଛନ୍ତି। ଜଗତ୍ସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ବୋରିଖି ଉଚ୍ଚବିଦ୍ୟାଳୟ ସୁବର୍ଣ୍ଣଜୟନ୍ତୀ ଉତ୍ସବରେ ଯୋଗଦେଇ ସମ୍ବାଦ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି। ଆଜି ଥିଲା ଏହି ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସ। ପୁରାତନ ଛାତ୍ରସଂସଦ ସଭାପତି ଅକ୍ଷୟ କୁମାର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ମତଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଦୁଇଟି ବ୍ୟବସ୍ଥାରେ ଆମର ଶିକ୍ଷାନୀତି ପରିଚାଳିତ ହେଉଛି। ନେତା,ମନ୍ତ୍ରୀ,ଅମଲାମାନେ ସେମାନଙ୍କ ପିଲାମାନଙ୍କୁ ବେସରକାରୀ ବିଦ୍ୟାଳୟରେ ଅଧ୍ୟୟନ କରାଉଥିବାବେଳେ ସାଧାରଣ ଲୋକମାନେ ସରକରୀ ବିଦ୍ୟାଳୟରେ ଅଧ୍ୟୟନ କରାଉଛନ୍ତି। ଫଳରେ ଏହି ତ୍ରୁଟିପୂର୍ଣ୍ଣ ଶିକ୍ଷାନୀତି ଯୋଗୁ ସାଧାରଣ ଲୋକମାନଙ୍କ ପିଲାମାନେ ପ୍ରକୃତ ଶିକ୍ଷାଲାଭ କରିପାରୁନାହାନ୍ତି। ଫଳରେ ସେମାନେ କେବଳ ନେତାମାନଙ୍କର ଗୋଡ଼ାଣିଆ ସାଜୁଛନ୍ତି।
ସେ ଆହୁରି ମଧ୍ୟ କହିଥିଲେ ଯେ, ୧୯୭୦ ମସିହାରେ ଶିକ୍ଷା ବ୍ୟବସ୍ଥା ଏପରି ନଥଲା। ସେତେବେଳେ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ନିଃସ୍ୱାର୍ଥପର ଭାବେ ଶିକ୍ଷାଦାନ କରୁଥିଲେ। ଫଳରେ ମୂଲ୍ୟବୋଧଭିତ୍ତିକ ଶିକ୍ଷାଲାଭ କରାଯାଇପାରୁଥିଲା। ଯାହା ସମାଜ ପାଇଁ ଉପଯୋଗୀ ହୋଇପାରୁଥିଲା। ବର୍ତ୍ତମାନ ଆମ ଭାଷା ଘୋର ସଙ୍କଟରେ ପଡ଼ିଛି। ମାତ୍ର ଏହାର ସୁରକ୍ଷା ପାଇଁ କେହି ଆଗଭର ହେଉନାହାନ୍ତି। ଇଂରାଜୀ ମାୟାରେ ସମସ୍ତେ ପଡ଼ିଥିବାବେଳେ ଓଡ଼ିଆ କଥା ସମସ୍ତେ ଭୁଲି ଯାଇଛନ୍ତି। ତେବେ ସମସ୍ତ ସଚେତନ ନାଗରିକ,ପୂରାତନ ଶିକ୍ଷକ,ଛାତ୍ରଛାତ୍ରୀମାନେ ରାଜ୍ୟ ଶାସନ ଓଡ଼ିଆ ଭାଷାରେ କରିବା ପାଇଁଁ ସ୍ୱର ଉଠାଇବାକୁ ଶ୍ରୀ ପଟ୍ଟନାୟକ ଆହ୍ଵାନ ଜଣାଇଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ବିଦ୍ୟାଳୟର ପ୍ରାକ୍ତନ ଛାତ୍ରଛାତ୍ରୀମାନେ ବିଦ୍ୟାଳୟପାଇଁ ଅମୂଲ୍ୟ ସମ୍ପତ୍ତି। ବିଦ୍ୟାଳୟ ସେମାନଙ୍କୁ ନେଇ ଗର୍ବ କରିଥାଏ। ଏଥିସହିତ, ପୁରାତନ ଛାତ୍ରମାନଙ୍କ ଉଦ୍ୟମକୁ ସେ ଉଚ୍ଚପ୍ରଶଂସା କରିଥିଲେ। ପ୍ରାକ୍ତନ ଶିକ୍ଷକ ମନୋରଞ୍ଜନ ଦାଶ କହିଥିଲେ ଯେ, ଆମ ଶିକ୍ଷା ବ୍ୟବସ୍ଥାକୁ ଉତ୍ତରପିଢ଼ି ହିଁ ଆଗକୁ ଆଗେଇ ନେଇପାରିବେ। ଇଂ. ସରୋଜ କୁମାର ପାଣି ଏଥିରେ ଯୋଗଦେଇ ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଦୀର୍ଘ ଦେଢ଼ବର୍ଷ କାଳ ପୁରାତନ ଛାତ୍ରମାନେ ଏଥିପାଇଁ ଉଦ୍ୟମ କରି ଆସୁଛନ୍ତି। ଆଜି ଏହି କାର୍ଯ୍ୟକ୍ରମ ସଫଳତାର ସହ ରୂପାୟନ ହୋଇପାରିଛି। ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ ପଚାଶ ବର୍ଷ ମଧ୍ୟରେ ବିଦ୍ୟାଳୟରେ ଶିକ୍ଷାଦାନ କରିଥିବା ପ୍ରାକ୍ତନ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଲବ୍ଧପ୍ରତିଷ୍ଠ କଣ୍ଠଶିଳ୍ପୀ ଇରା ମହାନ୍ତିଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/kujang-IMG_20171223_181700-Copy.jpg)