ମାତୃହନ୍ତା ଗିରଫ, ଘଟଣା ସ୍ଥଳ ପରିଦର୍ଶନ କଲେ ଏସ୍‌ପି

ଚଣ୍ଡିଖୋଲ/ବଡ଼ଚଣା : ନିଜ ମାଆଙ୍କୁ ଏକ ଠେଙ୍ଗାରେ ପିଟି ହତ୍ୟା କରିଥିବା ବଡ଼ଚଣା ଥାନା ଅନ୍ତର୍ଗତ ବଡ଼ଚଣା ଗ୍ରାମର ରଞ୍ଜନ ସାମଲ ଓରଫ ଗୁଣ୍ଡୁ(୨୮)କୁ ଆଜି କୋର୍ଟଚାଲାଣ କରାଯାଇଛି। ଗତକାଲି ସନ୍ଧ୍ୟାରେ ନିଶାଗ୍ରସ୍ତ ଅବସ୍ଥାରେ ଗୁଣ୍ଡୁ ତାର ମାଆ ସୁଷମା ସାମଲ(୫୨)ଙ୍କୁ ଟଙ୍କା ମାଗିଥିଲା। ଟଙ୍କା ଦେବାକୁ ମନା କରିଦେବାରୁ ଅଭିଯୁକ୍ତ ଏକ ବାଉଁଶ ଠେଙ୍ଗାରେ ପିଟିପିଟି ତାର ମାଆଙ୍କୁ ମାରିଦେଇଥିଲା। ଏହି ଘଟଣାରେ ଯାଜପୁର ଏସ୍‌ପି ରାହୁଲ ପି. ଆର. ଆଜି ଘଟଣା ସ୍ଥଳ ପରିଦର୍ଶନ କରିଥିବା ବେଳେ ଫୋରେନସିକ୍‌ ଟିମ୍‌ ମୃତ ସୁଷମାଙ୍କ ଘରକୁ ଯାଇ ତଦନ୍ତ କରିଥିଲେ।

ସୂଚନା ଅନୁଯାୟୀ, ୨ବର୍ଷ ତଳେ ସୁଷମା ଏକ ଜମି ବିକ୍ରିକରି ବଡ଼ପୁଅ ରଞ୍ଜନ ନାଁରେ ବ୍ୟାଙ୍କରେ ୮ ଲକ୍ଷ ଟଙ୍କା ରଖିଥିଲେ। ଅଭିଯୁକ୍ତ ସେହି ଟଙ୍କାକୁ ଉଠାଇ ଖର୍ଚ୍ଚ କରିଦେଇଥିଲା। ପରେ ପୁଣି ଟଙ୍କା ମାଗି ସୁଷମାଙ୍କୁ ହଇରାଣ ହରକତ କରୁଥିଲା। ଗତ ୭ ତାରିଖ ସନ୍ଧ୍ୟାରେ ନିଶାଗ୍ରସ୍ତ ଅବସ୍ଥାରେ ସେ ସୁଷମାଙ୍କୁ ଟଙ୍କା ମାଗିଥିଲା। ସୁଷମା ଟଙ୍କା ଦେବାକୁ ମନା କରିଦେବାରୁ ଉତ୍‌କ୍ଷିପ୍ତ ରଞ୍ଜନ ଏକ ଠେଙ୍ଗାରେ ତାଙ୍କୁ ଆକ୍ରମଣ କରିଥିଲା। ଏଥିରେ ଗୁରୁତର ହୋଇ ପଡ଼ିଥିବା ସୁଷମାଙ୍କୁ ତାଙ୍କର ଅନ୍ୟ ଦୁଇପୁଅ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ଭାଇଙ୍କ ଅଭିଯୋଗ କ୍ରମେ ପୁଲିସ ରଞ୍ଜନକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର