ମାନବିକତାର ହତ୍ୟା: ମିଳିଲାନି ଚାରି କାନ୍ଧ, ମା’ଙ୍କ କୋକେଇ ଘୋଷାରି ଶ୍ମଶାନ ନେଲା ପୁଅ

ଜୟପୁର : ହାରିଯାଇଛି ମାନବିକତା। ସାମାଜିକ ବାସନ୍ଦ ଭଳି କ୍ରୂର ତଥା ନିଷ୍ଠୁର ପରମ୍ପରାର ବିଜୟ ଘଟିଛି। ଏହି ସାମାଜିକ ବାସନ୍ଦ ହେଉଛି ଜାତିପ୍ରଥା, ଯାହାକି ଏବେ ବି ମଣିଷ ମନରେ ଓ ସାମାଜିକ ବ୍ୟବସ୍ଥା‌ରେ ବସାବାନ୍ଧି ରହିଛି!! ଯେଉଁଥିପାଇଁ ଗ୍ରାମବାସୀ ଓ ଜାତିଭାଇ ଜଣେ ମହିଳାଙ୍କ ଶବକୁ କାନ୍ଧ ଦେଲେନି। କୋକେଇକୁ ଉଠାଇ ନପାରି ମା’ର ଶବକୁ ଶ୍ମଶାନ ପର୍ଯ୍ୟନ୍ତ ଘୋଷାରି ନେବାକୁ ବାଧ୍ୟ ହୋଇଛନ୍ତି ଜଣେ ଅଭାଗା ପୁଅ। କୋରାପୁଟର ଜୟପୁର ବ୍ଲକ୍‌ ରଣ୍ଡାପାଲି ପଞ୍ଚାୟତ ବୈରାଗୀମଠ ଗାଁରେ ଏଭଳି ଦୁର୍ଭାଗ୍ୟଜନକ ଘଟଣା ଦେଖିବାକୁ ମିଳିଛି।

ପ୍ରାୟ ୬ମାସ ତଳେ ଉପରୋକ୍ତ ଗାଁର ମଙ୍ଗଳା ପରଜାଙ୍କ ପରିବାରକୁ ଗ୍ରାମବାସୀ ବାସନ୍ଦ କରି ଦେଇଥିଲେ। ସମସ୍ତ ପ୍ରକାର ସଂପର୍କ ତୁଟାଇ ଏକୁଟିଆ ବଞ୍ଚିବା ପାଇଁ ବାଧ୍ୟ କରିଥିଲେ। ଭୁଲ୍‌ କେବଳ ଏତିକି ଥିଲା, ଅନ୍ୟ ଜାତିର ଭୋଜିରେ ଏହି ପରିବାର ସାମିଲ୍‌ ହୋଇଥିଲେ। ଗତକାଲି ରାତିରେ ମଙ୍ଗଳାଙ୍କ ମା’ ମୁକ୍ତା ପରଜା (୬୪ବର୍ଷ)ଙ୍କ ଆକସ୍ମିକ ମୃତ୍ୟୁ ହୋଇଥିଲା। ମା’ଙ୍କୁ ହରାଇବାର ଦୁଃଖ ଭିତରେ କିଭଳି ଶେଷକୃତ୍ୟ କରିବେ ସେଥିପାଇଁ ଗ୍ରାମବାସୀଙ୍କୁ ଡାକିବାକୁ ଯାଇଥିଲେ। ଜାତିଭାଇ ଏବଂ ଅନ୍ୟମାନଙ୍କୁ ହାତଯୋଡ଼ି କାକୁତିମିନତି ହେବାକୁ ବି ପଛାଇ ନଥିଲେ। ସମସ୍ତେ ନେହୁରା ଶୁଣିଥିଲେ, କିନ୍ତୁ ନ ଶୁଣିବା ଭଳି ଆଚରଣ କରିଥିଲେ। ଗୁହାରି କରି ଥକି ଯିବାପରେ ଘରକୁ ଫେରି ଆସିବାକୁ ବାଧ୍ୟ ହୋଇଥିଲେ ମଙ୍ଗଳା। ଘରକୁ ଫେରି ସହାୟତା ଆଶାରେ କିଛିସମୟ ଅପେକ୍ଷା କରିଥିଲେ। ତଥାପି କାହାର ଦେଖାମିଳି ନଥିଲା। ଶେଷରେ ଅନ୍ୟ କୌଣସି ଉପାୟ ନ ପାଇ କେହି ନ ଆସିଲେ ସୁଦ୍ଧା ମା’ଙ୍କ ଶେଷକୃତ୍ୟ ନିଶ୍ଚିତ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ବାଉଁଶ ଯୋଗାଡ଼ କରି କୋକେଇ ନିଜେ ବାନ୍ଧି ମା’ଙ୍କୁ ଶ୍ମଶାନ ପର୍ଯ୍ୟନ୍ତ ନେବାକୁ ଘରୁ ପତ୍ନୀ କୁନିଙ୍କ ସହ ବାହାରିଥିଲେ। ଅସୁସ୍ଥତା କାରଣରୁ ପତ୍ନୀ ଅଧିକ ଦୂର ଯାଇପାରି ନଥିଲେ। ଏହାପରେ ଯେଉଁ ଘଟଣା ଘଟିଲା ତାହା ମଣିଷପଣିଆକୁ ଜଳାଞ୍ଜଳି ଦେବାଭଳି! କୋକେଇର ଗୋଟିଏ ପଟକୁ ଉଠାଇ ଧରି ମା’ ଙ୍କ ଶବକୁ ଘୋଷାରି ନେଇଥିଲେ ମଙ୍ଗଳ। ଏଭଳି ହୃଦୟ ବିଦାରକ ଦୃଶ୍ୟକୁ ଗ୍ରାମବାସୀ ଦୂରରେ ରହି ଦେଖିଥିଲେ। କିନ୍ତୁ, ବାସନ୍ଦ ଭୟରେ କେହି ଆଗକୁ ଆସିବା ପାଇଁ ସାହସ ଜୁଟାଇ ପାରି ନଥିଲେ। କୌଣସିପ୍ରକାର ମା’ଙ୍କ ଶବ ଶ୍ମଶାନ ପର୍ଯ୍ୟନ୍ତ ନେଇ ଲୋକବଳ ଅଭାବରୁ ପୋଡ଼ିବା ବଦଳରେ ପୋତି ଦେଇଥିଲେ ମଙ୍ଗଳା।

ମଙ୍ଗଳାଙ୍କ କହିବା ହେଲା, ୬ମାସ ତଳେ ଗାଁରେ ଅନ୍ୟ ଜାତିର ଜଣେ ଭୋଜି କରିଥିଲେ। ତାଙ୍କୁ ନିମନ୍ତ୍ରଣ ମିଳିଥିବାରୁ ପରିବାର ସହ ଭୋଜି ଖାଇଥିଲେ। ଅନ୍ୟ ଜାତିର ଭୋଜି ଖାଇଥିବାରୁ ଗ୍ରାମବାସୀ ତାଙ୍କୁ ଜାତିରୁ ବାହାର କରିଦେଇଥିଲେ। ସାମାଜିକ ବାସନ୍ଦ କରି ରଖିଥିଲେ। ଆଜି ନେହୁରା ହେବାସତ୍ତ୍ବେ କେହି ସହଯୋଗ କରିଲେ ନାହିଁ। କୌଣସି ପ୍ରକାର ମା’ଙ୍କ ଶେଷକୃତ୍ୟ କରିଛନ୍ତି ଏବଂ ଆଗକୁ ଶୁଦ୍ଧିକ୍ରିୟା ମଧ୍ୟ କରିବେ। ମା’ଙ୍କ ପୂର୍ବରୁ ମଙ୍ଗଳାଙ୍କ ପୋଷ୍ୟ ସନ୍ତାନର କିଛିମାସ ତଳେ ମୃତ୍ୟୁ ହୋଇଥିଲା। ସେହି ସମୟରେ ବି ଜାତିଭାଇ ସହଯୋଗ କରି ନଥିବା ଧୈର୍ଯ୍ୟ ହରାଇଥିବା ମଙ୍ଗଳା କହିଛନ୍ତି।

ଆଜିର ଅମାବନୀୟ ଘଟଣାକୁ କେହି ନିଜ ମୋବାଇଲରେ ରେକର୍ଡ କରିଥିଲା। ଯାହାକୁ ସୋସିଆଲ ମିଡିଆରେ ଭାଇରାଲ କରିବା ପରେ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି କରିଥିଲା। ସମ୍ବେଦନଶୀଳ ଘଟଣା ହୋଇଥିବାରୁ ନିର୍ବାଚିତ ଲୋକପ୍ରତିନିଧି ଏବଂ ନିଜେ ବିଡିଓ ସୂରଜ ପଟ୍ଟନାୟକ ଗାଁରେ ପହଞ୍ଚିଥିଲେ। ମଙ୍ଗଳାଙ୍କ ପରିବାରକୁ ସମବେଦନା ଜଣାଇ ୫ହଜାର ଟଙ୍କାର ସହୟତା ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର