ମା’ଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ପୁଅ ଗିରଫ

ପୂର୍ବରୁ ପୁଅକୁ ମୁକୁଳାଇବାକୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମା’

ପୁରୀ: ନିଶା ପାଇଁ ନିଜ ମା’ଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ସମୁଦ୍ରକୂଳ ଥାନା ପୁଲିସ ପୁଅକୁ ଗିରଫ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ସମୁଦ୍ରକୂଳ ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର କଲୋନିରେ ରହୁଥିବା ପପୁଆ ଖଉଡ଼ିଆଙ୍କ ପତ୍ନୀ ପୂର୍ଣ୍ଣିମା ଖଉଡ଼ିଆ ଅଭିଯୋଗ କରିଥିଲେ ଯେ ତାଙ୍କ ପୁଅ ବିଶାଳ(୨୪) ତାଙ୍କୁ ନିଶା ପାଇଁ ମାରପିଟ୍‌ କରୁଛି। ଏହି ଅଭିଯୋଗକୁ ଭିତ୍ତି କରି ସମୁଦ୍ରକୂଳ ଥାନା ପୁଲିସ ଏକ ମାମଲା ରୁଜୁ କରି ଆଜି ବିଶାଳକୁ ଗିରଫ ପରେ କୋର୍ଟଚାଲାଣ କରିଛି।

ସୂଚନାଯୋଗ୍ୟ ଯେ ଅଢ଼େଇ ବର୍ଷ ପୂର୍ବେ ପୂର୍ଣ୍ଣିମା ଅଭିଯୋଗ କରିଥିଲେ ଯେ ତାଙ୍କ ପୁଅର କୌଣସି ଦୋଷ ନଥିବା ବେଳେ ପୁଲିସ ଅଯଥାରେ ତାକୁ ମିଛ ମାମଲାରେ ଗିରଫ କରୁଛି। ଏହାର ପ୍ରତିବାଦରେ ସେ ବଡ଼ଦାଣ୍ଡରେ ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। କିନ୍ତୁ ପରିତାପର ବିଷୟ ଏହା ଯେ ସେହି ପୁଅ ବିଶାଳ ଆଜି ତାଙ୍କୁ ନିଶା ପାଇଁ ପଇସା ମାଗି ପ୍ରାଣାନ୍ତକ ଆକ୍ରମଣ କରିଛି। ବିଶାଳ ନାମରେ ପୂର୍ବରୁ ପ୍ରାୟ ୬ଟି ମାମଲା ରହିଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର