କଟୁରି ଚୋଟରେ ବାପା ମୁଣ୍ଡ ଦି’ଫାଳ, ପୁଅ ଥାନାରେ ଅଟକ

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ଥାନା ଚାହାପଡ଼ା ଗ୍ରାମରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ପୁଅ ତାର ବାପାଙ୍କୁ ଅତି ବୀଭତ୍ସ ଭାବରେ ହତ୍ୟା କରିଛି। ପୁଅର କଟୁରି ଚୋଟରେ ବାପର ମୁଣ୍ଡ ଦି’ଫାଳ ହୋଇଯାଇଛି। ପୁଲିସ ପୁଅକୁ ନେଇ ଥାନାରେ ଅଟକ ରଖିଛି। ଏହି ଘଟଣା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି।

ପୁଲିସ ସୂତ୍ରରୁ ମିିଳିଥିବା ସୂଚନା ଅନୁଯାୟୀ, ପଟ୍ଟାମୁଣ୍ଡାଇ ପୌରପରିଷଦ ଅନ୍ତର୍ଗତ ଚାହାପଡା ଗ୍ରାମର କରୁଣାକର ନାୟକ(୪୮)ଙ୍କର ଗାଁରେ ଏକ କମାରଶାଳ ଅଛି। ବାପପୁଅ ସେଇଠି ମିଶି କାମ କରନ୍ତି। ଗତ କିଛି ଦିନ ହେବ କରୁଣାକର ଘରେ ପାଟିତୁଣ୍ଡ ଓ ଗଣ୍ଡଗୋଳ କରୁଥିଲେ। ଗତକାଲି ରାତିରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। ଅତ୍ୟଧିକ ମଦ୍ୟପାନ କରି କରୁଣାକର ଏକ କଟୁରି ଧରି ପରିବାର ଲୋକଙ୍କୁ ହାଣିବାକୁ ଗୋଡ଼ାଇଥିଲେ। ପୁଅ ସୂର୍ଯ୍ୟକାନ୍ତ(୧୮) ବାପାଙ୍କୁ ଅଟକାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। କୌଣସି ପରିସ୍ଥିତିରେ ବି କରୁଣାକର ଶାନ୍ତ ନ ହେବାରୁ ପୁଅ ସୂର୍ଯ୍ୟକାନ୍ତର ରାଗ ବି ପଞ୍ଚମ ହୋଇଯାଇଥିଲା। ସେ ଆଉ ଏକ କଟୁରିରେ ବାପା କରୁଣାକରଙ୍କ ମୁଣ୍ଡକୁ ଏକ ଶକ୍ତ ଚୋଟ ପକାଇଥିଲେ। କଟୁରି ଚୋଟରେ କରୁଣାକରଙ୍କ ମୁଣ୍ଡ ଦି’ଫାଳ ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। କରୁଣାକରଙ୍କ ଶବ ସେମିତି ଘରେ ରକ୍ତଜୁଡ଼ୁବୁଡୁ ଅବସ୍ଥାରେ ପଡ଼ି ରହିଥିଲା। ପରିବାର ଲୋକେ ମଧ୍ୟ ଭୟଭୀତ ଅବସ୍ଥାରେ ଥିଲେ।

ଖବରପାଇ ଏସ୍‌ପି ଦୟାନିଧି ଗୋଛାୟତ, ଏସଡିପିଓ ଉମାଶଙ୍କର ମହାରଣା ଓ ଥାାଆଇଆଇସି ପ୍ରମୋଦ କୁମାର ମଲ୍ଲିିକ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଘରେ ଥିବା ପୁଅ ସୂର୍ଯ୍ୟକାନ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ପୁଅ ବାପାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିବା ପୁଲିସ କହିଛି। ହତ୍ୟାରେ ବ୍ୟବହୃତ କଟୁରିକୁ ପୁଲିସ ଘଟଣାସ୍ଥଳରୁ ଜବତ କରିଛି। ପୁଲିସ ନିଜ ଆଡୁ ୩୦୨ ଦଫାରେ ଏକ ମାମଲା କରି ଅଧିକ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର