ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଙ୍ଗିଯୁବା ପଞ୍ଚାୟତ ଖଇରମାଳ ଗ୍ରାମରେ ନିଜ ଜନ୍ମ କଲା ମାଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ‌ ଖେଳାଇ ଦେଇଛି।

Advertisment

ରବିବାର ସକାଳେ ସତ୍ୟ ଭୋଇ ( ୬୦) ଦାନ୍ତ ଘଷିବା ପାଇଁ ଘରକୁ ବାହାରିଥିଲେ। ଏହି ସମୟରେ ପୁଅ ଗଣେଶ ଭୋଇ (୨୮) ଆସି ଆକସ୍ମିକ ଭାବେ ଏକ କାଠଫାଳିଆରେ ଆକ୍ରମଣ କରିଥିଲା। ଏଥିରେ ମା ସତ୍ୟଙ୍କ ମୁଣ୍ଡ ଫାଟି ପ୍ରଚୁର ରକ୍ତସ୍ରାବ ହୋଇଥିଲା। ସେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ଏ ବିଷୟରେ ସତ୍ୟଙ୍କ ସ୍ବାମୀ ଫଗୁନୁ ଭୋଇ ଥାନାରେ ଏତଲା ଦେଇଥିଲେ। ବିନିକା ଥାନା ଆଇଆଇସି କୁଶ ପାଣିଗ୍ରାହୀ, ଏସ୍‌ଆଇ ଚଞ୍ଚଳା ନାୟକ, ଏଏସ୍‌ଆଇ ଜି. ଏନ୍‌. ଭୋଇ ଓ ଅନ୍ୟ କର୍ମଚାରୀ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଅଭିଯୁକ୍ତ ପୁଅ ଗଣେଶକୁ ଗିରଫ କରିବା ସହ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଗଣେଶଙ୍କ ମାନସିକ ଅବସ୍ଥା ଠିକ୍‌ ନଥିବା ଆଲୋଚନା ହେଉଛି। ପୂର୍ବରୁ ସେ ତା’ ସ୍ତ୍ରୀକୁ ମଧ୍ୟ ଆକ୍ରମଣ କରିଥିବା ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ।